ବାଦଲ ଭୂୟାଁ : ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରା ମର୍ଯ୍ୟାଦାଜନକ ଅତିବଡ଼ି ଜଗନ୍ନାଥ ଦାଶ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶାର ସର୍ବକାଳୀନ ପ୍ରଥିତଯଶା କବିମାନଙ୍କ ଭିତରେ ରାମଚନ୍ଦ୍ର ବେହେରା ଜଣେ ଅଗ୍ରଣୀ ଓ ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ୱ । ଆମ ଚାରିପଟେ ନିରନ୍ତର ଘଟି ଚାଲିଥିବା ସାଧାରଣ ଘଟଣା ଭିତରୁ ସେ ଆବିଷ୍କାର କରିପାରନ୍ତି ଅସାଧାରଣ କାହାଣୀ । ତାଙ୍କ କାହାଣୀର ଯାଦୁ ପାଠକଙ୍କୁ ବାନ୍ଧି ରଖିପାରେ । ତାଙ୍କ ଭାଷାର ଐଶ୍ୱର୍ଯ୍ୟ ପାଠକଙ୍କୁ ମୁଗ୍ଧ ଓ ମୋହାବିଷ୍ଟ କରିପାରେ ।
ତାଙ୍କ କାହାଣୀର ଗତିଶୀଳତା ପାଠକଙ୍କୁ ମୁହୂଃମୁହୂ ହସେଇ କନେ୍ଦଇପାରେ । ପୁଣି, ତାଙ୍କ କାହାଣୀର କ୍ଲାଇମାକ୍ସ ପାଠକଙ୍କୁ ମୁହ୍ୟମାନ ବି କରିଦେଇପାରେ । ଜଣେ ମାନବବାଦୀ ଦରଦୀ କଥାକାର ଭାବେ, ସର୍ବୋପରି ଜଣେ ପ୍ରାଣୋଚ୍ଛ୍ୱଳ ମଣିଷ ଭାବେ, ପରିଚିତ ପ୍ରଫେସର ଡ.ରାମଚନ୍ଦ୍ର ବେହେରାଙ୍କୁ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର “ଅତିବଡ଼ୀ ସମ୍ମାନ’ ମିଳିବା କଥା ଆଜି ଘୋଷଣା କରାଯିବା ପରେ ସାହିତି୍ୟକ ମହଲରେ ଖୁସି ଖେଳିଯାଇଛି । ଡ.ବେହେରା (୧୯୪୫) ଓଡ଼ିଆ କଥା ସାହିତ୍ୟର ଜଣେ ଦିଗ୍ଗଜ ଓ ଧୂରୀଣ ଶିଳ୍ପୀ । ତାଙ୍କ କଥାର କାନ୍ଭାସ, କାହାଣୀର ପରିଧି, ଉପନ୍ୟାସର ପରିସର ବେଶ ସୁବିଶାଳ । ମାଟିରୁ ଆକାଶଯାଏ ବିସ୍ତୃତ । ପୁଣି ମନର ନିଭୃତ ଇଲାକାରୁ ବିବେକର ବଂଶୀସ୍ୱନଯାଏ ନିନାଦିତ ।
“ଦ୍ୱିତୀୟ ଶ୍ମଶାନ’, “ଅଚିହ୍ନା ପୃଥିବୀ’, “ଅବଶିଷ୍ଟ ଆୟୁଷ’, “ଓଁକାର ଧ୍ୱନି’, “ମହାକାବ୍ୟର ମୁହଁ’, “ବଞ୍ଚô ରହିବା’, “ସବୁଜିମାର ପରମାୟୁ’, “ବଡ଼ ମାୟାବୀ ଜୀବ’, “ଶୁଭାନନ୍ଦର ଗୀତ’, “ବିପର୍ଯ୍ୟୟର ନକ୍ସା’, “ଭଗ୍ନାଂଶର ସ୍ୱପ୍ନ’, “ଫଟାକାନ୍ଥର ଗଛ’ ଭଳି ଗଳ୍ପ ସଂକଳନ, “ମରୀଚିକାର ମହକ’, “ନିଖୋଜ ଅପରାଧୀ’, “ଚିହ୍ନାଅଚିହ୍ନା’, “ଧୂସର ସୂର୍ଯ୍ୟାସ୍ତ’, “ଅଭିନୟର ପରିଧି’, “ମୁକ୍ତିର ରୂପରେଖ’, “ମୁଁ ଫେରିଆସିଛି’, “ମନିକା ଏବେ କେଉଁଠି’, “ଦୁଆର ଟପିଲେ ବାଟ’, “କିପରି ନିଆଯାଏ ନିଷ୍ପତ୍ତି’, “ପାଦତଳର ମାଟି’, “ରାତିର ଶେଷ ପୃଷ୍ଠା’, “କୋଟିବସ୍ତ୍ର’, “ବଟ ବୈକୁଣ୍ଠ’, “ଜୀବନପାତ୍ର’, “ଏଇଠି ଆକାଶ’ ଭଳି ଉପନ୍ୟାସର ସ୍ରଷ୍ଟାପୁରୁଷ ସେ । ସାରଳା ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ବିଷୁବ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ଭାରତୀୟ ଭାଷା ପରିଷଦ ସମ୍ମାନ ଏବଂ ଆହୁରି ଅନେକ ପୁରସ୍କାରରେ ସମ୍ମାନିତ ଡ.ବେହେରା ସଂପ୍ରତି ସପରିବାର କେନ୍ଦ୍ରାପଡ଼ାରେ ଅବସ୍ଥାନ କରୁଛନ୍ତି ।
ଓଡ଼ିଶାର ସମ୍ମାନଜନକ ଅତିବଡ଼ି ପୁରସ୍କାର ଘୋଷିତ ହେବାପରେ ଅତି ବିନମ୍ର ଉତ୍ତରଟି ରଖିଥିଲେ ଗଣମାଧ୍ୟମକୁ “ମୁଁ ପ୍ରଥମରୁ କହିରଖେ, ଯେକୌଣସି ପ୍ରକାରର ପୁରସ୍କାର ପାଇଁ ମୋ ଭିତରେ ଅବଶୋଷ ନଥାଏ ନାଁ ବ୍ୟାକୁଳତା । ଏ ଯାଏଁ ଯେଉଁ ପୁରସ୍କାର ପାଇଛି ସେ ସବୁ ଅଚାନକ, ମୋତେ ବିସ୍ମିତକରି ଆଶ୍ଚର୍ଯ୍ୟ କରି ଏଇଥିପାଇଁ ଯେ ଏତେ ଲୋକ ଥାଉ ଥାଉ ମୋତେ ଏହି ପ୍ରକାର ପୁରସ୍କାର ପାଇଁ କାହିଁକି ମନୋନୀତ କରାଯାଇଛି । ତେବେ ଅତିବଡ଼ି ପୁରସ୍କାରର ସ୍ୱାତନ୍ତ୍ର୍ୟ ସମ୍ପୂର୍ଣ୍ଣ ଅଲଗା । ଏଇଥିପାଇଁ କି ଯେଉଁ ଭାଗବତ ଧାଡ଼ିର ମର୍ଯ୍ୟାଦା ତାର ଯେଉଁ ବ୍ୟାପ୍ତି, ଗଭୀରତା, ସାବଲୀଳତା ଯାହା ମୋତେ ବହୁ ବର୍ଷ ଧରି ଆଚ୍ଛନ୍ନ କରି ରଖିଛି ମୁଁ ତାର ପାଖାପାଖି ପହଞ୍ଚôବା ପାଇଁ ନିରନ୍ତର ଚେଷ୍ଟା କରେ ।’ କେନ୍ଦୁଝରରେ ଜନ୍ମ ଗ୍ରହଣ କରିଥିବା ସ୍ରଷ୍ଟା ନାୟକ ରାମଚନ୍ଦ୍ର ବେହେରାଙ୍କ କର୍ମକ୍ଷେତ୍ର କେନ୍ଦ୍ରାପଡ଼ାକୁ ସେ ଯଶୋଦା ବିବେଚନା କରୁଥିବାବେଳେ କେନ୍ଦୁଝର ତାଙ୍କ ପାଇଁ ଦେବକୀ ।
ତାଙ୍କୁ ଜନୈକ ଗଣମାଧ୍ୟମର ପ୍ରତିନିଧି ପଚାରିଥିଲେ “ଯଦି କେନ୍ଦୁଝର ଆପଣଙ୍କ ଗୋପପୁର ହୁଏ କେନ୍ଦ୍ରାପଡ଼ା ଆପଣଙ୍କ ମଥୁରା । ଆପଣ ଜୀବନର ଦୁଇଟି ଘାଟରୁ କାହାକୁ ବେଶି ଗୁରୁତ୍ୱ ଦେବେ?’ ଅତ୍ୟନ୍ତ ନିରବୀ କଣ୍ଠରେ ସେ କହିଥିଲେ – “ସେପରି କୁହନ୍ତୁନି, ସବୁବେଳେ କହି ଆସିଛି କେନ୍ଦୁଝର ମୋ ପାଇଁ ଦେବକୀ, କେନ୍ଦ୍ରାପଡ଼ା ହେଉଛି ମୋ ପାଇଁ ଯଶୋଦା । କେନ୍ଦୁଝର ମୋତେ ଯେଉଁ ଜିନିଷଟି ଦେଇଥିଲା ତାକୁ ପୂର୍ଣ୍ଣାଙ୍ଗ ବିକଶିତ କରିବାରେ କେନ୍ଦ୍ରାପଡ଼ାର ମାଟିପାଣି ହିଁ ମୋତେ ସକ୍ଷମ କରିଛି । ମୁଁ ଚିର ଋଣୀ ଏହି ଦୁଇଟି ସ୍ଥାନକୁ ନେଇ, ମୋ ଓଡ଼ିଶା ପାଇଁ । ଆମ ଓଡ଼ିଆ କବିତା ଅତ୍ୟନ୍ତ ଉକ୍ରୃଷ୍ଟ ଅନ୍ୟ ଯେକୌଣସି ଭାରତୀୟ ଭାଷାର କବିତା ଅପେକ୍ଷା ଏବଂ ବିଶେଷକରି ସୁତରୀ ଅଶି ଦଶକ ବେଳକୁ ଆମ ଓଡ଼ିଆ ଗଳ୍ପ ଯେଉଁ ପ୍ରକାରର ଉଚ୍ଚତା ସ୍ପର୍ଶ କରିଥିଲା ସେ ପ୍ରକାର ଉଚ୍ଚତା ଅନ୍ୟ କୌଣସି ଭାରତୀୟ ଭାଷାର ଗଳ୍ପ ସ୍ପର୍ଶ କରିପାରିନି ।
ଅତି ଚମକ୍ରାର ଗପ, କବିତା, ବର୍ତ୍ତମାନର ସାରସ୍ୱତ ପିଢ଼ିମାନେ ରଚନାରେ ନିମଗ୍ନ ରହୁଛନ୍ତି, ଏହା ମୋ ପାଇଁ ବହୁତ ବଡ଼ ଖୁସିର କଥା ।’ ନୂଆ ଲେଖୁଥିବା ଯୁବ ସାହିତ୍ୟ ସ୍ରଷ୍ଟାଙ୍କ ପାଇଁ ତାଙ୍କ କଥା ଓ ପରାମର୍ଶ ହେଉଛି – “କଠୋର ସଂଯମ, କଠୋର ଶୃଙ୍ଖଳା, ବ୍ୟାପକ ଅଭିଜ୍ଞତା ଓ ଦରଦୀ ହୃଦୟ ନଥିବା ବ୍ୟକ୍ତି କେବେ ହେଲେ ଲେଖକ ହୋଇପାରିବ ନାହିଁ । ସେ ହୁଏତ ସ୍କୁଲ ବା କଲେଜ ସମୟରେ କିଛି ଲେଖାଲେଖି କରିପାରେ କିନ୍ତୁ ସେଥିରେ ସ୍ୱତଃସ୍ଫୂର୍ତ୍ତତା ଆସିନଥାଏ । ମୋ ଜୀବନରେ ଅନେକ ସଫଳତା ଓ ବାଧାବିଘ୍ନ ଆସିଛି । ଜୀବନରେ ଯଦି କଷ୍ଟ ନାହିଁ ତ ଲେଖାରେ ଗଭୀରତା ଆସିବ କେଉଁଠୁ’ । ଆମ ଓଡ଼ିଆର ଚଳନ୍ତି ସାହିତ୍ୟ ସର୍ଜନାର କ୍ଷେତ୍ରରେ ସ୍ରଷ୍ଟା ପୁରୁଷ ରାମଚେନ୍ଦ୍ର ବେହେରାଙ୍କ ଲେଖନୀ ମୁନ ଆହୁରି କାଳଜୟୀ ହେଉ ଏହ ଜାତିର, ଏ ଭାଷାର, ଏ ମାଟିର, ଏ ରାଜ୍ୟର ଗୌରବ ଓ ପ୍ରଥିତର ଅନେକ ସୃଷ୍ଟି ତାଙ୍କ ଠାରୁ ଆଶା କରୁଛି । ଏହି ଲେଖକ ଜଣେ ଓଡ଼ିଆ ଭାବେ ସ୍ରଷ୍ଟା ନାୟକ ରାମଚନ୍ଦ୍ର ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଲେଖନୀକୁ ମୁଣ୍ଡପାତି ପ୍ରଣାମ ଜଣାଉଛି ।
