ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲ୍ଲା ଡାକବିଭାଗର ଖଜୁରିପଡା ଥାନା ଅନ୍ତର୍ଗତ ରଣପାଟୁଳି ଗ୍ରାମୀଣ ଶାଖାର ପୋଷ୍ଟ ମାଷ୍ଟର ରାହ୍ନୁଚରଣ ସେଠୀଙ୍କୁ ଆଜି ଜିଲ୍ଲା ଡାକ ବିଭାଗର ନୀରିକ୍ଷକଙ୍କ ଦ୍ୱାରା ଖଜୁରିପଡା ଥାନାରେ ରଣପାଟୁଳି ଗ୍ରାମର ୪ଜଣ ଜମାକାରୀଙ୍କ ଜମା ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗରେ ଜେଲ ଯିବାକୁ ପଡଛି । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଂଚଳର ରଣପାଟୁଳି ପଂଚାୟତରେ ଥିବା ଡାକ ବିଭାଗର ଗ୍ରାମୀଣ ଶାଖାରେ ରାହ୍ନୁଚରଣ ସେଠୀ ୫.୪.୨୦୧୩ ଠାରୁ ୧୩.୦୩.୨୦୧୯ ଅବଧିରେ ସେଠାରେ କାର୍ଯ୍ୟକାଳ ମଧ୍ୟରେ ସେହି ଗ୍ରାମର ଚଂଚଳା ସାହୁଙ୍କର ୫୯୦୦ ଟଙ୍କା,ଅକ୍ଷୟ କୁମାର ସାହୁଙ୍କର ୬୦୦ ଟଙ୍କା,ପୁଷ୍ପାଞ୍ଜଳି ପ୍ରଧାନଙ୍କ ୭୫୫୦ ଏବଂ ମାମିନା ସାହୁଙ୍କର ୧୨୫୦୦ ଟଙ୍କା ସମେତ ସମୁଦାୟ ୨୬,୫୫୦ ଟଙ୍କା ସେମାନେ ଜମା କରିବାକୁ ଦେଇଥିବା ବେଳେ ଏହି ଟଙ୍କାକୁ ସେମାନଙ୍କର ଜମାଖାତାରେ ଜମା ନ କରି ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ବାବଦରେ ଜିଲ୍ଲା ଡାକ ନିରୀକ୍ଷକ ତଦନ୍ତ କରିବାପରେ ଏହି ଘଟଣା ବିଷୟରେ ସେ ଖଜୁରିପଡା ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଖଜୁରିପଡା ଥାନା ପୋଲିସ ପୋଷ୍ଟ ମାଷ୍ଟର ରାହ୍ନୁ ସେଠୀଙ୍କ ବିରୋଧରେ ଏକ ମାମଲା ୧୧/୨୦୨୧ ରୁଜ୍ଜୁ କରି ତାଙ୍କୁ ଆଜି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
