Odisha news

ସାଧାରଣତନ୍ତ୍ର ଦିବସ : କିଛି ସ୍ମୃତି, କିଛି ଅନୁଭୂତି

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଭାରତର ମୁକ୍ତି ସଂଗ୍ରାମ ଅନେକ ଲୁହ ଓ ଲହୁର କଥା କହେ । ଅଗଣିତ ଦେଶପ୍ରାଣ ସଂଗ୍ରାମୀମାନଙ୍କର ବଳିଦାନ, ରକ୍ତକ୍ଷୟୀ ସଂଗ୍ରାମ ଓ ଐକାନ୍ତିକ ପ୍ରଚେଷ୍ଟା ବଳରେ ଆମେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ବହୁ ପ୍ରତୀକ୍ଷିତ ସ୍ୱାଧୀନତା ପାଇଲୁ । ଏହି ଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଲାଲକିଲ୍ଲା ଉପରେ ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦେ୍ଦଶ୍ୟରେ ଦେଇଥିବା ବେତାରବାଣୀ ଶୁଣି ଦେଶବାସୀ ଆନନ୍ଦରେ ଆତ୍ମହରା ହୋଇଥିଲେ ଓ ଗାଇଥିଲେ – “ଆମେ ଚଳାଇଛୁ ଦେଶ ଆମରି, ଆମରି ନାଆରେ ଆମେ ନାଉରୀ” ।କିନ୍ତୁ ପ୍ରକୃତରେ ଆମେ ଆମକୁ ଶାସନ କରିବାର କ୍ଷମତା ଲାଭ କଲୁ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ, ଏହି ଦିନ ଆମ ସମ୍ବିଧାନ କାର୍ଯ୍ୟକାରୀ ହେଲା । ସେହିଦିନ ଠାରୁ ଆମେ ଜାନୁଆରୀ ୨୬ ତାରିଖକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ବା ଜନରାଜ୍ୟ ଦିବସ ଭାବେ ପାଳନ କରିଆସୁଅଛୁ । ଏଣୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ହେଉଛି ଏକ ସ୍ମରଣୀୟ ଦିବସ ।

ପ୍ରତ୍ୟେକ ଲିଖିତ ସମ୍ବିଧାନ ପରି ଭାରତୀୟ ସମ୍ବିଧାନର ପ୍ରାରମ୍ଭରେ ଏକ ପ୍ରସ୍ତାବନା ରହିଛି । ପ୍ରସ୍ତାବନା ସମ୍ବିଧାନର ଏକ ସଂକ୍ଷିପ୍ତ ରୂପ ଅଟେ । ଏଥିରେ ସମ୍ବିଧାନର ଲକ୍ଷ୍ୟ, ଅଭୀପ୍ସା, ଆକାଙ୍ଂକ୍ଷା ଓ ଆଇନଗତ ଭିତ୍ତି ସମ୍ବନ୍ଧରେ ସୂଚନା ଦିଆଯାଇଛି । ସମ୍ବିଧାନର ପ୍ରସ୍ତାବନାରେ କୁହାଯାଇଛି – “ଆମେ ଭାରତର ଜନସାଧାରଣ, ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବା ନିମିତ୍ତ ଏବଂ ଏହାର ସମସ୍ତ ନାଗରିକମାନଙ୍କୁ ସାମାଜିକ, ଅର୍ଥନୈତିକ, ରାଜନୈତିକ, ନ୍ୟାୟ, ଚିନ୍ତା, ମତପ୍ରକାଶ, ବିଶ୍ୱାସ, ଧର୍ମ ଓ ଉପାସନାର ସ୍ୱାଧୀନତା, ସ୍ଥିତି ଓ ସୁଯୋଗର ସମାନତା ପ୍ରଦାନ ତଥା ସେମାନଙ୍କ ମଧ୍ୟରେ ବ୍ୟକ୍ତିର ଗୌରବ ଓ ଜାତୀୟଐକ୍ୟ ଏବଂ ସଂହତି ନିଶ୍ଚିତ ଭାବେ ରକ୍ଷା କରିବାର ଅନୁକୂଳ ଭାତ୍ରୁଭାବ ବର୍ଦ୍ଧନ କରାଇବା ନିମିତ୍ତ ସତ୍ୟ ଓ ନିଷ୍ଠାର ସହିତ ସଂକଳ୍ପ କରି ଆମ୍ଭମାନଙ୍କର ଏହି ଶାସନ ବିଧାୟକ ସଭାରେ ଅଦ୍ୟ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖରେ ଏହି ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଓ ଆତ୍ମାର୍ପିତ କରୁଅଛୁ ।” ୧୯୭୬ ମସିହାର ୪୨ତମ ସମ୍ବିଧାନ ସଂଶୋଧନରେ ପ୍ରସ୍ତାବନାରେ ସମାଜବାଦୀ ଓ ଧର୍ମ ନିରପେକ୍ଷ ଶବ୍ଦ ଦ୍ୱୟକୁ ସଂଯୋଗ କରାଯାଇଛି ।

୧୯୫୦ ମସିହା ଆଜିର ଦିନରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହାପରେ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦ ସଦସ୍ୟମାନଙ୍କୁ ସମ୍ବିଧାନରେ ସ୍ୱାକ୍ଷର କରିବା ପାଇଁ ଆମନ୍ତ୍ରଣ କରିଥିଲେ । ନେହେରୁ ପ୍ରଥମେ ସ୍ୱାକ୍ଷର କରିଥିଲେ ଏବଂ ସର୍ବଶେଷରେ ରାଜେନ୍ଦ୍ର ପ୍ରସାଦ । ନିର୍ମଳ ଶାସନ ନିମନ୍ତେ ଏହି ବ୍ୟବସ୍ଥାରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକ ଠାରୁ ବିଚାର ବିଭାଗକୁ ସ୍ୱତନ୍ତ୍ର ଓ ସ୍ୱାଧୀନ କରାଯାଇଛି । ପ୍ରସ୍ତାବନା ଅନୁଯାୟୀ ଭାରତର ସାର୍ବଭୌମ କ୍ଷମତା ଲୋକମାନଙ୍କ ହସ୍ତରେ ନ୍ୟସ୍ତ । ସାର୍ବଜନୀନ ଭୋଟ ପ୍ରଥା ଆମ ଗଣତନ୍ତ୍ରକୁ ସୁଦୃଢ କରିବାପାଇଁ ବ୍ୟବସ୍ଥା କରାଯାଇଛି । ସଂକ୍ଷେପରେ ଏହାହିଁ ଆମ ସମ୍ବିଧାନର ବିଶେଷତ୍ୱ । ଇତି ମଧ୍ୟରେ ଆମ ସମ୍ବିଧାନ ୧୨୩ ଥର ସଂଶୋଧିତ ହୋଇସାରିଛି

ଦୀର୍ଘପଥ ଅତିକ୍ରମ କରି ଏକ ସାଧାରଣତନ୍ତ୍ର ଭାବେ ଭାରତ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛି । ସବୁଜ ବିପ୍ଳବ ପରେ ଏ ଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି । ଶ୍ୱେତବିପ୍ଳବ ଯୋଗୁଁ ଦେଶରେ ଦୁଗ୍ଧର ବନ୍ୟା ସୃଷ୍ଟି ହୋଇଛି । ଭାରତ ପୃଥିବୀର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ । ସ୍ୱାଧୀନତାବେଳେ ଯେଉଁ ଦେଶରେ ପିନ୍ କଣ୍ଟାଟିଏ ଉତ୍ପାଦନ ହୋଇପାରୁନଥିଲା ସେଇ ଦେଶ ଆଜି ବିଜ୍ଞାନ ଓ କାରିଗରୀରେ ବିଶ୍ୱର ଗୋଟିଏ ଆଗଧାଡିର ଦେଶ । ଖାଲି ସେତିକି ନୁହେଁ ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି । ଅର୍ଥନୈତିକ ସଂସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା, ସଫ୍ଟୱେର ମହାଶକ୍ତି ଭାବେ ନୂଆ ପରିଚିତି ଆଜି ଏ ରାଷ୍ଟ୍ରକୁ ଏକ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯ୍ୟାଦା ଦେଇଛି । ସଂସଦୀୟ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଆମ ଦେଶର ଆନୁଗତ୍ୟ ନେଇ ଆମକୁ କେହି ପ୍ରଶ୍ନ କରିପାରିବେ ନାହିଁ । ଇତିମଧ୍ୟରେ ଭାରତୀୟ ହାରାହାରି ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧିପାଇଛି । କିନ୍ତୁ ଭାରତକୁ ଉଦ୍ଭାସିତ କରୁଥିବା ଏସବୁ ସଫଳତା ବାହାରେ ଯେଉଁ ଅନାଲୋଚିତ ଦିଗ ଅଛି ତା’ହେଉଛି ଏବେବି ଭାରତରେ ରହୁଛନ୍ତି ୨୮ କୋଟି ନିରକ୍ଷର, ୨୬ କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଓ ଅପୁଷ୍ଟିର ଶୀକାର ହେଉଥିବା ୪୨ ପ୍ରତିଶତ ଶିଶୁ ।

ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ ଓ ପାନୀୟଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ ।ମୋଟ ଲୋକସଂଖ୍ୟାର ୧୯ ପ୍ରତିଶତ ଲୋକ ଭୋକିଲା ତାଲିକାରେ ଅଛନ୍ତି । ନିକଟରେ ଏକ ସର୍ଭେ ଅନୁଯାୟୀ ଆମ ଦେଶର ମାତ୍ର ଏକ ପ୍ରତିଶତ ଧନି ବ୍ୟକ୍ତିଙ୍କ ନିକଟରେ ଥିବା ସମ୍ପତ୍ତି ଦେଶର ୭୦ ପ୍ରତିଶତ ବା ୯୫୩ ନିୟୁତ ଗରିବ ଲୋକଙ୍କ ସମ୍ପତ୍ତି ଠାରୁ ଚାରି ଗୁଣ ଅଧିକ । ଆଉ ୬୯ ଜଣ ଭାରତୀୟ ବ୍ୟକ୍ତିଙ୍କ ସମୁଦାୟ ସମ୍ପତ୍ତି ଦେଶ ଲାଗି ୨୦୧୮-୧୯ ବର୍ଷର ବଜେଟ୍ ଠାରୁ ବି ଅଧିକ ।

ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଭାରତର ପରିଚୟ ହିଁ ଆମପାଇଁ ଆଶ୍ୱାସନାର ବିଷୟ ହୋଇରହିଛି । ମାତ୍ର ଗୋଟିଏ ପଟେ ରହିଛି ଉଚ୍ଛୁଳା ଭାରତ ଓ ଅନ୍ୟପଟେ ଉଜୁଡା ଭାରତ । ଏହାର ମୂଳ କାରଣ ହେଉଛି ଦୁର୍ନୀତି । ବିଡମ୍ବନା ହେଲା ଯେ ଏହି ଦୁର୍ନୀତିର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୧୯୪୮ ମସିହାର ଜିପ୍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ୨୦୧୧ ଆଦର୍ଶ ହାଉସିଂ ଓ ନିକଟରେ ୨୦୧୫ର ବ୍ୟାପମ୍ ଦୁୂର୍ନୀତି ପର୍ଯ୍ୟନ୍ତ ସବୁଠି ଦୁର୍ନୀତିର ଲମ୍ବା ତାଲିକା । ୧୯୪୮ ରୁ ଏଯାବତ୍ କେବଳ ଦୃଶ୍ୟମାନ ଦୁର୍ନୀତିର ପରିଣାମ ୨୧ଲକ୍ଷ କୋଟି ଟଙ୍କାରୁ ଅଧିକ । ବର୍ତ୍ତମାନ ବଡ ସମସ୍ୟା ହେଉଛି ଆମ ସଂସଦୀୟ ବ୍ୟବସ୍ଥା ଭିତରକୁ ପଶିଆସୁଛନ୍ତି ଅପରାଧ ପୃଷ୍ଠଭୂମିର ଲୋକମାନେ । ଦେଶର ସଂସଦ ଦେଶବାସୀଙ୍କ ପାଇଁ ମନ୍ଦିର ସଦୃଶ ।

ଏଠାରେ ଆଇନ ତିଆରି ହୁଏ, ଦେଶପାଇଁ ତିଆରି ଶାସନ-ଖସଡା । ଶସ୍ତା ରାଜନୀତି ଦେଶପାଇଁ କାଳ । ଜର୍ଜ ବର୍ଣ୍ଣାଡ ସ’ଙ୍କ ମତରେ ବୁଦ୍ଧିଜୀବୀମାନେ ରାଜନୀତିକୁ “ସଇତାନର ଆଶ୍ରୟସ୍ଥଳ” ବୋଲି ଭାବୁଛନ୍ତି । ତେଣୁ, ସେମାନେ ନିର୍ବାଚନ ପ୍ରକ୍ରିୟାରୁ ନିରାପଦ ଦୂରତାରେ ରହିବାକୁ ପସନ୍ଦ କରୁଛନ୍ତି । ଫଳରେ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି ବିଶେଷ ଅର୍ଥବଳ ଓ ବାହୁବଳରେ ଦଳୀୟ ଟିକେଟ ହାସଲ କରିନେଉଛନ୍ତି । ବିକଳ୍ପ ନପାଇ ଭୋଟରମାନେ ଏଭଳି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବାଧ୍ୟ ହେଉଛନ୍ତି । ଏ ପରମ୍ପରା କ୍ରମଶଃ ବଢିବାରେ ଲାଗିଛି । ଏପରିହେଲେ ଗଣତନ୍ତ୍ର କିଭଳି ଗୁଣାତ୍ମକ ହେବ?

କେବଳ ସେତିକି ନୁହେଁ ଦିନକୁ ଦିନ ଆମ ସଂସଦୀୟ କାର୍ଯ୍ୟପ୍ରଣାଳୀରେ ଘୋର ଅବକ୍ଷୟ ଦେଖାଗଲାଣି । ଅଧିବେଶନ ଗୁଡିକରେ କାର୍ଯ୍ୟ ଦିବସ ଦିନକୁ ଦିନ କମିିବାରେ ଲାଗିଛି । ଏକ ପରିସଂଖ୍ୟନ କୁହେ ୧୯୯୮ ମସିହା ପରଠାରୁ ବିଶେଷ କରି ୨୦୦୫ ମସିହା ପରଠାରୁ ସଂସଦ ଓ ବିଧାନ ସଭା ଗୁଡିକର ଅଧିବେଶନ ଅବଧି କମିବାରେ ଲାଗିଛି । ପୂର୍ବେ ଗୃହକାର୍ଯ୍ୟ ବର୍ଷକୁ ୬୦ ଦିନ ବସିବା ବାଧ୍ୟତାମୂଳକ ଥିବାବେଳେ ଏବେ ଏହି ଅବଧି କମିବାରେ ଲାଗିଛି । ଏକ ପରିସଂଖ୍ୟାନ କୁହେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଏହା ସର୍ବନିମ୍ନ ୧୩ ଦିନ ଓ ସର୍ବାଧିକ ୪୯ଦିନ ମଧ୍ୟରେ ସିମିତ ରହିଛି । ସୂଚନାଯୋଗ୍ୟ ଯେ ୧୯୫୨ ମସିହାରେ ସଂସଦରେ ୧୫୦ଟି ଅଧିବେଶନ ବସିଥିଲା ।

ଏବେ ଅଧିବେଶନ ମାନଙ୍କରେ ସବସ୍ୟମାନଙ୍କର ଉପସ୍ଥିତି ମଧ୍ୟ ଆଶାନୁରୂପ ହେଉନାହିଁ । ବେଳେବେଳେ ସଂସଦରେ ବହୁ ଅଭାବନୀୟ ଘଟଣା ଯୋଗୁଁ ଏହାର ସମ୍ମାନରେ ଆଞ୍ଚ ଆସୁଛି । ଏପରିକି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ହୋହାଲ୍ଲା କରି ଅଧିବେଶନକୁ ଜୋରଜବରଦସ୍ତ ମୁତଲବୀ କରାଇବା ଏକ ଅଭ୍ୟାସରେ ପରିଣତ ହେଲାଣି । ଏଭଳି ଘଟଣା ମଧ୍ୟ ରାଜ୍ୟ ବିଧାନସଭା ଗୁଡିକରେ ଦେଖିବାକୁ ମିଳୁଛିି । ସମସ୍ୟାଗୁଡିକୁ ଗୁରୁତ୍ୱ ନଦେଇ ଦଳୀୟ ଦୃଷ୍ଟିକୋଣରୁ ଏସବୁ କରିବା ଦ୍ୱାରା ସଂସଦର ମର୍ଯ୍ୟାଦା ହାନି ବେଉଛି ଏକଥା ସଦସ୍ୟମାନେ ବୁଝିବା ଉଚିତ୍ । ସବୁଠୁ ବଡକଥା ହେଉଛି ରାଜନୀତିକୁ ପରିବାରବାଦ ଗ୍ରାସ କରିଛି । ଖାଲି ସେତିକି ନୁହେଁ, ୨୦୧୯ରେ ଇକନମିକ୍ ଇଣ୍ଟେଲିଜେନ୍ସ ୟୁନିଟ୍ ଓ ଇକନମିକ୍ ଗ୍ରୁପର ରିର୍ପୋଟରେ ଭାରତରେ ଗଣତନ୍ତ୍ର ଅବକ୍ଷୟ ଘଟିଛି ବୋଲି କୁହାଯାଇଛି । ଗଣତନ୍ତ୍ର ସୁଚକାଙ୍କ ବିଶ୍ୱ ରାଙ୍କିରେ ଭାରତ ଦଶଟି ସ୍ଥାନ ତଳକୁ ଖସି ଆସିଛି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ନିଜ ହାତରେ ନିଜ ଭାଗ୍ୟ ଗଢିବାର ସଂକଳ୍ପ ଆମକୁ ମିଳିଥିଲା ବହୁ ତ୍ୟାଗ ଓ ବଳିଦାନ ବଳରେ ୧୯୪୭ ଅଗଷ୍ଟ ୧୫ ତାରିଖରେ । ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରଭାବେ ଭାରତର ନିଆରା ପରିଚୟ ହିଁ ଆମପାଇଁ ଗର୍ବ ଓ ଗୌରବର ବିଷୟ । ଆମ ସଂସଦୀୟ ବ୍ୟବସ୍ଥା ଆଜି ୭୨ ବର୍ଷରେ ପଦାର୍ପଣ କରିଛି । ଆଗକୁ ପଥ ବହୁଦୂର । ବିଭିନ୍ନ ସମସ୍ୟା ଅଗ୍ରାଧିକାର ଭିତ୍ତିରେ ସମାଧାନ ହେବା ଦରକାର । ପ୍ରକୃତ କଥା ହେଲା ଆମ ମନୋବୃତ୍ତିରେ ପରିବର୍ତ୍ତନ ଆସିଲେ ବ୍ୟବସ୍ଥାର ପରିବର୍ତ୍ତନ ଆପେ ଆପେ ହୋଇଯିବ । ତାହେଲେ ଯାଇ ଆମେ ଶକ୍ତ ଭାବେ ଠିଆ ହୋଇପାରିବା । ଚଳିତବର୍ଷ ମହାମାରୀ କରୋନା ଗଣତନ୍ତ୍ରର ଏହି ମହାପର୍ବ ଆୟୋଜନ କଳେବର କମାଇଦେଇଛି ସତ, ହେଲେ ଦେଶବାସୀଙ୍କ ମନରେ ପୂର୍ବର ସେହି ଉସôାହ ଓ ଉଦ୍ଦୀପନା ଭରିରହିଛି ।

Leave A Reply