ଯାଜ୍ଞସେନୀ ସାହୁ : ସଂସ୍କୃତି ନାଁଟା ଶୁଣିଦେଲେ ଆମେ ସମସ୍ତେ ଟିକେ ପ୍ରକୃତିସ୍ଥ ବା ସଜାଗ ହୋଇଯାଉ।ଅଜାଣତରେ ମନର କେଉଁ ଗୋଟେ କୋଣରେ ଜାତ ହୁଏ ଗର୍ବ ଓ ଅହଂକାରଭାବ।ରକ୍ଷଣଶୀଳ ମନୋବୃତ୍ତି ପ୍ରସ୍ଫୁଟିତ ହେବା ଆରମ୍ଭ ହୁଏ ।ସଂସ୍କୃତି ରକ୍ଷା ପାଇଁ ବେଳେ ବେଳେ ନର ସାଜେ ହିଂସୁକ ଦାନବ।ହଜାଏ ମାନବିକତା ।ଧରେ ଅସ୍ତ୍ରଶସ୍ତ୍ର ।କରେ ରକ୍ତପାତ। ନିଜ ସ୍ବାର୍ଥ ହାସଲ କରିବା ଆଳରେ ସହଜରେ ଗ୍ରହଣ କରିପାରେନି ବ୍ୟକ୍ତିଗତ ତାରତମ୍ୟତା ଓ ବିଭେଦତା।ବାନ୍ଧିରଖେ ଏକ ନିର୍ଦ୍ଧିଷ୍ଟ ନିୟମକାନୁନର ପ୍ରାଚୀର ଭିତରେ, ଯାହା ବାହାରେ ଇଚ୍ଛା ଥାଇ ମଧ୍ୟ ମଣିଷ ପାରିପାର୍ଶ୍ବିକ ସମାଜର ଅଙ୍ଗୁଳି ନିର୍ଦ୍ଦେଶକୁ ଡରି ଯାଇପାରେନି।ଏବେ କିଛି ମୂହୁର୍ତ୍ତ ସମୟକୁ ସ୍ଥିର କରି ଭାବନ୍ତୁ ମଣିଷ ଜନ୍ମ ପାଇ ଗୋଟିଏ ବୋଲି ଜୀବନକୁ ସ୍ୱାଧୀନ ଭାବେ ଉପଭୋଗ କରି ନ ପାରିବା କଣ ସଂସ୍କୃତିର ପରିଭାଷା ହୋଇପାରେ ? ସମାଜ ଯେଉଁଠି ସଂସ୍କୃତି ସେଇଠି, କିନ୍ତୁ ସମାଜ ଯାହାକୁ ନେଇ ଗଠିତ ସେଇ ମଣିଷ ହିଁ ସର୍ବପ୍ରଥମେ ବ୍ୟକ୍ତିଗତ ଓ ମାନସିକ ସ୍ତରରେ ସନ୍ତୁଷ୍ଟ ରହିବା ଜରୁରୀ ନୁହଁ କି ?
ଇଂରାଜୀରେ ଏକ ଧାଡି ରହିଛି Culture is Made, Unmade,Remade। ଦିନ ଥିଲା ବାଲ୍ୟବିବାହ, ସତୀଦାହ ପ୍ରଥାକୁ ଗୋଟିଏ ସଂସ୍କୃତି ରୂପେ ଧରିନିଆଯାଇଥିଲା। ପରେ ଏହାର ଏପାଖ ସେପାଖ ପରିଣାମ ଦେଖି ସେଥିରେ ସଂଶୋଧନ କରାଗଲା।ତେଣୁ କୁହାଯାଇପାରେ ସଂସ୍କୃତି ସର୍ବଦା ପରିବର୍ତ୍ତନଶୀଳ।ସମୟର ଚାହିଦା ଦେଖି ମଣିଷର ଜୀବନ ଶୈଳୀରେ ଖାଦ୍ୟପେୟ,ପୋଷାକପରିଧାନ, ଚାଲିଚଳଣି ଆଦିରେ ଭିନ୍ନତା ପରିଦୃଷ୍ଟ ହୁଏ।କିନ୍ତୁ ଏଭଳି ପରିବର୍ତ୍ତନକୁ ସଂସ୍କୃତିଧର୍ମୀ ଓ ପରମ୍ପରାବାଦୀ ମାନେ ଆଧୁନିକତା କହି ସହଜରେ ଗ୍ରହଣ କରିପାରନ୍ତି ନାହିଁ। ଅତି ସାଧାରଣ ଅଭିଯୋଗଟିଏ ଆପଣମାନେ ଶୁଣିବାକୁ ପାଉଥିବେ ଯେ, “ଆଜିକାଲିକା ପୁଅଝିଅଙ୍କ ହାବଭାବ, ରଙ୍ଗଢଙ୍ଗ ସବୁ ବିଦେଶୀ ହେଇଗଲାଣି।ପାଶ୍ଚାତ୍ୟ ସଭ୍ୟତା ଯୁବସମାଜକୁ ଗ୍ରାସ କରିଛି ।ଏମାନଙ୍କ ଏଭଳି ବେଶପୋଷାକ ଆମ ସଂସ୍କୃତିକୁ ନଷ୍ଟ କରିସାରିଲାଣି।”ଏପରିଭାବେ ଆମ ଆଖପାଖର ଅନେକ ଲୋକଙ୍କ ବ୍ୟକ୍ତିତ୍ୱ ନଜାଣି ତାଙ୍କ ଉପରେ ଟିପ୍ପଣୀ ଦିଆଯାଏ। ଖାସ୍ କରି ଯୁବତୀ ଓ ମହିଳାମାନେ ଏହାର ଅଧିକ ଶିକାର ହୁଅନ୍ତି।
ସମୟ ସହ ତାଳ ଦେଇ ହେଉ,ଶାରୀରିକ ସୁବିଧା ଦେଖି ହେଉ ଅବା ଜଳବାୟୁସହ ଖାପଖୁଆଇ ନିଜ ପୋଷାକରେ କିଛିଟା ପରିବର୍ତ୍ତନ ଓ ଆଧୁନିକତା ଆଣିଲେ ସମାଜ କେତେବେଳେ କୁସଂସ୍କାରୀ ତ କେତେବେଳେ ଅସଂଯତ ଘୋଷଣା କରିଦିଏ।ସବୁଠାରୁ ପରିତାପର ବିଷୟ ଯେତେବେଳେ ପୁରୁଷର ବଳତ୍କାର ପ୍ରବୃତ୍ତିର କାରଣଟି ଆମେ ନାରୀର ପୋଷାକ ସହ ଯୋଡିଦେଉ।ଆଗରୁ ଘରର ଝିଅ ବୋହୂଙ୍କ ପାଖରେ ସାଲୱାର କମିଜ,ଶାଢୀ ବ୍ଲାଉଜ ଛଡା ଅନ୍ୟ ବିକଳ୍ପ ସେତେଟା ନଥିଲା ।ଖରା,ବର୍ଷା, ଶୀତ କୁ ପାଥେୟ ନ କରି ଯେତେ ଅସୁବିଧାରେ ରହିଲେ ବି ମହିଳାମାନେ ହାତେ ଓଢଣା ଦେଇ ଓ ଯୁବତୀ ମାନେ ଓଢଣୀ ସହ ଶରୀର ଢ଼ାଙ୍କି ରହୁଥିଲେ ।କ୍ରମେ ବିକାଶ ସହ ମହିଳା ସଶକ୍ତିକରଣ ମୁଣ୍ଡ ଟେକିବା ପରେ ସେମାନେ ଯାନବାହନ ଚଳାଇବାଠୁ ଆରମ୍ଭ କରି କାର୍ଯ୍ୟସ୍ଥଳୀକୁ ଯିବା ପର୍ଯ୍ୟନ୍ତ ସବୁ କାମ କଲେଣି ।ସେଥିପାଇଁ ସେମାନଙ୍କ ପାଖେ ବିଭିନ୍ନ ଧରଣର ପୋଷାକର ବିକଳ୍ପ ରହିଛି।ତେଣୁ ପୁରୁଷ ପ୍ରବୃତ୍ତିକୁ ଦୋଷ ନଦେଇ ,ତାକୁ ନିୟନ୍ତ୍ରଣ ନ କରି କେବଳ ନାରୀସମାଜକୁ ସଂସ୍କୃତି ରକ୍ଷକ କହିବା ସମୀଚିନ ନୁହେଁ।ତା ଛଡା ପରିବର୍ତ୍ତିତ ସଂସ୍କୃତି ଅନୁସାରେ, ପୁରୁଷ ମଧ୍ୟ ଧୋତି,କୁର୍ତ୍ତା,ପଗଡ଼ି ଛାଡି ଭଳିକିଭଳି ଆଧୁନିକ ପରିପାଟୀକୁ ଓଲ୍ହାଇ ଆସିଲାଣି।ଏଥିପାଇଁ ଆମେ ନିଜ ସଂସ୍କାରର ଡିଣ୍ଡିମ ପିଟି ପାଶ୍ଚାତ୍ୟ ସଂସ୍କୃତିକୁ ଘୃଣା କରିବା, ଧିକ୍କାରିବା ସୁସ୍ଥ ମାନସିକତା ନୁହେଁ।ବରଂ ପୃଥିବୀର ସମସ୍ତ ଦେଶର ସଂସ୍କୃତିକୁ ଗ୍ରହଣ କରିପାରିବା, ଆହରଣ କରିପାରିବା ଭାଇଚାରାର ପ୍ରତୀକ।
ଖାଦ୍ୟପେୟ ଦିଗରେ ଦେଖିବାକୁ ଗଲେ ବି ସେଇଭଳି କିଛି ମନ୍ତବ୍ୟ ଆସେ।ଲୋକେ ଭାବନ୍ତି ପିଜ୍ଜା, ବର୍ଗର,ଚାଉମିନ୍ ଆମ ସାଂସ୍କୃତିକ ପାରମ୍ପରିକ ଦେଶୀ ବ୍ୟଞ୍ଜନକୁ ହଜାଇ ଦେଲାଣି।ଏସବୁ ବିଦେଶୀ ଖାଦ୍ୟପାଇଁ ଆମ କାକରା,ମଣ୍ଡା,ଆରିସା ଆଜି ଅନାଦୃତ ହେବାକୁ ଲାଗିଛି।ତେବେ ଖାଦ୍ୟର ମୂଳସ୍ଥାନ ଯାହା ବି ହେଉ, ସୁସ୍ୱାଦୁ ବ୍ୟଞ୍ଜନ ଖାଇବାର ଜିହ୍ବା ଲାଳସା ରୋକିବା କଷ୍ଟକର, ସେ ଦେଶୀ ହେଉ କି ବିଦେଶୀ।ଆଶ୍ଚର୍ଯ୍ୟର କଥା କିଛି ଲୋକ ଜନ୍ମଦିନରେ କେକ୍ କାଟିବା ଭଳି ସାଧାରଣ କଥାଟିକୁ ମଧ୍ୟ ପାଶ୍ଚାତ୍ୟ ରୀତି ଭାବି ସହଜରେ ଗ୍ରହଣ କରିପାରନ୍ତି ନାହିଁ।ଫଳରେ ବେଳେବେଳେ ଘରର ପୂର୍ବପିଢ଼ି ଓ ଉତ୍ତର ପିଢ଼ି ମଧ୍ୟରେ ମନାନ୍ତର,ମତାନ୍ତର ଦେଖାଦିଏ।
ଏହି ସଂସ୍କୃତି ତତ୍ତ୍ୱଟା କେବଳ ପରିବାର ଭିତରେ ନୁହେଁ, ସମାଜରେ ମଧ୍ୟ ବିଶୃଙ୍ଖଳା ସୃଷ୍ଟିକାରୀ ସାଜିଲାଣି। ବିପଦମୁଖୀ ହେବାକୁ ଲାଗିଲାଣି ସଂସ୍କୃତିର ସଂଜ୍ଞା।ସ୍ୱାର୍ଥାନ୍ଧ ମଣିଷ ସଂସ୍କୃତି ରକ୍ଷା ପାଇଁ ପଣ କରି ହଜାଇ ସାରିଲାଣି ନିଜ ହିତାହିତ ଜ୍ଞାନ।ସମତା ଓ ସଂହତି ସ୍ଥାପନ ବଦଳରେ ଏବେ ଏହା ହିଂସା,କ୍ରୋଧ,କଳହକୁ ଅଧିକ ପ୍ରଶ୍ରୟ ଦେଉଛି।ଧର୍ମରକ୍ଷା ,ସଂସ୍କୃତିରକ୍ଷା ପରି ବିଷମୟ ନିଶା ମଣିଷର ଶିରାପ୍ରଶିରାରେ ପ୍ରବାହିତ ହେଉଛି।ଉତ୍ତରପ୍ରଦେଶର ଏକ ଘଟଣା କିଛି ଦିନ ତଳେ ଗଣମାଧ୍ୟମରେ ଦେଖା ଦେଇଥିଲା।ଗୋଟିଏ ଦଳିତ ବର୍ଗର ଭାଇଭଉଣୀକୁ “ଜୟ ଶ୍ରୀରାମ” କହିବାକୁ ବାଧ୍ୟ କରି ଧାର୍ମିକଗୋଷ୍ଠୀର ଲୋକେ ମାଡ ମାରିଥିଲେ।ପୁଣି ଅତିନିକଟରେ ଏଭଳି ଏକ ଦଳୀୟ ବ୍ୟକ୍ତିଙ୍କ ବୟାନ ଆଲୋଡନ ସୃଷ୍ଟି କରିଥିଲା ଯେ ,”ବଡଦିନରେ ଯେଉଁ ହିନ୍ଦୁ ଗୀର୍ଜାକୁ ଯିବ ତାକୁ ଉଚିତ୍ ଜବାବ ଦିଆଯିବ।” ଟିଭି, ମୋବାଇଲ୍ ଖୋଲିବା ମାତ୍ରେ ପ୍ରତିଦିନ ଏଭଳି ଅନେକ ଖବର ସାମ୍ନାକୁ ଆସେ।ନିଜ ମନମୁତାବକ ଜୀବନ ଜୀଇଁବାରେ ସାମ୍ବିଧାନିକ ସ୍ତରରେ ଅଗ୍ରାଧିକାର ମିଳିଥିଲେ ମଧ୍ୟ କିଛି ବିଶେଷ ଦଳ ଓ ଗୋଷ୍ଠୀ ସେଥିରେ ବାଧକ ସାଜୁଛନ୍ତି।କିଏ କେଉଁ ଆସ୍ଥା ରଖିବ ବା ନ ରଖିବ, କିଏ କଣ ଖାଇବ (ଆମିଷ/ ନିରାମିଷ), କିଏ କଣ ପିନ୍ଧିବ ଏସବୁରେ ସ୍ୱତନ୍ତ୍ର ଭାବେ ନଛାଡି ତାର ରାଜନୀତିକରଣ କରାଯାଇ ସମସ୍ତଙ୍କୁ ଗୋଟିଏ ଢାଞ୍ଚାରେ ଚାଲିବାକୁ ବାଧ୍ୟ କରଯାଉଅଛି ।ଏଥିରୁ ବିଚ୍ୟୁତ ହେଲେ ଦେଶଦ୍ରୋହୀ ଓ ଧର୍ମଦ୍ରୋହୀର ଆଖ୍ୟା ଦିଆଯାଉଛି।ଅନ୍ତତଃ ଯେଉଁମାନେ ସରକାରୀ କର୍ମଚାରୀ ବା ପ୍ରଶାସନିକ ଅଧିକାରୀ ସେମାନେ ମଧ୍ୟ ଧର୍ମନିରପେକ୍ଷତା ଓ ବ୍ୟକ୍ତି ସ୍ୱାଧୀନତାକୁ ସମ୍ମାନ ନଦେଇ ଏଭଳି କାଣ୍ଡରେ ପରୋକ୍ଷ ଭାବେ ଜଡିତ ହେବା ବିପଜ୍ଜନକ ସଂକେତ।
ଗତ ବର୍ଷର ଆଉ କିଛି ଖବର ଉପରେ ଦୃଷ୍ଟି ପକାଇବା ଯାହା ସଂସ୍କୃତିରକ୍ଷା ଆଳରେ ବିଭ୍ରାନ୍ତିକାରୀ ମନେ ହୁଏ।ସେଥି ମଧ୍ୟରୁ ଗୋଟିଏ ହେଲା “ଲଭ ଜିହାଦ୍” ପ୍ରସଙ୍ଗ।ଜୀବନ ସାଥି ଚୟନ ପ୍ରକ୍ରିୟାଟି ନିଜ ବ୍ୟକ୍ତିଗତ ଇଛାଉପରେ ନିର୍ଭର କରୁଥିବା ବେଳେ ଏବେ ସାଂସ୍କୃତିକ ମନୋଭାବ ଏଥିରେ ହସ୍ତକ୍ଷେପ କରିବା ନିନ୍ଦନୀୟ। ସ୍ୱାଧୀନ ଦେଶରେ ଏବେ ବି ଜାତିଗତ ଧର୍ମଗତ ଭେଦଭାବ ଥିବା ସତ୍ତ୍ୱେ ଜଣେ ମାନବିକତା ପ୍ରଦର୍ଶନ ପୂର୍ବକ ଅନ୍ୟ ବର୍ଗର ସାଥିଟିଏ ବାଛିବା ତ ବଳିଷ୍ଠ ନିର୍ଣ୍ଣୟ।ଜାତିଆଣ ଚିନ୍ତାଧାରାକୁ ଧ୍ବଂସ କରି ଭାରତରେ ଅଖଣ୍ଡତା ବଜାୟ ରଖିବାଠୁ ବଡ ସଂସ୍କୃତି ଆଉ କଣ ହୋଇପାରେ ଭଲା ?ଏବେ କିଛି ହାତ ଗଣତି ରାଜ୍ୟ ହାଇକୋର୍ଟ ଏଥିପାଇଁ ଯୁବକ ଯୁବତୀଙ୍କୁ ଆଇନତଃ ସମ୍ପୂର୍ଣ୍ଣ ସ୍ୱାଧୀନ ଛାଡ଼ିଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
ଦ୍ଵିତୀୟ ପ୍ରସଙ୍ଗଟି ହେଲା ବିଦେଶୀ ଦ୍ରବ୍ୟ, ବିଦେଶୀ ଜ୍ଞାନକୌଶଳ ବ୍ୟବହାରରେ ଅଙ୍କୁଶ ଲଗାଇବା।ଯେଉଁ ଦୃଷ୍ଟିକୋଣଟି ସମୟେ ସମୟେ ପୁରା ନହେଲେ ବି ଆଂଶିକ ଭାବେ ସଂସ୍କୃତି ସହ ଯୋଡ଼ାଯାଏ।ଏଥିପାଇଁ ଆଗପଛ ନ ବିଚାରି ଅନେକ ଲୋକ ରାଜରାସ୍ତାରେ ଆସି ବିଦେଶୀ ଜିନିଷ ପୋଡି, ଟିଭି, ମୋବାଇଲକୁ ଭାଙ୍ଗି ଅଯଥା ଅର୍ଥସାତ୍ କଲେ।କ୍ରୋଧ ସମ୍ବରଣ କରି ନପାରି ଉତ୍ତ୍ୟକ୍ତ ମଣିଷ ନିଜ ପରିଶ୍ରମର ମୂଲ୍ୟକୁ ନଷ୍ଟ କରିବା ସହ ନିଜ ଜିଦ୍ ରେ ଅଟଳ ରହି ସମ୍ପୂର୍ଣରୂପେ ସ୍ବଦେଶୀ ଜିନିଷ ବି ପାଇପାରୁନି।କାରଣ ଯେତେ ବାଡେଇ ଛାଟେଇ ହେଲେ ବି ଆମେ ଜାଣୁ ଦେଶ ଦେଶ ମଧ୍ୟରେ ସବୁ ଜିନିଷ ପର୍ଯ୍ୟାପ୍ତ ନଥିବା ହେତୁ ଆମଦାନୀ, ରପ୍ତାନୀ ଚାଲେ।ଆମ ସୀମିତ ଜ୍ଞାନକୌଶଳ, ପ୍ରଯୁକ୍ତିବିଦ୍ୟା ସବୁ କିଛି ମେଣ୍ଟାଇବାରେ ସହାୟକ ହୋଇପାରିବନାହିଁ।ଯେଭଳିକି ଯୁବକ ଯୁବତୀଙ୍କ କିଛି ମନପସନ୍ଦିଆ ବିଦେଶୀ ଆପ୍ ବ୍ୟାନ୍ ହେବା ପରେ ଏବେ ସୁଦ୍ଧା ସେମାନଙ୍କ ମନ ସୁହାଇଲା ପରି ଆପ୍ ଆସିପାରିନାହିଁ।କାରଣ ସଂସ୍କୃତି ପରମ୍ପରାରେ ନିମଗ୍ନ ହୋଇ ଆମେ ସେତେଟା ବିକାଶରେ ଉର୍ଦ୍ଧ୍ବଗାମୀ ହୋଇପାରିନାହୁଁ।
ତେଣୁ “ଆମ-ତମ”, “ତୋର-ମୋର” କରି ଆମେ ମାନବିକତା ହରାଇ ଋଣାତ୍ମକ ହୋଇ ନିଜ ନିଜ ଭିତରେ ଫାଟ ସୃଷ୍ଟି କରିବା ହିଁ ସାର।ଘରେ ଅଚାନକ ଚିନି ଲୁଣ ନଥିଲେ ପଡିଶାଘରୁ ଆଣି ପୂରଣ କରାଯାଇପାରୁଛି, ଗାଁ-ଗାଁ ସହର-ସହର ରାଜ୍ୟ-ରାଜ୍ୟ ଭିତରେ ଆବଶ୍ୟକୀୟ ଚିଜର ଆଦାନ ପ୍ରଦାନ ହୋଇପାରୁଅଛି।ତେବେ ଦେଶ ଦେଶ ମଧ୍ୟର ସଂସ୍କୃତିକୁ କିଞ୍ଚିତ ଗ୍ରହଣ କରିବାରେ ଅପରାଧ କେଉଁଠି ?? ତା’ଛଡା ସଂସ୍କୃତି ରକ୍ଷାକାରୀ ବୋଲାଉଥିବା ମଣିଷ ମାନେ ଯେତେବେଳେ ଦେଖନ୍ତି ପଡୋଶୀ ଦେଶ ମହାଦେଶରୁ ଲୋକଟିଏ ଆସି ଆମ ସଂସ୍କୃତି ପରମ୍ପରାକୁ ଆପଣେଇ ପାରୁଛି, ସେତେବେଳେ ସେମାନେ କଦାପି ଭାବନ୍ତି ନାହିଁ ଯେ ସେ ତା ନିଜ ମୂଳସ୍ଥାନ ଆଧାରରେ କୁସଂସ୍କାରୀ।ବରଂ ଆମ ନିଜ ଗୋଷ୍ଠୀର ସଂଖ୍ୟାଗରିଷ୍ଠତା ଲାଭ ପାଇଁ ସେମାନଙ୍କୁ ବେଶୀ ପ୍ରଶ୍ରୟ ଦିଅନ୍ତି।ଏଭଳି ଅନେକ ଉଦାହରଣ ଅଛି, ବିଦେଶୀମାନେ ଆସି ଆମ ସଂସ୍କୃତି,ଚଳଣୀକୁ ଭଲପାଇବାର।କିଛି ବିଦେଶିନୀ ଓଡ଼ିଆଣିଙ୍କ ପରି ଶାଢ଼ୀ ପିନ୍ଧି , ଜଗନ୍ନାଥ ଧାମକୁ ଆସି ଭକ୍ତିର ସହ ନିର୍ଦ୍ୱନ୍ଦରେ ଅବଢ଼ା ଖାଇବାର ଦୃଶ୍ୟ ସେମଧ୍ୟରୁ ଅନ୍ୟତମ।ତେଣୁ କେବଳ ଆମେ କେଉଁଠି ନା କେଉଁଠି ଗୋଟିଏ “ମୁଁ” ଭିତରେ ବୁଡି ରହି ସଂକୀର୍ଣ୍ଣମନା ହୋଇଯାଉନାହେଁ କି ?ଗୋଟିଏ ବୋଲି ଜୀବନକୁ ଆମେ ବହୁ ଆୟାମୀ ଦିଗରେ କଣ ପାଇଁ ବଞ୍ଚିପାରିବା ନାହିଁ।ଯେପରି କୋଠରୀ ଭିତରେ ବନ୍ଦୀ ଥିବା ମଣିଷଟିଏ ବାହାର ଦୁନିଆ ଦେଖିବାକୁ ବ୍ୟଗ୍ର ରହେ,ବାରଣ ସତ୍ତ୍ୱେ ମଧୁମେହ ରୋଗୀର ମନ ମିଠା ଖାଇବାକୁ ମୁହାଁଏ, ସେପରି ମଣିଷ ସବୁବେଳେ ଏକ ନିର୍ଦ୍ଧିଷ୍ଟ ସଂସ୍କୃତି ଭିତରେ ବାନ୍ଧି ହୋଇ ନ ରହିପାରିବା ବି ସ୍ୱାଭାବିକ କଥା।ତେଣୁ ଅହମିକାର କଳାପଟି ଖୋଲି ଆଜିର ଦିନରେ ଆମକୁ ମାନି ନେବା ଦରକାର ଯେ , ମଣିଷ ମଣିଷ ମଧ୍ୟରେ ପ୍ରେମ ଭାତୃଭାବ,ମଣିଷର ସ୍ୱାଧୀନତା ସ୍ୱତନ୍ତ୍ରତା କେବେହେଁ କେଉଁ ସଂସ୍କୃତି ଠାରୁ କମ୍ ନୁହେଁ।