ଢେଙ୍କାନାଳ,୧୯ା୧ : ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ୭୨ତମ ସାଧାରତନ୍ତ୍ର ଦିବସ ପାଳନ ନିମନ୍ତେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ।
କୌଣସି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରକାର ପ୍ରତିଯୋଗିତା, ପ୍ରଭାତଫେରି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ୟାରେଡରେ ସାମିଲ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏହି ଦିବସରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ଓ ନିଜସ୍ୱ ଗୃହରେ ସକାଳ ୭ଟା ୩୦ମିନିଟ୍ ସମୟରେ ପତାକା ଉତ୍ତୋଳନ କରାଯିବ ।
ସକାଳ ୮ଟା ୩୦ମିନିଟ୍ ସମୟରେ ମୁଖ୍ୟ ଷ୍ଟାଡ଼ିୟମଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ପତାକା ଉତ୍ତୋଳନ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ । ଏହି ପ୍ୟାରେଡ୍ରେ ପୋଲିସ ବାହିନୀ ଓ ପୋଲିସ ବ୍ୟାଣ୍ଡ ଦଳ ଅଂଶ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ସମୟରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ ଉନ୍ନୟନ ମୂଳକ ଏବଂ ସଚେତନ ଧର୍ମୀ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ । ପ୍ରଥମେ କୋଭିଡ ଟୀକା ଦେଇଥିବା ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଏ ଉତ୍ସବରେ ସମ୍ମାନିତ କରାଯିବ । ସମ୍ପ୍ରତି କରୋନା ପରିସ୍ଥିତି ନିୟନ୍ତ୍ରଣାଧିନ ଥିବାରୁ ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରର ନିମନ୍ତେ ଜନସାଧାରଣଙ୍କ ସମାଗମକୁ ବାରଣ କରାଯାଇଛଇ ।
ଏଥିପାଇଁ ଜିଲ୍ଲାପାଳ ଶ୍ରୀ ବେହେରା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସାଧାରଣତନ୍ତ୍ର ଦିବସର ବିବରଣୀ ପାଠ କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଡିଆରଡିଏ ପିଡି ନରୋତ୍ତମ ବେହେରା, ଡିଏଫଓ ପ୍ରକାଶ ଚାନ୍ଦ ଗୋଗୀନେନୀ, ଅତିରିକ୍ତ ଏସ୍ପି ବିନୟ କୃଷ୍ଣ କାମିଲା, ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।