Odisha news

ଭିଜିଲାନ୍ସ ସ୍କାନରରେ ଢେଙ୍କାନାଳ ଅତିରିକ୍ତ ତହସିଲଦାର

0

ଢେଙ୍କାନାଳ,୧୯ା୧ : ଢେଙ୍କାନାଳ ଜିଲ୍ଲା ସଦର ତହସିଲର ଅତିରିକ୍ତ ତହସିଲଦାର ପଥର ଚାଲାଣ ପାଇଁ ଟ୍ରାଞିଟ ପାଶ ପ୍ରଦାନ କରାବା ପାଇଁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛି । ସୂଚନା ଅନୁଯାୟୀ ଢେଙ୍କାନାଳ ସଦର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଜଣେ ପଥର ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତେବେ ପଥର ଖଣି ଟ୍ରାଞ୍ଜିଟ୍ ପାସ କରାଇଦେବା ପାଇଁ ଦୋଳମଣ୍ଡପ ସାହି ସ୍ଥିତ ଭଡାଘରେ ଅତିରିକ୍ତ ତହସିଲଦାର ଲାଂଚ ନେଉଥିବାର ଜଣାପଡିଛି ।ପ୍ରକାଶ ଥାଉକି ସଦର ତହସିଲର ସପ୍ତଶଯ୍ୟା ପଂଚାୟତର ଦିଲ୍ଲୀପ ସେନାପତି ସରକାରୀ ଖାଦାନରୁ ନିୟମିତ ନିଜ ଗାଡିରେ ପଥର ବୋଝେଇ କରି ବିଭିନ୍ନ ସ୍ଥାନକୁ ଚାଲାଣ କରିଥାନ୍ତି ।

ଲଘୁ ଖଣିଜ ନିୟମ ଅନୁଯାୟୀ ଲଘୁ ଖଣିଜ ପଦାର୍ଥ ଚାଲାଣ ସମୟରେ ଟ୍ରାଞ୍ଜିଟ୍ ପାସର ବ୍ୟବହାର ହୋଇଥାଏ । ମାତ୍ର ଖଣି ମାଲିକମାନେ ତହସିଲ ବିଭାଗର ସଲାସୁତରାରେ ଏହି ଟ୍ରାଞ୍ଜିଟ ପାସକୁ କମ ବ୍ୟବହାର ପାଇଁ ଉଚିତ ମଣିଥାନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ଦିଲ୍ଲୀପ ନିଜ ଗାଡିରେ ପଥର ଚାଲାଣ କରୁଥିବା ଜାଣି ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଶ୍ରୀ ଦିଲ୍ଲୀପଙ୍କୁ ପଥର ବୋହିବା ପାଇଁ ମାସିକ ୩୦ ହଜାର ଟଙ୍କା ଦେବାକୁ ଦିଲ୍ଲୀପଙ୍କୁ କହିଥିଲେ । ଅସହାୟ ଦିଲ୍ଲୀପ ଏନେଇ ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଇନିସ୍ପେକ୍ଟର ଅନିରୁଦ୍ଧ ନାୟକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ସମ୍ପର୍କରେ କଟକ ଭିଜିଲାନ୍ସ ଏସପି ଅଭିରାମ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏସପି ଶ୍ରୀ କରଙ୍କ ନିଦେ୍ର୍ଦଶ କ୍ରମେ କେନ୍ଦ୍ରାପଡା ଡିଏସପି ସୁରେନ୍ଦ୍ର ନାଥ ରାୟଗୁରଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶ୍ରୀ ଦିଲ୍ଲୀପ ଅତିରିକ୍ତ ତହସିଲଦାରଙ୍କ ଦୋଳମଣ୍ଡପ ସାହି ସ୍ଥିତ ଭଡାଘର ଠାରେ ୩୦ ହଜାର ଟଙ୍କା ଲାଂଚ ଦେଉଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ବିଭାଗ ଟଙ୍କା ସହ ଶ୍ରୀ ଦଳେଇଙ୍କୁ ଗିରଫ କରିଥିଲେ । ଗିରଫ ପରେ ଶ୍ରୀ ଦଳେଇଙ୍କ ସରକାରୀ କାର୍ଯ୍ୟାଳୟ, ଭଡାଘର ଓ ବଡମ୍ବା ସ୍ଥିତ ପୈତୃକ ଘରେ ଚଢାଉ କରାଯାଇଥିଲା । ଏପରିକି ଶ୍ରୀ ଦଳେଇ ଭିଜିଲାନ୍ସ ଅଫିସ ସମ୍ମୁଖରେ ଏକ ବଙ୍ଗଳା ତିଆରି କରୁଥିବାର ଭିଜିଲାନ୍ସ ବିଭାଗ ନଜରକୁ ଆସିଛି । ଆଜି ଏହି ଚଢାଉ ସମୟରେ ଡିଏସପି ରାୟଗୁରୁଙ୍କ ସହିତ ଇନିସ୍ପେକ୍ଟର ଅଭିରାମ କର, ଅନିରୁଦ୍ଧ ନାୟକ, ଅନୁପମା ସାହୁ, ଭାଗ୍ୟଲତା ପ୍ରଧାନ,ଜ୍ୟୋତିଶଙ୍କର ସାହୁ ପ୍ରମୂଖଙ୍କ ସମେତ ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ କର୍ମକର୍ତା ମାନେ ସାମିଲ ଥିଲେ ।

Leave A Reply