ରାୟଗଡା : ରାୟଗଡା ବସଷ୍ଟାଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ସଡକ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଜିଲ୍ଲାପାଳ ମିଶ୍ର ଏବଂ ଏସ.ପି ବିବେକାନନ୍ଦ ଶର୍ମା ବସଷ୍ଟାଣ୍ଡ ଭ୍ରମଣ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବସଷ୍ଟାଣ୍ଡର ଉପର ମହଲାରେ ନୂତନ କୋଠାର ନିର୍ମାଣ କାର୍ଯ୍ୟ ଦେଖିବା ସହ ପରିବହନ କାର୍ଯ୍ୟାଳୟ ବୁଲି ଦେଖିଥିଲେ । ବିଶେଷ କରି ବସଷ୍ଟାଣ୍ଡର ସଫାସୁତରା ଉପରେ ଗୁରୁତ୍ୱଦେବା ସହ ସବୁ ଦିିନ ସଫାସୁତରା ରଖିବା ପାଇଁ ପୌରନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କୁ ନିର୍ଦେଶ ଦେଇଥିଲେ ।
ବସଷ୍ଟାଣ୍ଡ ପରିଦର୍ଶନ ସମୟରେ ଆବଶ୍ୟକୀୟ ଶୌଚାଳୟ ନଥିବା ଅନୁଭବ କରିଥିଲେ ଶ୍ରୀମିଶ୍ର । ବସଷ୍ଟାଣ୍ଡରେ ଥିବା ଯାତ୍ରୀ ମାନଙ୍କ ସହ ବସଷ୍ଟାଣ୍ଡରେ ଥିବା ସମସ୍ୟା ଉପରେ ପଚାରି ବୁଝିଥିଲେ । ଯାତ୍ରୀମାନଙ୍କ ସମସ୍ୟା ଉପରେ ଅବଗତ ହେବା ପରେ ବସଷ୍ଟାଣ୍ଡ ବାହାରେ ଶୌଚାଳୟ ନିର୍ମାଣ, ଡ୍ରାଇଭର ହେଲପର ମାନଙ୍କ ନିମନ୍ତେ ବିଶ୍ରାମଗୃହ ନିର୍ମାଣ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।