Odisha news

ହାତଗୋଡ ବାନ୍ଧି ସାରା ରାତି ନବବଧୂ କୁ ନିର୍ଯାତନା ଦେଲେ ଶାଶୁଘର ଲୋକେ, ଗୁରୁତର ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି

0
ବୁଗୁଡା (ସୁଶାନ୍ତ କୁମାର ପଟ୍ଟନାୟକ) : ସଭ୍ଯ ସମାଜରୁ ଆସିଲା ଅସଭ୍ୟତାର ସାଂଘାତିକ ଚିତ୍ର। ନବବଧୂ ର ହାତ ଗୋଡ଼ ବାନ୍ଧି ପାଟିରେ ଚୁଣ୍ଟା ମାରି ଏକ ଡୋଲି ମଧ୍ୟରେ ପକାଇ ଦେଲେ ଶାଶୁଘର ଲୋକେ। ଏଭଳି ଏକ ଛାତିଥରା ହୃଦୟ ବିଦାରକ ଘଟଣା ନଜରକୁ ଆସିଛି ଗଂଜାମ ଜିଲ୍ଲା ବୁଗୁଡା ବ୍ଲକର ମାଣିତରା ପଞ୍ଚାୟତରୁ। ମାଣିତରା ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରେ ନବବଧୂ କୁ ନିଜ ଶାଶୁ,ଶୁଶୁର ମିଶି ହାତଗୋଡ଼କୁ ବେଡିରେ ବାନ୍ଧି ପାଟିରେ କନା ଚୁଣ୍ଟା ଦେଇ ବାହାରେ ଥିବା ଏକ ଉଚ୍ଚା ବାଉଁଶ ଡୋଲିରେ ଗତ କାଲି ଠାରୁ ପକାଇ ଦେଇଥିଲେ। ରାତି ସାରା ଥଣ୍ଡା କାକରରେ ପଡି ଥିବାବେଳେ ଗ୍ରାମର ଲୋକମାନେ କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳୁ ମହିଳା ଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବୁଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ତେବେ ଅଧିକ ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ପଠାଇ ଦିଆଯାଇଛି । ନବବଧୂ ଙ୍କ ବାପଘର ବୁଗୁଡା ଥାନା ଅନ୍ତର୍ଗତ ବି. କରଡାବାଡି ଗ୍ରାମ ବୋଲି ଜଣାପଡିଛି। ଗତ ୧୬ ଫେବୃୟାରୀ ୨୦୨୦ ରେ ପିଡିତା ତଥା ନବବଧୂ ଝିଲି ପ୍ରଧାନ ବିବାହ କରିଥିଲେ।  ଶ୍ରମିକ ଭାବେ କାମ କରିବା ପାଇଁ ସ୍ୱାମୀ ଗତ ୫ ଦିନ ପୂର୍ବେ କାମଧନ୍ଦା ଅନ୍ୱେଷଣରେ ହାଇଦ୍ରାବାଦ ଚାଲି ଯାଇଛନ୍ତି ।ତେବେ ଆଜି ସକାଳୁ ପୁଅର ବାପା ଝିଅର ବାପା ଘରକୁ ଆସି ଝିଅର ମା’କୁ କହିଥିଲେ ତୁମ ଝିଅ କାଲି ରାତିରୁ କୁଆଡେ ଚାଲି ଯାଇଛି କିନ୍ତୁ ଗାଁ ଲୋକେ ଫୋନ କରି ଜଣାଇଲେ ତୁମ ଝିଅ ହାତ ଗୋଡ଼ ବାନ୍ଧି ଡୋଲିରେ ପଡିଛି ।ଘଟଣା ପରେ ଶାଶୁ ଶୁଶୁରଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।ଏଭଳି ସ୍ପର୍ଶ କାତର ଘଟଣାକୁ ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଦୋଷୀକୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଛି।
Leave A Reply