ବୋରିଗୁମ୍ମା (କେ.ସାକିଲି ଦୋରା)—- ମହାମାରୀ କରୋନା ପାଇଁ ଗତ ମାର୍ଚ୍ଚ ମାସ ୨୪ ତାରିଖ ଠାରୁ ସରକାର କେତେବେଳେ ଲକ ଡାଉନ ତ କେତେବେଳେ ସଟ ଡାଉନ କରିଛନ୍ତି। ଏପର୍ଯ୍ୟନ୍ତ ମହାମାରୀ କରୋନା ର ପ୍ରକୋପ କମି ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକ ମାନଙ୍କ ପାଇଁ ମହାମାରୀ କରୋନା ସମୟରେ କେତେବେଳେ ଅଧିକ ଚାଉଳ ,ଡାଲି, ବୁଟ, ଟଙ୍କା ପ୍ରଦାନ କରିଛନ୍ତି। ସରକାର ଙ୍କ ସହାୟତା ପ୍ରଦାନ ପାଇଁ ମହାମାରୀ କରୋନା ସମୟରେ ବହୁ ଗରିବ ତଥା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ଉପକୃତ ହୋଇଛନ୍ତି।ରାସନ କାର୍ଡ ଧାରୀ ଙ୍କ ପାଇଁ କେନ୍ଦ୍ର ସରକାର ପ୍ରତିଟି ପରିବାର ମୁଣ୍ଡପିଛା ଅଧିକ ପାଞ୍ଚ କିଲୋ ଚାଉଳ ହିତାଧିକାରୀ ଙ୍କୁ ମାଗଣାରେ ପ୍ରଦାନ କରିଥିଲେ। ଏହାର ଫଳ ସ୍ୱରୂପ ଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ଚାଉଳ ପାଇଲେ।କିଏ ମାସକୁ ୨୦ କିଲୋ ଅଧିକ ଚାଉଳ ପାଇଲା ତ କିଏ ପଚାଶ କିଲୋ ଚାଉଳ ଅଧିକ ପାଇଲା। ଯାହାଦ୍ୱାରା ଲୋକେ ଖୋଲା ବଜାର ରେ ରାସନ ଚାଉଳ ବିକ୍ରୀ କଲେ।
ପ୍ରଥମେ ଖୋଲା ବଜାର ରେ ରାସନ ଚାଉଳ କିଲୋ ପିଛା ୧୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଚାଉଳ କିଲୋ ପିଛା ୧୨ ଟଙ୍କାରେ ବିକ୍ରି ହେଉଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ସହର ସମେତ ଅନ୍ୟାନ୍ୟ ସ୍ଥାନରେ। ଯେଉଁଠି ସରକାର ଧାନ ମଣ୍ଡିରେ ଚାଷୀ ଙ୍କ ଠାରୁ ଧାନ କିଲୋ ପିଛା ୧୮.୬୮ ଟଙ୍କାରେ କିଣୁଥିବା ବେଳେ ଲୋକେ ଚାଉଳ କିଲୋ ପିଛା ୧୨ ଟଙ୍କା ରେ ବିକ୍ରି କରୁଛନ୍ତି। ଏହିଭଳି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ବାସ୍ତବରେ ଏହା ସତ। ବୋରିଗୁମ୍ମା ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୨,୯୯୯ ହିତାଧିକାରୀ ରହିଥିବା ବେଳେ ଅନ୍ତଦୋୟ ଯୋଜନାରେ ୮୩୬୬ ହିତାଧିକାରୀ ଓ ଏସ ଏଫ ଏସ ଏସ ଯୋଜନାରେ ୧୩୪୭ ଜଣ ହିତାଧିକାରୀ ରହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବୋରିଗୁମ୍ମା ବ୍ଲକ ରେ ୫୫୭୧ କ୍ୱିଣ୍ଟାଲ ଚାଉଳ ପ୍ରଦାନ କରାଯାଉଥିବା ବେଳେ ଅନ୍ତଦୋୟ ଯୋଜନାରେ ୨୯୧୮ କ୍ୱିଣ୍ଟାଲ ଚାଉଳ ଓ ଏସ ଏଫ ଏସ ଏସ ଯୋଜନାରେ ୧୩୪ କ୍ୱିଣ୍ଟାଲ ଚାଉଳ ପ୍ରଦାନ କରାଯାଉଥିବା ବୋରିଗୁମ୍ମା ବ୍ଲକ ଯୋଗାଣ ଅଧିକାରୀ ବିଶ୍ଵଜିତ ଦାସ ସୂଚନା ଦେଇଛନ୍ତି।ତେବେ ବୋରିଗୁମ୍ମା ୭୦ ରୁ ୮୦ ଭାଗ ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ ଅନ୍ୟମାନେ ଅଯୋଗ୍ୟ ହିତାଧିକାରୀ ବୋଲି ଅଭିଯୋଗ ହେଉଛି।ଯାହା ଫଳରେ କିଛି ମଧ୍ୟବିତ୍ତ ଓ ଧନୀକ ଶ୍ରେଣୀ ର ଲୋକେ ରାସନ ଚାଉଳ ଖୋଲା ବଜାର ରେ ବିକ୍ରି କରିବାର ସୁଯୋଗ ପାଉଛନ୍ତି। ଯୋଗାଣ ବିଭାଗ ଏହାର ତଦନ୍ତ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।