ଫୁଲବାଣୀ (Santosh Mishra) : ନିଖୋଜ ଯୁବକର ଶବ କୁଅରୁ ଉଦ୍ଧାର ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବୀରେ ଆଜି ସାରଙ୍ଗଡ ଅଂଚଳର ବାହାଡାପଦର ଗାଁର ଲୋକେ ସାରଙ୍ଗଡ ଥାନାକୁ ଘେରାଉ କରିବା ସହିତ ବାଲିଗୁଡା ଫୁଲବାଣୀ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି । ଆଜି ଅପରାହ୍ନରେ ବାହାଡାପଦର ଗ୍ରାମବାସୀଙ୍କ ସମେତ ସାରଙ୍ଗଡ ଅଂଚଳର ଶତାଧିକ ପୁରୁଷ ଓ ମହିଳାମାନେ ଘଟଣାର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ଦେବାକୁ ଦାବୀ କରିଥିଲେ ଫଳରେ ଫୁଲବାଣୀ ବାଲିଗୁଡା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।
ସେମାନେ କହିବା ଅନୁସାରେ ଗତ ୧୪ ତାରିଖରେ ସେମାନଙ୍କ ଗ୍ରାମର ଶରଣପଞ୍ଜର ନାୟକ ନାମକ ଜଣେ ଯୁବକ ଘରୁ ବାହାରି ନିଖୋଜ ହୋଇଥିଲା । ଘର ଲୋକେ ତାକୁ ଖୋଜାଖୋଜି କରିବାପରେ ମଧ୍ୟ ତାର କୌଣସି ଖୋଜ ଖବର ନ ପାଇବାରୁ ପରିବାର ପକ୍ଷରୁ ସାରଙ୍ଗଡ ଥାନାରେ ଯୁବକ ଜଣକ ନିଖୋଜ ଥିବା ନେଇ ଏକ ଅଭିଯୋଗ ହୋଇଥିଲା । ହେଲେ ୧୭ ତାରିଖରେ ସାରଙ୍ଗଡ ଅଂଚଳର ଜଣେ ବ୍ୟକ୍ତିଙ୍କ ବାରି ପଟରେ ଥିବା କୁଅ ଭିତରେ ଗୋଟିଏ ଶବ ଭାସୁଥିବା ଖବର ପାଇ ନିଖୋଜ ଯୁବକର ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେବାପରେ ସେଠାରୁ ଯୁବକର ଶବକୁ ଉଦ୍ଧାର କରାଯାଇଥିଲା ।
ଘଟଣା ପରେ ସେଠାରେ ପୋଲିସ ବିଭାଗର ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ପହଂଚି ତଦନ୍ତ କରିଥିଲେ । ତେବେ ନିଖୋଜ ଥିବା ଯୁବକର ଶବ ପଡିଥିବା କୁଅର ମାଲିକଙ୍କ ପରିବାରର କିଛି ଲୋକଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚୁରା କରି ତାଙ୍କୁ ଛାଡି ଦେଇଥିଲା । ଆଜିସୁଦ୍ଧା ଏହି ସଂକ୍ରାନ୍ତରେ ପୋଲିସ କାହାକୁ ଗିରଫ ନ କରିବାରୁ ଗ୍ରାମବାସୀ ଏହି ପଦକ୍ଷେପ ନେଇଥିବା କହିଛନ୍ତି । ଖବର ପାଇ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରାୱାଲ ସେଠାରେ ପହଂଚିଥିଲେ ।
ଘୁ.ଉଦୟଗିରି ଏସଡିପିଓ ଡିଟିଆର ପଟ୍ଟନାୟକ ଓ ସାରଙ୍ଗଡ ଥାନା ଅଧିକାରୀ ଅନିତା କିଡଡୋ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ସଂନ୍ଧ୍ୟା ପର୍ଯ୍ୟନ୍ତ ଜାରୀ ରହିଥିଲା । ତେବେ ମୃତ ଯୁବକର ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେ ପର୍ଯ୍ୟନ୍ତ ଲୋକଙ୍କୁ ଅପେକ୍ଷା କରିବାକୁ ଆରକ୍ଷୀ ଅଧିକ୍ଷକ ଏବଂ ଅନ୍ୟ ପୋଲିସ ଅଦôକାରୀ ମାନେ ବୁଝାସୁଝା କହିବାପରେ ସଂନ୍ଧ୍ୟାରେ ରାସ୍ତା ଅବରୋଧ ହଟିଥିଲା । ଏହି ଘଟଣାରେ ୬ ଜଣ ଲୋକଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚୁରା କରିବାପରେ ସେମାନଙ୍କଠାରୁ କୌଣସି ତଥ୍ୟ ନପାଇବାରୁ ସେମାନଙ୍କୁ ଛାଡି ଦିଆଯାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବାପରେ ସେହି ଅନୁସାରେ ଘଟଣାର ତଦନ୍ତ କରାଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଘୁ.ଉଦୟଗିରି ଏସ.ଡି.ପି.ଓ ଡିଟିଆର ପଟ୍ଟନାୟକ କହିଛନ୍ତି ।