ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଭାରତୀୟ ସଂସ୍କୃତିରେ ସର୍ବ ପ୍ରଥମେ ବୈଦିକ ଦୁର୍ଗାସୂତରେ ସୂକ୍ଷ୍ମଦୃଷ୍ଟିରେ ଦୁର୍ଗାଙ୍କର ମହିମା ବର୍ଣ୍ଣିତ । ଏହି ଦୁର୍ଗାସୂତ୍ରର ମନ୍ତ୍ର ପଠନ ଦ୍ୱାରା ସମସ୍ତ ଦୁଃଖ ଦୂରୀଭୂତ ହେବାସହ କୁପ୍ରବୃତ୍ତିର ବିନାଶ ହୋଇଥାଏ । ଉପନିଶଦ ମାନଙ୍କରେ ତୈତ୍ତରୀୟ ଆରଣ୍ୟକର ଯାନ୍ତ୍ରିକ ଉପନିଶଦରେ ପ୍ରଥମେ ଦୁର୍ଗାଙ୍କ ଗାୟତ୍ରୀ ମନ୍ତ୍ର ବିଷୟରେ ସୂଚନା ଦିଆଯାଇଛି । ମହଞ୍ଜୋଦାର ଓ ହର୍ପ୍ପାର ପ୍ରତ୍ନତାତ୍ତ୍ୱିକ ଖନନରୁ ମାତୃଶକ୍ତି ଉପାସନା ସମ୍ବନ୍ଧରେ ଯଥେଷ୍ଟ ପ୍ରମାଣ ମିଳିଛି । ବହୁ ପ୍ରସ୍ତର ନିର୍ମିତ ନାରୀମୂର୍ତ୍ତି, ଦେବୀ ମୂର୍ତ୍ତି ଓ ଚକ୍ରାକାର ପ୍ରସ୍ତର ସମୂହରୁ ସେ ସମୟରେ ମାତୃଶକ୍ତି ଉପାସନା ସମ୍ପର୍କରେ ବହୁ ତଥ୍ୟର ଆଭାସ ମିଳେ । ସେହି ଦ୍ରାବିଡ଼ ସଭ୍ୟତାର ଉନ୍ମେଷ ସମୟରେ ପ୍ରାଚୀନ ଓଡ଼ିଶାର ମୁଖ୍ୟତଃ କଳିଙ୍ଗ, ଉକ୍ରଳ ଓ ଉଡ୍ରଦେଶ ପରି ଏହିପରି ତିନିଗୋଟି ଭୂଖଣ୍ଡରେ ବିଭକ୍ତ ଥିଲା ।
ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀରୁ ଦ୍ରାବିଡ଼ ସଭ୍ୟତାର ଉନ୍ମେଷ ସମୟରେ ଓଡ଼ିଶାରେ ପ୍ରାଚୀନ ଶବରିତନ୍ତ୍ର ଅନୁଯାୟୀ ମାତୃଶକ୍ତି ଉପାସନା ଆରମ୍ଭ ହୋଇଥିଲା । କିମ୍ବଦନ୍ତୀରୁ ଜଣାଯାଏ ଯେ ଏହି ଉଡ୍ରଦେଶରେ ଏହି ପ୍ରାଚୀନ ଶବରୀତନ୍ତ୍ର ମତରେ ଶବର ରାଜା ବିଶ୍ୱାବସୁ ନୀଳମାଧବଙ୍କୁ ପୂଜା କରୁଥିଲେ ଓ ଶବରୀ କନ୍ୟା ଲଳିତା ଥିଲେ ତାଙ୍କ ସହାୟିକା । ଶବରୀତନ୍ତ୍ରରେ ଯେଉଁ ପତ୍ରମାଳିନୀ ବନଦେବୀଙ୍କୁ ପ୍ରାଚୀନ ଉକ୍ରଳରେ ଉପାସନା କରାଯାଉଥିଲା ପରବର୍ତ୍ତୀ ପୁରାଣ ଓ ତନ୍ତ୍ର ଯୁଗରେ ସେହି ଦେବୀଙ୍କୁ ବନଦୁର୍ଗାରୂପେ ଉପାସନା କରାଯାଇଥିଲା । ଓଡ଼ିଶାର ପୁରପଲ୍ଲୀରେ ବନଦୁର୍ଗାଙ୍କୁ ପ୍ରସ୍ତର ବା କାଷ୍ଠସ୍ତମ୍ଭରେ ଉପଲବ୍ଧି କରାଯାଇ ସ୍ତମ୍ଭେଶ୍ୱରୀ ରୂପେ ଗ୍ରାମଦେବୀ ଉପାସନା ବହୁଳ ଭାବରେ ପ୍ରଚଳିତ ହୋଇଥିଲା ।
ଯୁଗାବତାର ପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି – ଭଗବତୀ ପୂଜା କରିବା ଅର୍ଥ ନିଜ ମା’ଙ୍କୁ ହିଁ ଉପାସନା କରିବା । ମା’ କେବଳ ପୂଜାର ବେଦୀରେ ଦଶଭୁଜା ପ୍ରତିମା ନୁହଁନ୍ତି, ଘରେ ଘରେ ଜୀବନ୍ତ ଦ୍ୱିଭୁଜା ଜନନୀ । ଘରର ମା’ ଓ ଜଗତର ମା’ଙ୍କର ଏକ ରୂପ । ଦଶଭୁଜା ଅର୍ଥ ହେଉଛି ଦୁଇ ହାତରେ ମା’ ଦଶହାତର କାମ କରନ୍ତି ।
ମା’ଙ୍କର ଦଶହାତରେ ତ୍ରିଶୂଳ, ପାଶ, ପରଶୁ ଓ ଧନୁର୍ବାଣ ଇତ୍ୟାଦି ଦଶ ପ୍ରକାର ଅସ୍ତ୍ର ରହିଛି । ତେଣୁ ମା’ହେଉଛନ୍ତି ଦଶପ୍ରହର ଧାରିଣୀ । ଶ୍ରୀ ଶ୍ରୀ ଠାକୁର କହିଲେ – ଏହି ଅସ୍ତ୍ର ହେଉଛି ମାତୃ ଐଶ୍ୱର୍ଯ୍ୟର ବିଭିନ୍ନ ଶକ୍ତି ଯାହାଦ୍ୱାରା ମା’ ଅସତ୍ ବା ଅସୁରଶକ୍ତିକୁ ପରାଭୂତ ଓ ପ୍ରତିହତ କରନ୍ତି ସ୍ୱୀୟ ସନ୍ତାନକୁ ରକ୍ଷା କରିବା ପାଇଁ । ଶ୍ରୀ ଶ୍ରୀ ଠାକୁର କହିଲେ – ମା’ଦୁର୍ଗତି ନାଶିନୀ ହୋଇ ଦଶପ୍ରହରଣ ଧାରଣ କରି ସନ୍ତାନ ସଂରକ୍ଷଣରେ ନିୟୋଜିତା । ଚଣ୍ଡ, ମୁଣ୍ଡ, ଶୁମ୍ଭ, ନିଶୁମ୍ଭ ଓ ମହିଷାସୁର ପ୍ରଭୃତି ଅସୁରଦଳକୁ ଦମନ କରିଛନ୍ତି ମା’ଦୁର୍ଗା । ଶ୍ରୀ ଶ୍ରୀ ଠାକୁର ବିଜୟା ଉପଲକ୍ଷେ ପ୍ରଦତ୍ତ ବାଣୀରେ କହିଛନ୍ତି – ଏହି ମା’ମୋର ଐଶ୍ୱର୍ଯ୍ୟଶାଳିନୀ, ଦଶପ୍ରହରଣୀ ଯାହାଙ୍କ ପାଖରେ ଅଚୁ୍ୟତ ଆନତି ହିଁ ମୋର ଦୁର୍ଗ, ସେହି ଆନତି ଭିତର ଦେଇ ଯେତେବେଳେ ମା’ଙ୍କ ଚରଣରେ ମୁଁ ଆନତ ହୁଏ ସ୍ୱତଃସମ୍ବିତ ଓ ସକ୍ରିୟତାରେ ସେତେବେଳେ ମା’ମୋର ଦୁର୍ଗତିନାଶିନୀ ଦୁର୍ଗ । ମା’ସିଂହବାହିନୀ । ମହାପରାକ୍ରମୀ ପଶୁରାଜର ପୃଷ୍ଠରେ ମା’ଙ୍କର ଚରଣ ନ୍ୟସ୍ତ, ତାର ଅର୍ଥ ପଶୁଭାବର ଉପରେ ମାତୃଭାବର ପ୍ରତିଷ୍ଠା ।
ଦୁର୍ଗାପୂଜା ଶରତ ଋତୁରେ ପାଳିତ ହୁଏ ବୋଲି ମା’ଦୁର୍ଗାଙ୍କର ଅନ୍ୟ ଏକ ନାମ ଶାରଦା । କିନ୍ତୁ ଶ୍ରୀ ଶ୍ରୀ ଠାକୁର କହିଲେ – ଶାରଦା ବା ଶରତ ଆସିଛି ଶୃ ଧାତୁ ଠାରୁ – ଅର୍ଥ ବଧ ଓ ହିଂସା । ହିଂସାତ୍ମକ ଯାହା କିଛିକୁ ନିହତ କରି ମା’ରକ୍ଷାକୁ ସମ୍ବୁଦ୍ଧକରି ତୋଳନ୍ତି । ସେ ଅସତ୍ ନିରୋଧି ପ୍ରଚଣ୍ଡା । ମା’ଦୁର୍ଗାଙ୍କ ଧ୍ୟାନମନ୍ତ୍ରରେ ମଧ୍ୟ ଅଛି ତାଙ୍କର ଅଷ୍ଟଶକ୍ତିର କଥା – ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଚଣ୍ଡା, ଚଣ୍ଡବତୀ, ଚଣ୍ଡରୂପା ଓ ଅତି ଚଣ୍ଡିକା । ମା’ହେଉଛନ୍ତି ଶିବଙ୍କ ଘରଣୀ – ଶିବାନୀ ଅର୍ଥାତ୍ ମଙ୍ଗଳବିଧାୟିନୀ । ମା’ସବୁ ସନ୍ତାନଙ୍କର ମଙ୍ଗଳ କାମନା କରନ୍ତି । ସମସ୍ତଙ୍କୁ କୋଳରେ ଧରନ୍ତି । ତେଣୁ ତାଙ୍କର ଅନ୍ୟ ନାମ ଜଗଦ୍ଧାତ୍ରୀ । ସେ ବିକ୍ଷୁବ୍ଧତା ଓ ବିଚ୍ଛିନ୍ନତାକୁ ସୁସଂଶ୍ଲିଷ୍ଟ କରିଉଠାନ୍ତି । ତେଣୁ ଦୁର୍ଗାପୂଜା କେବଳ ମାତ୍ର ପୁଷ୍ପବିଲ୍ୱପତ୍ରର ପୂଜା ନୁହେଁ, ଏହା ମାନବତାର ଏକ ବିରାଟ ମିଳନ ଉତ୍ସବ ।
ଶ୍ରୀ ଶ୍ରୀ ଠାକୁର କହିଲେ – ମା’ ଆସିଛନ୍ତି, ପୁତୁଳା ପରି ତାଙ୍କୁ ପୂଜା କଲେ ଆମ୍ଭମାନଙ୍କ ପ୍ରାଣରେ ତାଙ୍କର ପ୍ରତିଷ୍ଠା ହେବନାହିଁ । ସେ ପୂଜା ସମ୍ବର୍ଦ୍ଧନା ଓ ଚାରିତ୍ରିକ ଦୁ୍ୟତି ଆଣିପାରିବ ନାହିଁ । ପୂଜା ସମୟରେ ପ୍ରତିମାରେ ଚକ୍ଷୁଦାନ ଓ ପ୍ରାଣପ୍ରତିଷ୍ଠା କରାହୁଏ । ଶ୍ରୀ ଶ୍ରୀ ଠାକୁର କହିଲେ – ପ୍ରକୃତ ଚକ୍ଷୁଦାନ ହେଉଛି – ମୋର ଚକ୍ଷୁ ତାଙ୍କର ଚକ୍ଷୁରେ ଦାନ କରିବା । ମୋର ଚକ୍ଷୁ ଯେପରି ତାଙ୍କର ଚକ୍ଷୁ ହୋଇଉଠେ । ମା’ବ୍ୟକ୍ତି, ବିଷୟ ଓ ବ୍ୟାପାରକୁ ଯେଭଳି ଭାବରେ ଦେଖିବା ପସନ୍ଦ କରନ୍ତି ଆମ୍ଭେମାନେ ଯେଭଳି ସେହିଭାବରେ ଦେଖିବାରେ ଅଭ୍ୟସ୍ତ ହେବୁ । ଆଉ ପ୍ରାଣ ପ୍ରତିଷ୍ଠା ହେଉଛି ଦେବତାଙ୍କର ଦିବ୍ୟଗୁଣରାଜି ଅନୁଶୀଳନ ଭିତରେ ନିଜ ନିଜ ଚରିତ୍ରରେ ଫୁଟାଇ ଉଠାଇବା । ଗୁରୁପୁରୁଷୋତ୍ତମ ଯେତେବେଳେ ଆର୍ବିଭୂତ ହୁଅନ୍ତି ସେତେବେଳେ ସେ ଦେବତାଙ୍କୁ ଏହି ଭାବରେ ଜୀବନ୍ତ କରି ଉଠାଇବାକୁ ଶିକ୍ଷା ଦିଅନ୍ତି । ଦୁନିଆର ସବୁକିଛି ଓ ସମସ୍ତଙ୍କୁ ନେଇ ମା’ହେଉଛନ୍ତି ମହାମାୟା, ବିଶ୍ୱପ୍ରସବିନୀ ଓ ବିଶ୍ୱ ପରିବ୍ୟାପ୍ତା ।
ତାଙ୍କର ସ୍ତୁତିରେ ତାଙ୍କୁ କ୍ଷମାରୂପେ, ନିଦ୍ରା ରୂପେ, କ୍ଷୁଧାରୂପେ, ତୃଷ୍ଣାରୂପେ, ଶକ୍ତିରୂପେ, ଲଜ୍ଜାରୂପେ, ଶାନ୍ତିରୂପେ ଓ ଶ୍ରଦ୍ଧାରୂପେ ପୂଜା କରାଯାଏ । ପରମା ପ୍ରକୃତି ସେ । ପ୍ରକୃଷ୍ଟ ଭାବେ ଯାହା କରା ହୋଇଅଛି ତାହା ହିଁ ପ୍ରକୃତି । ସପ୍ତମ ଶତାବ୍ଦୀ ବେଳକୁ ପ୍ରାଚୀନ ଓଡ଼ିଶାରେ ମାତୃଶକ୍ତି ପରମ୍ପରାର ବ୍ୟାପକତା ବୃଦ୍ଧି ପାଇଥିଲା । ପୌରାଣିକ ଦୁର୍ଗାଙ୍କୁ “ଶ୍ରୀ ଶ୍ରୀ ଚଣ୍ଡୀ’ ପୁରାଣରେ ଯେଉଁ ସବୁ ରୂପ, ମୂର୍ତ୍ତିକଳ୍ପନା ଓ ଆୟୁଧ ସହିତ ବର୍ଣ୍ଣନା କରାଯାଇଥିଲା, ଭୌମକର ରାଜବଂଶର କୀର୍ତ୍ତିଗୁଡ଼ିକରେ ତାହାକୁ ସର୍ବ ପ୍ରଥମେ ବିଭିନ୍ନ ମନ୍ଦିର ମଧ୍ୟରେ ଓ ମନ୍ଦିର ବାହାରେ ଜୀବନ୍ତ ଭାବରେ ରୂପାୟିତ କରାଯାଇଥିଲା ।
ବାସ୍ତବରେ ତୈତରୀୟ ଉପନିଷଦରେ ବର୍ଣ୍ଣିତ “ଦୁର୍ଗୀ’ କିମ୍ବା “ଶ୍ରୀ ଶ୍ରୀ ଚଣ୍ଡୀ’ରେ ବର୍ଣ୍ଣିତ ଚାମୁଣ୍ଡା, ସପ୍ତମାତୃକା, ନବଦୁର୍ଗା କିମ୍ବା ଶବରୀତନ୍ତ୍ରର “ବନଦୁର୍ଗା’ଙ୍କୁ ଏହି ସପ୍ତମ/ଅଷ୍ଟମ ଶତାବ୍ଦୀରେ ଓଡ଼ିଶାରେ ବିଭିନ୍ନ ଶକ୍ତିପୀଠ, ସହର, ଗ୍ରାମ ପ୍ରଭୃତିରେ ବହୁଳ ଭାବରେ ପ୍ରତିଷ୍ଠା କରାଯାଇଥିଲା । ଶ୍ରୀ ଶ୍ରୀ ଠାକୁର କହିଲେ – ଭାବ ନାହିଁ, ମା’ଙ୍କୁ ବିଜୟା ଦଶମୀରେ ବିସର୍ଜ୍ଜନ ଦେଇଛ, ବରଂ ଭାବ, ଏହି ଦଶଭୁଜା, ଦଶପ୍ରହରଣ ଧାରିଣୀ, ଅସୁରଦଳନୀ ମା’ ତୁମ ଠାରେ ଉତ୍ସୃଜିତ ହୋଇ ଜୀବନ୍ତ ଦୀପ୍ତିରେ ତୁମ ଜୀବନରେ ଜୀବନ୍ତ ହୋଇଉଠିଛନ୍ତି । ବିଜୟା ମା’ଙ୍କର ବିଲୟ ନୁହେଁ, ବିସର୍ଜ୍ଜନମାନେ ହେଉଛି ବିଶେଷ ବିସୃଷ୍ଟି ।