ଚୀନ୍ ଏପରି ଏକ ୱାର୍ ମେଶିନ୍ ତିଆରି କରିଛି ଯେଉଁ୍ଥିରୁ ଏକସଙ୍ଗେ ମାଳମାଳ ଘାତକ ଡ୍ରୋନ୍ ଆକାଶମାର୍ଗକୁ ଝୁଟିଯାଇ ଶତ୍ରୁପକ୍ଷର ସୈନିକମାନଙ୍କୁ ଓ ଟ୍ୟାଙ୍କ୍ଗୁଡ଼ିକୁ ମୁହୂର୍ତ୍ତକ ମଧ୍ୟରେ ବିନାଶ କରିଦେବ । ଏହି ଯନ୍ତ୍ରର ଭିଡିଓ ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଯନ୍ତ୍ରଟିକୁ ଟ୍ରକ୍ ପଛରେ ସ୍ଥାପନ କରାଯାଇଛି । ଆଉ ଏକ ଫୁଟେଜ୍ରେ ଏ ଯନ୍ତ୍ରକୁ ହେଲକପଫର ଯୋଗେ ଅଣାଯାଇ ଠାଏ ରଖାଯାଉଛି । ଦକ୍ଷିଣ ଚୀନ୍ ସାଗରରେ ମିଲିଟାରୀ ଡ୍ରିଲ୍ କରିବା ଭିତରେ ଏହି ୱାର୍ ମେଶିନ୍ର ପରୀକ୍ଷଣ କରାଯାଇଥିଲା । ସପ୍ତାହକ ପୂର୍ବରୁ ଆଉ ଏକ ନୂଆ ଧରଣର ଡ୍ରୋନ୍ର ଭିଡିଓ ଚୀନା ସେନାବାହିନୀ ଜାରି କରିଥିଲା ଯେଉଁଥିରେ ଗ୍ରେନେଡ୍ ଲଞ୍ଚର୍ ଓ ଗୋଟିଏ ଗାଇଡେଡ୍ ମିଶାଇଲ ସିଷ୍ଟମ୍ ଖଞ୍ଜାଯାଇଛି । ଚାଇନା ଏକାଡେମୀ ଅଫ୍ ଇଲେକ୍ଟ୍ରନିକ୍ସ ଆଣ୍ଡ ଇନଫର୍ମେଶନ୍ ଟେକ୍ନୋଲଜି ଦ୍ୱାରା ପ୍ରସ୍ତୁତ ଭିଡିଓ ଶୋ’ରେ ପୂର୍ବୋକ୍ତ ୱାର୍ ମେଶିନ୍ର ସାମର୍ଥ୍ୟ ପ୍ରଦର୍ଶନ କରାଯାଇଛି । ଟ୍ରକ୍ ପଛରେ ଥିବା ମେଶିନରୁ ଏକାବେଳକେ ୪୮ଟି ଡ୍ରୋନ୍ ବିଜୁଳି ବେଗରେ ଆକାଶକୁ ଛୁଟିଯାଉଛି । ପ୍ରତ୍ୟେକ ଡ୍ରୋନ୍ରେ ଶକ୍ତିଶାଳୀ ବିସ୍ପୋରକ ରହିଛି । ଏହି ଡ୍ରୋନ୍ ଟାର୍ଗେଟ୍କୁ ଖୋଜି ଧ୍ୱଂସ କରିବାକୁ ସକ୍ଷମ । ଆକାଶରେ ଏହା ୪୦ ମିନିଟ ପର୍ଯ୍ୟନ୍ତ ରହିପାରିବ ।