Odisha news

ଘରେଘରେ ବଣ୍ଟାହେବ ମାସ୍କ, ସାନିଟାଇଜର ଓ ଚାରାଗଛ : ଡିଷ୍ଟ୍ରିକ୍ଟ ସେଣ୍ଟର ଓ ନର୍ସ ଆସୋସିଏସନର ନିରାଡମ୍ବର ଦୂର୍ଗାପୂଜା

0

ଭୁବନେଶ୍ୱର : କରୋନା ମହାମାରୀ ଭୟାବହତା ଭିତରେ ଏଶନ ଦୁର୍ଗାପୂଜା ଫିକା ପଡି ଯାଇଛି । ସରକାରଙ୍କ ପକ୍ଷରୁ ପୂଜା ପାଇଁ ସ୍ୱତନ୍ତ୍ର କୋଭିଡ ନିୟମ ଜାରିକରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ପକ୍ଷରୁ ଏଥର ନିରାଡମ୍ବର ପୂଜା ପାଳନ କରାଯିବ । ଘରେ ଘରେ ମାସ୍କ, ସାନିଟାଇଜର ଓ ଚାରାଗଛ ବଣ୍ଟନ କରାଯିବା ସହ କରୋନା ସଚେତନତା ବାର୍ତ୍ତା ବଣ୍ଟାଯିବ, ପ୍ଲାଷ୍ଟିକ ଓ ରାସାୟନିକ ରଙ୍ଗ ବ୍ୟବହାର କରାଯିବ ନାହିଁ ବୋଲି ଆଜି ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ୍ କମୁ୍ୟନିଟି ହଲ୍ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି ।

୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଏଥର ୧୩ ତମ ବର୍ଷରେ ପଦାର୍ପଣ କରିଛି । ମୁସଲମାନଙ୍କ ଘରୁ ଶୁଭପାଣି କଳସ ବାହାରି ମାଁଙ୍କ ମୃଣ୍ମୟ ମୂର୍ତ୍ତିପାଇଁ କୁଆଖାଇ ନଦୀ ପଠାରୁ ମାଟି ସଂଗ୍ରହ କରାଯାଇଥାଏ । ହିନ୍ଦୁ, ମୁସ୍ଲିମ୍, ଖ୍ରୀଷ୍ଟିଆନ ଆଦି ଧର୍ମର ଲୋକମାନେ ଏଠାରେ ଯୋଗଦାନ କରୁଥିବାରୁ ଏହାକୁ ସର୍ବଧର୍ମୀ ପୂଜା କୁହାଯାଏ । ଏଠିକାର ଭାଇଚାରା ସବୁଠାରୁ ନିଆରା ।

ସବୁ ରଙ୍ଗର ଲାଇଟ ସାଙ୍ଗକୁ ସବୁ ଧର୍ମକୁ ସୂଚିତ କଲାଭଳି ତୋରଣ ମଧ୍ୟ ତିଆରି କରାଯାଇଥାଏ । କିନ୍ତୁ ଏଥର କୋଭିଡ୍ ନିୟମକୁ ପାଳନ କରି ପୂଜା ଅନୁଷ୍ଠିତ ହେବ । ଚାନ୍ଦା ଭେଦା ଆଦାୟ କରାଯିବ ନାହିଁ । ପୂଜା ମଣ୍ଡପକୁ ଆବରଣ କରି ରଖାଯିବ । ସ୍ୱଳ୍ପ କେତେଜଣ କର୍ମକର୍ତ୍ତାଙ୍କୁ ନେଇ ମାଙ୍କ ପୂଜା ବିଧି ମୁତାବକ ଷଷ୍ଠିରୁ ଦଶମୀ ଯାଏ ପାଳନ କରାଯିବ ବୋଲି ସଂପାଦକ ସରୋଜ ମଲ୍ଲିକ କହିଛନ୍ତି । କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ମାସ୍କ ଓ ସାନିଟାଇଜର ଘରେ ଘରେ ବଣ୍ଟନ କରାଯିବା ସହିତ ଲୋକମାନଙ୍କୁ କରୋନା ସଚେତନତା ବାର୍ତ୍ତା ଲିଫ୍ଲେଟ ମାଧ୍ୟମରେ ବଣ୍ଟାଯିବ ।

ପରିବେଶ ପ୍ରଦୂଷଣ ସନ୍ତୁଳିତ ରଖିବା ପାଇଁ ସମସ୍ତଙ୍କୁ ଗୋଟେ ଗୋଟେ ଚାରାଗଛ ଦିଆଯିବ । ଏବଂ ତାକୁ ବଞ୍ଚାଇ ବଡ କରିବା ପାଇଁ ନିବେଦନ
କରାଯିବ । ଯଥାବିଧି ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହେବ । ମାଙ୍କୁ କୃତ୍ରିମ ପୁଷ୍କରଣୀରେ ବିସର୍ଜନ କରାଯିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ସମସ୍ତେ ନିଜନିଜ ଘରେ କଳସ ବସାଇ ପୂଜାର୍ଚ୍ଚନା କରିବା ପାଇଁ ଆସୋସିଏସନ୍ ପକ୍ଷରୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆସୋସିଏସନର ଉପଦେଷ୍ଟା ଦାମୋଦର ପ୍ରଧାନୀ, ସଭାପତି ପ୍ରକାଶ ଚନ୍ଦ୍ର ବିଜୁଳୀ, ଉପସଭାପତି ଖଗେଶ୍ୱର ଖଣ୍ଡାୟତରାୟ, ସହ ସମ୍ପାଦକ ଜଗବନ୍ଧୁ ବେହେରା, କୋଷାଧ୍ୟକ୍ଷ ଅଭୟ କୁମାର ନାୟକ ଓ କର୍ତ୍ତା ରମେଶ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply