(ଯଦୁମଣି ପାଣିଗ୍ରାହୀ ) : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନର ଦିନ ପାଖେଇ ଆସୁଥିବା କାରଣରୁ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଦଳୀୟ ରଣନୀତିକୁ ଯେତିକି ଯୋରଦାର କରାଯାଇଛି ଭୋଟରଙ୍କ ଉକ୍ରଣ୍ଠା ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି । କେବଳ ସେତିକି ନୁହେଁ ରାଜନୈତିକ ଦୃଷ୍ଟିକୋଣରୁ ଏହି ଦୁଇଟି ଉପ ନିର୍ବାଚନର ଫଳାଫଳ ଉଭୟ ବିଜେଡି ଓ ବିଜେପି ଲାଗି ବେଶ ଗୁରୁତ୍ୱପୁର୍ଣ୍ଣ ହୋଇଥିବାରୁ ସାରା ଓଡିଶାବାସୀଙ୍କ ନଜର ଏବେ ଏହି ଦୁଇ ନିର୍ବାଚନମଣ୍ଡଳୀ ଉପରେ ହିଁ କେନ୍ଦ୍ରୀଭୂତ ହୋଇଛି ।
ସଂପ୍ରତି ରାଜ୍ୟରେ କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଆଇନଶୃଙ୍ଖଳା ପରିସ୍ଥିତିରେ ଚରମ ଅଧପତନକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହେବା ଭଳି ପରିସ୍ଥିତିରେ ରହିଥିବା ତଥା କେହି କାହାରିକୁ ଛାଡିବା ଭଳି ପରିସ୍ଥିତିରେ ନଥିବା ବେଳେ ଏହି ଦୁଇଟି ଉପନିର୍ବାଚନର ଫଳାଫଳକୁ ନିଜ ନିଜ ସପକ୍ଷରେ ନେବାକୁ ସବୁମତେ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ରଣନୀତି ପ୍ରସ୍ତୁତରେ ବିଜେଡି ଡାଳେ ଡାଳେ ଯିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ପତ୍ରେ ପତ୍ରେ ଯିବାକୁ ପ୍ରଚେଷ୍ଟା ଜାରି ରଖିଛି ।
ପରିଣାମ ସ୍ୱରୂପ ବାଲେଶ୍ୱର ସଦର ଲାଗି ପ୍ରାର୍ଥୀ ଚୟନରେ ବିଜେଡି ନିଜ ଦଳ ଭିତରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳକୁ ଏଡାଇବାକୁ ଯାଇ ସଂପୂର୍ଣ୍ଣ ଭାବେ ନୂଆ ମୁହଁ କୁହାଯାଉଥିବା ସ୍ୱରୂପ ଦାସଙ୍କୁ ଦଳୀୟ ଟିକେଟ ଦେଇଥିବା ବେଳେ ବିଜେପି ଅନୁକମ୍ପା ମୂଳକ ଭୋଟ ହାତେଇବା ଲକ୍ଷ୍ୟରେ ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ଟିକେଟ ଦେଇ ନିଜ ବୁଦ୍ଧିମତ୍ତାର ପରିଚୟ ଦେଇଛି ବୋଲି କୁହାଯାଇ ପାରିବ । ଅନ୍ୟପକ୍ଷେ ତିର୍ତ୍ତୋଲ ଲାଗି ବିଜେଡି ମଧ୍ୟ ବିଜେପିର ନୀତିକୁ ଆପଣାଇବାକୁ ସ୍ୱର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କରଙ୍କୁ ଟିକେଟ ଦେଇ ସେଠାରେ ଅନୁକମ୍ପା ମୂଳକ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି । ସେହିପରି ବିଜେପି ସେଠାରେ ନିକଟରେ କଂଗ୍ରେସରୁ ଆସି ଦଳରେ ଯୋଗ ଦେଇଥିବା ରାଜକିଶୋର ବେହେରାଙ୍କୁ ଟିକେଟ ଦେଇ ଭିନ୍ନ ରଣନୀତି ଆପଣାଇଥିବା କୁହାଯାଉଛି ।
ତେବେ ଦଳୀୟ ଟିକେଟ ପ୍ରଦାନ ପରେ ବାଲେଶ୍ୱର ସଦରରେ ମାନସଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କୌଣସି ପ୍ରତିକ୍ରିୟା ସୃଷ୍ଟି ହୋଇନଥିବା ବେଳେ ବିଜେଡିରେ କିନ୍ତୁ ସ୍ୱରୂପ ଦାସଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯାହାକି ଆଗାମୀ ନିର୍ବାଚନରେ ଏହା ପ୍ରତିଫଳିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପକ୍ଷେ ତିର୍ତ୍ତୋଲରେ କଂଗ୍ରେସରୁ ଆସି ବିଜେପି ଟିକେଟରେ ନିର୍ବାଚନ ଲଢିବାକୁ ଯାଉଥିବା ଶ୍ରୀ ବେହେରାଙ୍କ ପ୍ରାର୍ଥୀତ୍ୱକୁ ବିଜେପିର କାର୍ଯ୍ୟକର୍ତ୍ତା ମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ଯାହାର ପରିଣାମ ସ୍ୱରୂପ ଗତ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ଦଳ ଛାଡିବାକୁ ବାଧ୍ୟ ହୋଇଛନ୍ତି ।
ଆଗାମୀ ନିର୍ବାଚନରେ ଏହାର ପ୍ରଭାବ ପଡିବାର ଆଶଙ୍କାକୁ ବି ଏଡାଇ ଦିଆଯାଇ ନପାରେ । ତେବେ ସେ ଯାହା ହେଉ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଖେଳା ଯାଇଥିବା ଅନୁକମ୍ପା କାର୍ଡ କାମ ଦେଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ଆଶାପୋଷଣ କରିଛନ୍ତି । ଉଭୟ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଯୋରଦାର କରାଯାଇଥିବା ବେଳେ ଭୋଟର କାହାକୁ ଗ୍ରହଣ କରିବେ ଓ କାହାକୁ ପ୍ରତ୍ୟାଖାନ କରିବେ ତାହା ଏବେଠୁଁ କହିବା ସମ୍ଭବ ନୁହେଁ ।