Odisha news

ଗଞ୍ଜେଇ ଚାଲାଣର ଚରାଭୂଇଁ ପାଲଟିଛି ରାୟଗଡା ଜିଲ୍ଲା

0

ରାୟଗଡା,୭ ।୧୦ : ରାୟଗଡା ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଯାଇଛି । ମାଲକାନଗିରି,କୋରାପୁଟ ଭଳି ସୀମାନ୍ତ ଜିଲ୍ଲା ହେଉ ବା ଚନ୍ଦ୍ରପୁର, ପଦ୍ମପୁର ଏବଂ ଗୁଡାରୀ ଭଳି ଦୁର୍ଗମ ଇଲାକାର ଉତ୍ପାଦିତ ଗଞ୍ଜେଇ ଚୋରାଚାଲାଣର କରିଡର ପାଲିଟି ଯାଇଛି ରାୟଗଡା ଜିଲ୍ଲା । ଯାହା କି ଗତ ୨୦ ଦିନ ମଧ୍ୟରେ ପ୍ରାୟ ୨୩ ଶହ କେ.ଜି ଗଞ୍ଜେଇ ବିଭିନ୍ନ ସ୍ଥାନରୁ ପୁଲିସ ଦ୍ୱାରା ଜବତ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ଆଜି ଏକ ସୂଚନା ପାଇ ପଦ୍ମପୁର ଥାନା ପୋଲିସ ପୁସିଗୁଡା ଜଙ୍ଗଲ ଭିତରେ ଚଢାଉ କରିଥିଲା ।

ସମିର ସିଂ ନାମକ ଜଣେ ଅଭିଯୁକ୍ତ ୧୫୮ କେ.ଜି ୪୮୦ ଗ୍ରାମ ଗଞ୍ଜେଇକୁ ପଲିଥିନ ବ୍ୟାଗରେ ଭର୍ତି କରୁଥିବା ବେଳେ ପୁଲିସ ଜବତ କରିଥିଲା । ସେହି ପରି ଅକ୍ଟୋବର ୩ ତାରିଖରେ ୪୯୮ କେ.ଜି ଗଞ୍ଜେଇ ଚନ୍ଦ୍ରପୁର ଥାନା ଅଞ୍ଚଳରୁ ରାୟପୁରକୁ ଚାଲାଣ ହେଉଥିବା ସମୟରେ ମୁନିଗୁଡା ପୋଲିସ ଜବତ କରିଥିଲା । ସେହିପରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବାରେ ରାୟଗଡା ପୋଲିସ ସକ୍ଷମ ହୋଇଥିଲା ।

ଡିଜେଲ ଟ୍ୟାଙ୍କର ଭିତରେ ଅଭିନବ ଉପାୟରେ ଗଞ୍ଜେଇ ନେଇ ଯାଉଥିବା ବେଳେ ସଦର ମହକୁମା ଥାନା ଠାରୁ ମାତ୍ର ୫ କି.ମି ଦୂର ପିତାମହଲ ନିକଟରୁ ଆଂଚଳିକ ପରିବହନ ବିଭାଗ ଆବଶ୍ୟକୀୟ କାଗଜପତ୍ର ନଥିବା ଅଭିଯାଗରେ ଟ୍ୟାଙ୍କରକୁ ଜବତ କରିଥିଲା । ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ସଦୃଶ୍ୟ ଟ୍ୟାଙ୍କରରୁ ୧୬ ଶହ ୧୮ କେ.ଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଟ୍ୟାଙ୍କର ଡ୍ରାଇଭର ଶିବ ଶଙ୍କର ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ରୁ ମାର୍ଚ୍ଚ ମାସ ମଧ୍ୟରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ଲକ୍ଷ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି ଯାହାର ବଜାର ମୂଲ୍ୟ କୋଟି କୋଟି ଟଙ୍କା ହେବା ବୋଲି ଜଣାପଡିଛି । ବିପୁଳ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯାଉଥିଲେ ମଧ୍ୟ କିପରି ରାୟଗଡା ଜିଲ୍ଲାରୁ ଆହୁରି ଗଞ୍ଜେଇ ଚୋରାଚାଲାଣ କରାଯାଉଛି ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply