ସୋର-୨୭/୦୯: ସୋର ଥାନା ଅଧୀନ ସାଜନପୁର ପଞ୍ଚାୟତ କସବା ଗ୍ରାମରେ ଆଜି ପୁଲିସ ଜଣେ ନବବିବାହିତା ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଶ୍ୱଶୁର ଘର ଲୋକ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପ ଘର ପକ୍ଷରୁ ଝିଅକୁ ମାରି ଦିଆଯାଇଥିବା ପୁଲିସରେ ଅଭିଯୋଗ କରିଛନ୍ତିି ।
ଗୁଡ୍ ଗ୍ରାମର ଉପେନ୍ଦ୍ର ବେହେରାଙ୍କ ଝିଅ ଶୁଭ୍ରଶ୍ୱେତପଦ୍ମା(୨୭)ଙ୍କ ସହ କସବା ଗ୍ରାମର ରାକେଶଙ୍କ ସହ ୭ ମାସ ତଳେ ପ୍ରେମ ବିବାହ ହୋଇଥିଲା । ରାକେଶ ଏବେ ପ୍ରତିରକ୍ଷା ବିଭାଗରେ ଯବାନ୍ ଭାବେ କାର୍ଯ୍ୟସ୍ଥଳରେ ଥିବା ବେଳେ ଶଶୁର ଘର ପକ୍ଷରୁ ତାଙ୍କୁ ଅଧିକ ଯୈାତୁକ ଦାବିରେ ମାନସିକ ଯନ୍ତ୍ରଣା ଦିଆଯାଉଥିଲା । ଗତକାଲି ରାତିରେ ଶ୍ୱେତପଦ୍ମା ଖାଇପିଇ ଶୋଇଥିବା ବେଳେ ଆଜି ସକାଳେ ପରିବାର ଲୋକେ ତାଙ୍କୁ ଶୋଇବା ଘରେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ ।
ସୋର ଥାନା ଭାରପ୍ରାପ୍ତ ଅଧିକାରିଣୀ ମଧୁମିତା ମହାନ୍ତିଙ୍କ ସହ ଏସ୍ଆଇ ସଚିଦାନନ୍ଦ ଗିରି ଓ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସୋର ଅତିରିକ୍ତ ତହସିଲଦାର ଲିପ୍ସା ରାୟ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କରି କେସ୍ ନଂ ୩୧୧/୨୦ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରୁଛି । ଅପରପକ୍ଷେ ତାଙ୍କ ଝିଅକୁ ଶଶୁର ଘର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ଶ୍ୱେତପଦ୍ମାର ମାଆ ମନୋରମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଶ୍ୱେତପଦ୍ମାଙ୍କ ଶ୍ୱଶୁର ରଘୁନାଥଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
