Odisha news

ଧାର ଟଙ୍କା ନଫେରାଇ ଜୀବନରେ ମାରି ଦେବାକୁ ଧମକ : ରଘୁପୁର ସରପଞ୍ଚଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ

0

ବେତନଟୀ, ୨୬/୯ : ବୈଶିଙ୍ଗା ଥାନା ଅଧୀନ ବଡଗୋପାଲପୁରର ପ୍ରଫୁଲ୍ଲ ପାଣିଗ୍ରାହୀଙ୍କ ପୁଅ ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କ ପାଖରୁ ରଘୁପୁର ସରପଞ୍ଚ ଶତ୍ରୁଘ୍ନ ସିଂ ଅସୁବିଧା ଦର୍ଶାଇ ଗତ ୩୧ ନଭେମ୍ବର ୨୦୧୯ରେ ଏକ ଲକ୍ଷ ଟଙ୍କା ନେଇ ଥିଲେ । ଏଥି ପାଇଁ ଏକ ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇ ଥିଲା ଓ ଶତ୍ରୁଘ୍ନ ଦୁଇ ମାସ ମଧ୍ୟରେ ଟଙ୍କା ଫେରାଇ ଦେବେ ବୋଲି ଚୁକ୍ତି କରି ଥିଲେ । ହେଲେ ଚନ୍ଦ୍ରହାସ୍ୟ ଏହି ଟଙ୍କା ମାଗିବାରୁ ଶତ୍ରୁଘ୍ନ ଓ ଅନ୍ୟମାନେ ମିଶି ଚନ୍ଦ୍ରହାସ୍ୟଙ୍କୁ ଗାଳି ଗୁଲଜ କରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇ ଥିବାର ଜଣା ପଡିଛି ।

ଘଟଣା ବାବଦରେ ଚନ୍ଦ୍ରହାସ୍ୟ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଦଫା ୩୪୧, ୨୯୪, ୫୦୬, ୩୪ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ମାମଲା ନମ୍ବର ୨୨୭/୨୦୨୦ ରୁଜୁ କରି ଏସଆଇ ଲକ୍ଷ୍ମଣ ମୁର୍ମୁଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି । ଏହି ମାମଲାରେ ରଘୁପୁର ସରପଞ୍ଚ ଠାକୁରତୋଟାର ହରେକୃଷ୍ଣ ସିଂଙ୍କ ପୁଅ ଶତ୍ରୁଘ୍ନ ସିଂ, ଶତ୍ରୁଘ୍ନ ସିଂଙ୍କ ପୁଅ ଅଲେଖ ସିଂ, ଦିଗାନଗରର ପ୍ରସାଦ ନାୟକଙ୍କ ପୁଅ ଦୟାନିଧି ନାୟକ, ରଘୁପୁରର ଜଗନ୍ନାଥ ବିନ୍ଧାଣୀଙ୍କ ପୁଅ ପ୍ରଦୀପ ବିନ୍ଧାଣୀ, ଖୁଣ୍ଟାପୁରର ବୈକୁଣ୍ଠ ନାଥଙ୍କ ପୁଅ ଜିତେନ୍ଦ୍ର ନାଥ, ଶଙ୍କରୁ ନାଥଙ୍କ ପୁଅ ବୈକୁଣ୍ଠ ନାଥଙ୍କୁ ଅଭିଯୁକ୍ତ କରା ଯାଇ ଥିବାର ଜଣା ପଡିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply