Odisha news

କରୋନା କଟକଣା, ଦଶହରା ଓ ମୂର୍ତ୍ତି ଉଚ୍ଚତା ବିବାଦ !

0

ହିମାଂଶୁ ଶେଖର ଆଚାର୍ଯ୍ୟ : କରୋନା କରୁଛି କଲବଲ । ଅସ୍ତବ୍ୟସ୍ତ ହେଉଛି ଜୀବନ । ଜୀବନ ପାଇଁ ଚାଲିଛି ବିଶ୍ୱବ୍ୟାପି ସଂଘର୍ଷ ଏହି ମହାମାରୀ ପାଇଁ କୈାଣସି ଟୀକା ବା ପ୍ରତିଷେଧକ ବାହାରିପାରିନଥିବାରୁ ଲକ୍ଡାଉନ ଓ ସଟ୍ଡାଉନ୍ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହିତ ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ସୁରକ୍ଷା କବଚ ରୂପେ ସବୁ ଦେଶ ଗ୍ରହଣ କରିଛନ୍ତି ।ଆମ ଦେଶରେ ମଧ୍ୟ ଅନୁରୂପ ଅବସ୍ଥା ।

ଦିନକୁ ଦିନ କରୋନା ଜନିତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ନିକଟରେ ଏଥିରୁ ତ୍ରାହି ମିଳିବାର କୈ÷ାଣସି ବାଟ ଦେଖାଯାଉନି ।ଏହି ମହାମାରୀର ପ୍ରତିକୂଳ ପ୍ରଭାବ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର, ଶିଳ୍ପ, କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ସ୍ପଷ୍ଟ ବାରି ହୋଇପଡିଛି ।ଖାଲି ସେତିକି ନୁହେଁ, କରୋନାର ପ୍ରଭାବ ଯୋଗୁଁ ପର୍ବପର୍ବାଣିର ଚମକ ହଜିଯାଉଛି । ବିଶେଷକରି ବାର ମାସରେ ତେର ପର୍ବ ପାଳନ ହେଉଥିବା ଆମ ରାଜ୍ୟରେ ବିଭିନ୍ନ ପର୍ବପର୍ବାଣି କରୋନା କଟକଣା ଭିତରେ ଲୋକମାନଙ୍କ ଠାରୁ ଖୁସି ଛଡାଇନେଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଗଣେଶ ପୂଜାରୁ ଓଡିଆ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳୀ ଯାଏ ଲମ୍ବିଥାଏ । ଏବର୍ଷ କିନ୍ତୁ ଗଣେଶ ପୂଜାରେ କେଉଁଠି ଆନନ୍ଦ-ଉଲ୍ଲାସ ନଥିଲା । ଚାରିଆଡେ ଥିଲା ଖାଁ ଖାଁ ପରିବେଶ ।ସତେ ଯେମିତି କୈାଣସି ଏକ ଅଜଣା ଭୟ ଘାରିରହିଛି ସମସ୍ତଙ୍କୁ ।ମଉଜ-ମଜଲିସ୍, ହସ-ଖୁସି,ଆନନ୍ଦ-ଉଲ୍ଲାସ ଛଡାଇ ନେଇଛି ଏକ ଅଜଣା ଆତଙ୍କ ।ଜୀବନ ପାଖରେ ଏସବୁ ବଳି ପଡିଛି । ଚଳିତ ବର୍ଷ କରୋନା ସଙ୍କ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାର୍ବଣ ଉପରେ ଲଗାଇଛନ୍ତି ରୋକ୍ । ଯାହାଫଳରେ ପର୍ବପର୍ବାଣି ପାଳନ ଉପରେ ଏହାର ପ୍ରଭାବ ବେଶ ବାରିହୋଇପଡୁଛି ।

ବିଗତ ଦିନରେ ରଙ୍ଗର ପର୍ବ ହୋଲି ଠାରୁ ଆରମ୍ଭ ହୋଇଛି ଏହି କଟକଣା ।ଏଥିସହିତ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ୍ , ଗୁରୁଦିବସ ମଧ୍ୟ ଏଥିରୁ ବାଦ୍ ପଡିନଥିଲା ।ଏପରିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କରୋନା କଟକଣାରୁ ମୁକ୍ତ ହୋଇପାରିନଥିଲା । ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଫଳରେ ସମ୍ପୂର୍ଣ୍ଣ କଟକଣା ଭିତରେ ବିନା ଭକ୍ତରେ ଶେଷ ହୋଇଥିଲା ଜଗାକାଳିଆର ଘୋଷଯାତ୍ରା । ଆଗକୁ ଦୁର୍ଗା ପୂଜା ଆସୁଛି । କଟକ, ଭୁବନେଶ୍ୱର ଠାରୁ ଆରମ୍ଭ କରି ସମଗ୍ର ରାଜ୍ୟର ପୁରପଲ୍ଲୀରେ ଏହା ପାଳିତ ହୋଇଥାଏ । କିନ୍ତୁ କଟକ ଦଶହରା ଓ ଦୁର୍ଗାପୂଜାର ମଜା ନିଆରା ସାରା ରାଜ୍ୟରେ କଟକରେ ଦୁର୍ଗାପୂଜାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ।

ଚଳିତ ବର୍ଷ କରୋନା ମହାମାରୀ ସବୁକିଛି ଓଲଟପାଲଟ କରିଦେଇଛି । ବର୍ତ୍ତମାନ ଦୁର୍ଗା ପୂଜା ପାଇଁ ମୂର୍ତ୍ତି ଗଠନ କାର୍ଯ୍ୟ ଜାରି ରହିଛି । କରୋନାର ଅମାନିଆ ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା, କାଳୀପୂଜା ଏବଂ ଲକ୍ଷ୍ମୀପୂଜା ପାଇଁ କଡା ଗାଇଡ୍ଲାଇନ୍ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ମୂର୍ତ୍ତିର ଉଚ୍ଚତା ୪ ଫୁଟ ରହିବା । ଏପରିକି ଏ ପ୍ରସଙ୍ଗକୁ ଅଦାଲତ ପର୍ଯ୍ୟନ୍ତ ନିଆଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ପୂର୍ବ ପରି ୪ ଫୁଟରେ ରହିବ ବୋଲି ସ୍ଥିର କରାଯାଇଛି ।

କଟକ ଦଶହରାରେ ମୂର୍ତ୍ତିର ୪ଫୁଟ ଉଚ୍ଚତା ନିର୍ଦ୍ଧାରଣ ପ୍ରସଙ୍ଗ ପୁଣି ହାଇକୋର୍ଟରେ ପହଞ୍ଚିଛି । ଏ ନେଇ ବାଲୁ ବଜାର ପ୍ୟଜା କମିଟି, ଫିରିଙ୍ଗିବଜାର ପୂଜା କମିଟି ଓ ଉପରତେଲେଙ୍ଗା ବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ଦଶହରା ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଅଗଷ୍ଟ ୩୧ ଯେଉଁ ରାୟ ପ୍ରଦାନ କରିଥିଲେ ତାହାର ଉଲ୍ଲଂଘନ କରି ମୂର୍ତ୍ତି ଛୋଟ କରିବାପାଇଁ ନିୟମାବଳୀ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ ୩୧ରେ ହାଇକୋର୍ଟ ବିନା ଭକ୍ତରେ କୋଭିଡ ନିୟମାବଳୀ ମାନି, ମାସ୍କ ପିନ୍ଧି ସାନିଟାଇଜର ବ୍ୟବହାର କରି ମଣ୍ଡପ ଭିତରେ ଦୁର୍ଗାପ୍ୟଜା ଆୟୋଜନ ପାଇଁ କହିଥିଲେ । ଏହି ରାୟରେ ମୂର୍ତ୍ତିର ଉଚ୍ଚତା ନିର୍ଦ୍ଧାରଣ ନେଇ କିଛି ବି କୁହାଯାଇନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସରକାର ନିୟମାବଳୀ ଜାରି କରି ମୂର୍ତ୍ତି ର ଉଚ୍ଚତା ୪ଫୁଟରୁ ଅଧିକ ହେବ ନାହିଁ ବୋଲି କହିଥିଲେ ।

ଏହା ହାଇକୋର୍ଟ ରାୟର ଉଲ୍ଲଂଘନ ବୋଲି ଆବେଦନରେ ଦର୍ଶାଯାଇଛି । ସେହିଭଳି ଆହୁରି ଅନ୍ୟାନ୍ୟ କଟକଣା ସବୁ ରହିଛି । ମୁଖ୍ୟ ପୁଜକଙ୍କ ସମେତ ସାତ ଜଣ ରହିବେ ମଣ୍ଡପରେ । ଜାକଜକମରେ ସାଜସଜ୍ଜା, ତୋରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମନା । ଭଷାଣି ଶୋଭାଯାତ୍ରା ଉପରେ ମଧ୍ୟ ଲାଗିଛି ଲଗାମ । ଏସବୁ ନିୟମର ଖିଲାପ ହେଲେ କଡାକାର୍ଯାନୁଷ୍ଠାନ ହେବ ବୋଲି ସରକାର ଚେତାଇ ଦେଇଛନ୍ତି । କେବଳ ସରକାରୀ ଚାକିରିଆଙ୍କୁ ଛାଡିଦେଲେ ଅନ୍ୟମାନେ ପର୍ବପର୍ବାଣୀ ଏବଂ ଉସôବକୁ ଅପେକ୍ଷା କରିଥାନ୍ତି ରୋଜଗାର ଆଶାରେ । ଆଉ ଲୋକଙ୍କ ମନରେ ଥାଏ ଉସôାହ ଓ ଉଦ୍ଦୀପନା । ଲୋକେ ପର୍ବପର୍ବାଣୀକୁ ଉପଭୋଗ କରନ୍ତି । ପୋଷାକ ପତ୍ର ଠାରୁ ଆରମ୍ଭ କରି ଗାଡି, ଘୋଡା, ଟିଭି, ଫ୍ରିଜ୍ ଏପରି ସୈାଖିନ ଜିନିଷ କିଣିଥାନ୍ତି ଏହି ସମୟରେ ।

ତେଣୁ ବ୍ୟବସାୟୀ ମାନେ ମଧ୍ୟ ଏହି ମୈାକାକୁ ଅପେକ୍ଷା କରିଥାନ୍ତି । ମୂର୍ତ୍ତି ଶିଳ୍ପୀ, ଟେଣ୍ଟହାଉସ୍, ତୋରଣ ନିର୍ମାଣ କରୁଥିବା କାରିଗର ଏବଂ ମେଲୋଡି କଳାକାରଙ୍କ ପାଇଁ ମଧ୍ୟ ପାର୍ବଣର ଏହି ସମୟ ଖୁବ୍ ଲାଭଦାୟୀ ହୋଇଥାଏ । ଏହି ସମୟରେ ବେଶ୍ ଦୁଇ ପଇସା ରୋଜଗାର କରନ୍ତି ସେମାନେ । କିନ୍ତୁ ଚଳିତ ବର୍ଷ କଟକଣା ଯୋଗୁଁ ଏସବୁ ଫିକା ପଡିଯାଇଛି । ମନ ମରିଯାଇଛି । ଛୋଟବଡ ସବୁ ବ୍ୟବସାୟୀ ମାନଙ୍କର । ମୂର୍ତ୍ତି ଶିଳ୍ପୀ ମାନେ ଗଣେଷ ପୂଜାରେ ହତାଶ ହେବା ପରେ ଦୁର୍ଗାପୂଜାକୁ ଅପେକ୍ଷା କରିଥିଲେ । କିନ୍ତୁ ତାହା ସବୁ ଆଶାରେ ରହିଗଲା । ମୂର୍ତ୍ତିର ଉଚ୍ଚତା କମିଗଲେ ସେମାନଙ୍କ ପାଉଣାତ କମିଯିବ ଏଥିସହିତ ତେଣୁ ଏହା ଜୀବନ ଜୀବିକା ପାଇଁ ଶକ୍ତ ଆଘାତ ହେବ । ଯାହା ଫଳରେ ସେମାନେ ଆର୍ଥିକ ଦୂରବସ୍ଥାର ସମ୍ମୁଖୀନ ହୋବା ସମ୍ଭାବନା ଅଧିକ ।

ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି । ଉକ୍ରଳୀୟ ପରମ୍ପରାରେ ବାରମାସରେ ତେର ପର୍ବ ପାଳନ କରାଯାଏ । ଓଡିଶାର ପର୍ବପର୍ବାଣୀ ବିଭିନ୍ନ ପରମ୍ପରାର ପ୍ରତିନିଧିତ୍ୱ କରିଥାଏ ।କେତେକ ପର୍ବ କୃଷି ଭିତିକ ହୋଇଥିବା ବେଳେ ଆଉ କେତେକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ପାଳନ କରାଯାଇଥାଏ । ଏହି ସବୁ ପର୍ବ ଲୋକମାନଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତ୍ତାବରଣ ସୃଷ୍ଟି କରିଥାଏ । ସେହିପରି ସାହି-ସାହି ଓ ବସ୍ତି-ବସ୍ତି ମଧ୍ୟରେ ଏହା ସୁସମ୍ପର୍କ ସୃଷ୍ଟି କରିଥାଏ ।ବିଜ୍ଞାନର ଅଗ୍ରଗତି ଓ ସଭ୍ୟତାର ବିକାଶରେ ଆଖିଝଲସିବା ମେଢ, ଶୋଭାଯାତ୍ରା ଦୁର୍ଗା ପୂଜାକୁ ଆହୁରି ସରସ ସୁନ୍ଦର କରିଥାଏ ।ଏହି ସବୁ ପୂଜାରେ ଜନସାଧାରଣ ଅପେକ୍ଷା କରିଥାନ୍ତି ଭସାଣି ସମୟକୁ । ଭସାଣି ବେଳର ଦୃଶ୍ୟ ଦୁରଦର୍ଶନ ମାଧ୍ୟମରେ ମଧ୍ୟ ପ୍ରଚାର-ପ୍ରସାର ହୋଇଥାଏ ।ଏହାର ଦୃଶ୍ୟ ଅବର୍ଣ୍ଣନୀୟ ।

ଏଥିସହିତ ପୂଜା ମଣ୍ଡପ ନିକଟରେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଜନ ସମାଗମ ହୁଏ । ଯାହା ସନ୍ଧ୍ୟା ସମୟରେ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ । ଆବାଳ-ବୃଦ୍ଧ-ବନିତା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥାନ୍ତି । ଏଥର ଶାରଦୀୟ ପାର୍ବଣ ଋତୁ କରୋନା ଯୋଗୁଁ ଫିକା ପଡିଛି ।ଆନ୍ତର୍ଜାତିକ ସ୍ତରରେ ଏହି କରୋନା ପ୍ରାୟ ୬ମାସରୁ ଉଦ୍ଧ୍ୱର୍ ସମୟଧରି ଆତଙ୍କିତ କରିରଖିଛି ।ଏହାର ପ୍ରଭାବ ଅନ୍ୟାନ୍ୟ କ୍ଷେତ୍ର ସହିତ ଚଳିତ ବର୍ଷର ପାର୍ବଣ ଋତୁରେ ପଡୁଥିବା ପର୍ବମାନଙ୍କ ଉପରେ ଯଥେଷ୍ଟ ପରିଲକ୍ଷିତ ହୋଇଛି ।

ଦେବଦର୍ଶନ, ଉପାସନା ମଣିଷର ଏକ ମୈାଳିକ ଅଧିକାର । ଏହି ମହାମାରୀ ସମୟରେ ପୂଜା ନିରାଡମ୍ବର ଭାବେ ଓ ବିଧିରକ୍ଷା ପୂର୍ବକ ପାଳନ ହେବା ଦୋଷାବହ ନୁହେଁ । ଆୟୋଜକମାନେ ମଧ୍ୟ ରଥଯାତ୍ରା ପରି ସହଯୋଗ କରିବେ ଏଥିରେ ସନେ୍ଦହ ନାହିଁ ।ତେବେ ସରକାରଙ୍କ ଏହି କଠୋର କଟକଣା ଦ୍ୱାରା ମଣିଷର ଧାର୍ମିକ ସ୍ୱାଧୀନତାଟି ଯେ କ୍ଷୁର୍ଣ୍ଣ ହେଉଛି ଏହା ସରକାର ଚିନ୍ତା କରିବା ଦରକାର ।

ଏଦିଗକୁ ଅଣଦେଖା କଲେ ଚଳିବ ନାହିଁ । ଏଇଠି ମନେପଡୁଛି ୧୦୦ବର୍ଷ ତଳର ଦୁଇ ବର୍ଷିଆ ସ୍ପାନିସ୍ ଫ୍ଲୁ’ର କଥା । ସେହି ସମୟରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହେଇଥିଲା ।ଚଳିତ ବର୍ଷ ସେହି ଇତିହାସର ପୂନରାବୃତ୍ତି ଘଟିଛି । ତେଣୁ ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ଆପୋଷ ଆଲୋଚନା ହୋଇ ସମାଧାନର ରାସ୍ତା ବାହାରିବା ଦରକାର । ଏକଥାକୁ ଆମକୁ ଗୁରୁତ୍ୱ ଦେବାକୁ ହେବ ।

Leave A Reply