ବାଦଲ ଭୂୟାଁ : “ଯଦି ମୁଁ କହିପାରନ୍ତି ତାହାହେଲେ ବଞ୍ଚି ଯାଆନ୍ତି, ଯଦି ମୁଁ ବଞ୍ଚିଥାନ୍ତି ତାହାହେଲେ କହି ପାରନ୍ତି’ – ରୂପେଲି ପରଦାରେ ସେ ସମୟର ଦର୍ଶକଙ୍କୁ ଜବରଦସ୍ତ ଫିଲ୍ମ ଘରକୁ ଟାଣି ନେଉଥିବା ବିଶିଷ୍ଟ ଅଭିନେତା ଅଜିତ ଦାସ ଓରଫ୍ ହାକିମ ବାବୁଙ୍କ ମୁହଁର ଏହି ଅସହାୟ ସଂଳାପ ଶେଷରେ ସତ ହେଲା । ନାଁ ସେ ବଞ୍ଚିଲେ ନାଁ ସତରେ ସେ କଥା ହୋଇପାରିଲେ । ଜବରଦସ୍ତ ହିଟ୍ ହୋଇଥିବା ସିନେମା “ହାକିମ ବାବୁ’ ଚଳଚ୍ଚିତ୍ରରେ କାହ୍ନୁ ମାଝୀ ସାଜି ଚଳଚ୍ଚିତ୍ରପ୍ରେମୀଙ୍କ ମନ ଜିଣିଥିବା ବିଶିଷ୍ଟ ଅଭିନେତା ଅଜିତ ଦାସ ୭୧ ବର୍ଷ ବୟସରେ ସବୁଦିନ ପାଇଁ ଜୀବନ ଯୁଦ୍ଧରେ ହାରିଗଲେ ।
“ସିନ୍ଦୂର ବିନ୍ଦୁ ଦେଇ ରୂପେଲି ପରଦାକୁ ପ୍ରବେଶ କରିଥିଲେ । ହାକିମ ବାବୁ ସାଜି ରାଜ କଲେ । ମମତାର ଡୋରୀରେ ଦର୍ଶକଙ୍କ ହୃଦୟରେ ବାନ୍ଧି ହେଲେ ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅସଂଖ୍ୟ ପ୍ରିୟ ଦର୍ଶକଙ୍କୁ ବାୟ ବାୟ କରି ଅପେରା ରାଇଜକୁ ବାହୁଡ଼ିଗଲେ । ନିକଟରେ ମେଘାଷ୍ଟାର ବିଜୟ ମହାନ୍ତିଙ୍କ ବିୟୋଗରେ ମି୍ରୟମାଣ ଅଜିତ ଦାସ କହିଥିଲେ ବନ୍ଧୁ ମୋର ଚାଲିଗଲେ । ସେ ଗଲାପରେ ମୁଁ ଏକା କ’ଣ କରିବି? ମୋତେ ଭାରି ବ୍ୟସ୍ତ ଲାଗୁଛି । ସତେ ଯେପରି “ସହରୀ ବାଘଙ୍କ ପରେ’ “ହାକିମ ବାବୁ’ ଡକାଡକି ହୋଇ ଚାଲିଗଲେ । ନବମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ସ୍କୁଲ ନାଟକ “ଝରା ବଉଳ’ରେ ମୁଖ୍ୟ ଭୂମିକାକୁ ସେ ଆସିଥିଲେ । ତାଙ୍କ ଜୀବନର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ଥିଲା ପ୍ରଣବ ଦାସଙ୍କ ନିଦେ୍ର୍ଦଶିତ ଓ ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ହିଟ୍ ସିନେମା “ହାକିମ ବାବୁ’ । ଏଥିରେ ସେ କାହ୍ନୁ ମାଝୀ ଚରିତ୍ର ପାଇଁ ରାଜ୍ୟ ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।
ଏନ୍ଏସ୍ଡିରୁ ଶିକ୍ଷା ସମାପ୍ତ ପରେ ସେ ସମୟରେ ଓଡ଼ିଆ ଫିଲ୍ମରେ ପ୍ରଶାନ୍ତ ନନ୍ଦ ଓ ଶ୍ରୀରାମ ପଣ୍ଡାଙ୍କ ଦବ୍ଦବା ଥାଏ । ୧୯୭୬ରେ ଧୀର ବିଶ୍ୱାଳଙ୍କ ସିନେମା “ସିନ୍ଦୂର ବିନ୍ଦୁ’ରେ ଖଳନାୟକ ଭୂମିକା ନିର୍ବାହ କରିଥିଲେ । ଅଜିତ ଦାସଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସଙ୍କ ବଡ଼ ନାଟକ ଦଳ ଥିଲା । ସେଠାରେ ସେ ନାଟୁଆ ମାନଙ୍କ ପାଇଁ ପାନ ଆଣୁଥିଲେ ।
ଅଜିତ ଦାସଙ୍କ ବାପା ଶୈଳେସ ଚନ୍ଦ୍ର ଦାସ ଜଣେ ଓକିଲ ଥିଲେ । ଅଜିତଙ୍କ ସମ୍ପର୍କୀୟ ଭାଇ ଥିଲେ ଜଣେ ପୋଲିସ ଡିଆଇଜି । ସେ ହଜି ଯାଉଥିବା ଜିନିଷର ରେକର୍ଡ଼ ରଖିବା ପାଇଁ ଏକ ଖାତା କରିବାକୁ କହିଥିଲେ । ସେ ଖାତାର ନାଁ ଥିଲା “ବରବାଦ ଖାତା’ । ଯଦିଓ ଅଜିତ ଏନ୍ଏସ୍ଡିରେ ପ୍ରଶିକ୍ଷଣ ପାଇଁ ସୁଯୋଗ ପାଇଥିଲେ କିନ୍ତୁ ତାଙ୍କ ବାପାଙ୍କ “ବରବାଦ ଖାତା’ରେ ନାଁ ଚଢ଼ି ଯାଇଥିଲା । ସତୁରୀ ଦଶକରେ ଅଜିତ ମାଡ଼୍ରାସରେ ଏକ ଫିଲ୍ମ ପ୍ରାପ୍ୟ ପାଇଁ ପାଞ୍ଚ ହଜାର ଟଙ୍କା ପାଇଥିଲେ । ସେ ସମୟରେ ପାଞ୍ଚହଜାର ଟଙ୍କାର ମୂଲ୍ୟ ବହୁତ ଥିଲା । ସବୁତକ ଟଙ୍କା ବାପାଙ୍କ ହାତକୁ ଧରାଇ ଦେବା ପରେ ତାଙ୍କ ବାପା କାନ୍ଦି ପକାଇଥିଲେ ।
ତେବେ ବାପାଙ୍କୁ ଅଜିତ ଦାସ କହିଥିଲେ ମୋ ନାଁ “ବରବାଦ ଖାତା’ରୁ କାଟି ଦିଅନ୍ତୁ । ଏହା ଶୁଣି ତାଙ୍କ ବାପା ଜୋରରେ ହସି ପକାଇ କହିଥିଲେ “ମୋ କଳ୍ପନା ଭୁଲ ଥିଲା’ । ଅନେକ ହୁଏତ ଜାଣିନଥିବେ ବଲିଉଡର ବିଖ୍ୟାତ ଅଭିନେତା ରାଜବାବର ଓ ଅଜିତ ଭବାନୀ ଥିଲେ ଅଜିତ ଦାସଙ୍କ ଏନ୍ଏସ୍ଡି ସହପାଠୀ । ଏହି ତିନିବନ୍ଧୁ ପାଠ ପଢ଼ାପରେ ବଲିଉଡରେ ଭାଗ୍ୟ ପରୀକ୍ଷା ପାଇଁ ନିଷ୍ପତ୍ତି ନେଇଥିଲେ ମାତ୍ର ରାଜବାବରଙ୍କ ପାରିବାରିକ ସମସ୍ୟା ପାଇଁ ସେ ବମ୍ବେ ଯିବା ସ୍ଥଗିତ କରିବାରୁ ଉକ୍ରଳ ସଂଗୀତ ମହାବିଦ୍ୟାଳୟରେ ନାଟ୍ୟ ଅଧ୍ୟାପକ ଭାବେ ବାପା କହିବାରୁ ସେ ବିଜୟ ମହାନ୍ତିଙ୍କ ସହ ଯୋଗ ଦେଲେ ।
ବିଖ୍ୟାତ ଅଭିନେତା ବିଜୟ ମହାନ୍ତି କହିବାରୁ ହିଁ ସେ ଜାତୀୟ ନାଟ୍ୟ ବିଦ୍ୟାଳୟରେ ଯୋଗ ଦେଇଥିଲେ । ସେ ପ୍ରସନ୍ନ ମହାନ୍ତି ଓ ବିଜୟ ମହାନ୍ତିଙ୍କ ସହଯୋଗରେ ଏନ୍ଏସ୍ଡିରେ ଯୋଗ ଦେଇଥିଲେ । ଯୋଗ ଦେବା ପୂର୍ବରୁ ତାଙ୍କୁ ଓମ୍ପୁରୀ ରିୟଲସେଲରେ ପ୍ରସ୍ତୁତ କରାଇଥିଲେ । ୧୯୭୩-୭୪ରେ ସେ ସେଠାରେ ତାଲିମ ନେଇଥିଲେ । ଅଜିତ ଦାସ ଏନ୍ଏସ୍ଡିରେ ପଢ଼ୁଥିବା ବେଳେ ମାୟା ଦାସ ଦିଲ୍ଳୀ ଡ୍ୟାନ୍ସ କୋରିଓଗ୍ରାଫି ଇନଷ୍ଟିଚୁ୍ୟଟରୁ ନୃତ୍ୟ ଶିଖୁଥିଲେ । ଏହି ସମୟରୁ ଦେଖା ସାକ୍ଷାତରେ ଦୁହେଁ ବନ୍ଧୁ ପାଲଟିଥିଲେ ଓ ୧୯୭୬ରେ ମାୟାଙ୍କ ସହ ତାଙ୍କ ବିବାହ ହୋଇଥିଲା । ଅଭିନେତା ଓ ନିଦେ୍ର୍ଦଶକ ହରପଟ୍ଟନାୟକଙ୍କୁ ଅଜିତ ଦାସ ଉକ୍ରଳ ସଂଗୀତ ମହାବିଦ୍ୟାଳୟରେ ତାଙ୍କୁ ନାଟ୍ୟ ପାଠକ ପଢ଼ାଇଥିଲେ । ୧୯୭୫ମସିହାରେ ଦିଲ୍ଲୀରୁ ପ୍ରଶିକ୍ଷଣ ପାଇବା ପରେ ଅଜିତ ଦାସ ବାରିପଦାସ୍ଥିତ ଯୁଗେଚ୍ଛା ନାଟ୍ୟ ସଂସ୍ଥାର ନାଟକ “ବକ୍ସି ଜଗବନ୍ଧୁ’ରେ ବକ୍ସି ଭୂମିକାରେ ଅଭିନୟ କରିଥିଲେ ।
କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିବା ଅଜିତ ଦାସ ପରଲୋକରେ ନିରବୀ ଯାଇଛି କରଞ୍ଜିଆ ମେଲଣ ପଡ଼ିଆ ରଙ୍ଗମଞ୍ଚ । ଏହି ମଞ୍ଚରୁ ଅଜିତ ଦାସ ଡାକନାମ ପୁପୁଙ୍କ ଅଭିନୟର ଲମ୍ବା ଯାତ୍ରା ଆରମ୍ଭ ହୋଇଥିଲା । “ଝରା ବଉଳ’ ନାଟକରେ ଅଜିତଙ୍କ ନିଖୁଣ ଅଭିନୟ ଢ଼େର ପ୍ରଶଂସା ପାଇଥିଲା । ଅଜିତ ଦାସଙ୍କ ନିଦେ୍ର୍ଦଶିତ ଶେଷ ନାଟକ ଥିଲା “ସୀମାବଦ୍ଧ’ । ଡକ୍ଟର ଜଗନ୍ନାଥଙ୍କ ରଚିତ ଏହି ଏଗାରମିନିଟ ଅଠତିରିଶ ସେକେଣ୍ଡର ନାଟକ କରୋନା ଯୋଗୁଁ ଦହଗଞ୍ଜ ମଣିଷର କଥା କହିଥିଲା । ଯାହାର ଶେଷ ସଂଳାପ ଥିଲା “ସତରେ କେତେ ଅସହାୟ ଏ ମଣିଷ, କେତେ ଭୟଙ୍କର ଭାବେ ସୀମାବଦ୍ଧ ତାର ପ୍ରତିଟି ଚିନ୍ତା । ତଥାପି ଚାଲିଛି, ଚାଲୁଥିବ ଜୀବନର ଖେଳରେ ପଡ଼ୁଥିବ ଆଉ ଉଠୁଥିବ ମାତ୍ର ରଥ ତାର ଅଟକି ଯିବନାହିଁ ।’ କିନ୍ତୁ ଶେଷରେ ଏକସ୍ତୋରୀଟି ଶରତରେ ସୀମାବଦ୍ଧ ହୋଇଗଲା ଏହି ନାଟକ ନିଦେ୍ର୍ଦଶକଙ୍କ ଜୀବନ ।