Odisha news

ପୁରୀରୁ କନ୍ଧମାଳ ପର୍ଯ୍ୟନ୍ତ ମାଡିଲା “ନାଲିଫ୍ୟୁଜ” ନିଶା : ଗୁପ୍ତଧନ ଭଳି ପବନ ବେଗରେ ବଢୁଛି ପୁରୁଣା ଟିଭିର ନାଲିଫ୍ୟୁଜ ଗୁଜବ

0

ବାଲିଗୁଡା :  କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ  ନାଲି ଫ୍ୟୁଜ ନିଶାରେ ଯୁବଗୋଷ୍ଠୀ। ଯଦି ଆପଣଙ୍କ ପାଖରେ ୧୯୯୪-୯୫ ମସିହାର  ଯଦି ଟିଭି କିମ୍ବା ରେଡିଓ ଅଛି ତେବେ ଆପଣ ଲକ୍ଷପତି ହୋଇଯିବେ। ଏହି ଟିଭି ଓ ରେଡିଓରେ ବାହାରୁଥିବା ଏକ ନାଲିରଙ୍ଗର ଫ୍ୟୁଜ ଦେଲେ ଏହି ଟଙ୍କା ମିଳିବ। କିଛି ଏହିଭଳି ଆଶାରେ କେଉଁ କେଉଁ ଆଡୁ ଲୋକଙ୍କ ପାଖକୁ ଫୋନ ଅସୁଛି ତାହା କହିବା ମୁସ୍କିଲ । କମ ସମୟରେ ଅଧିକ ଅର୍ଥ ପାଇବା ଆଶାରେ ସମସ୍ତେ ଏହି ନାଲିଫ୍ୟୁଜ ଖୋଜିବାରେ ପାଗଳ । ତେବେ ଏହା ସତ ନା ଗୁଜବ ତାହା ସ୍ପଷ୍ଟ ହୋଇନାହିଁ। କିଛି ବର୍ଷ ଭିତରେ ଗୁପ୍ତଧନ କାରବାର ଜୋରସୋରରେ ଚାଲିଥିଲା।

କମ ସମୟ ଭିତରେ ଲକ୍ଷ ଲକ୍ଷ ଟଙ୍କା ପାଇବା ଆଶା ଲୋକଙ୍କୁ କାଙ୍ଗାଳ  କରିଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ହନୁମାନ ପଇସା, ପୁରୁଣା ନୋଟ ଦେଲେ ଲକ୍ଷ ଲକ୍ଷ ଟଙ୍କା ଦେବା ଆଶା ଦେଖାଇ ଏହି କାରବାର ଚାଲିଥିବା ବେଳେ ଏହାକୁ ନେଇ ଅନେକ ଅପରାଧିକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ତେବେ ଗତ ଏକ ମାସ ହେଲା ନାଲିଫ୍ୟୁଜ ଖୋଜିବାରେ ବ୍ୟସ୍ତ ଅଛନ୍ତି କମ ସମୟରେ ଧନୀ ହେବାକୁ ଛାହୁଁଥିବା ଲୋକମାନେ। ଏହି ଲୋକମାନଙ୍କ କହିବା ଅନୁସାରେ ୧୯୯୪-୯୫ ମସିହାରେ  ତିଆରି ହୋଇଥିବା ଟିଭି ଓ ରେଡିଓର ସାର୍କିଟରେ ଏକ ଫ୍ୟୁଜ ଲଗାଯାଇଥିଲା ଯାହାକି ନାଲିରଙ୍ଗର ବୋଲି କୁହାଯାଉଛି। ଏହା ପାଖକୁ ରସୁଣ ନେଲେ ତାହା ଜଳିଉଠିବ। ଦର୍ପଣରେ ଏହାକୁ ଦେଖାଇଲେ ତାହା ଧଳା ଦେଖାଯିବ।କିଛି ଏହିଭଳି କଥା କହି ଏହି ଫ୍ୟୁଜ ସଂଗ୍ରହ କରିବା ପାଇଁ ଲୋକଙ୍କୁ କୁହାଯାଉଛି।

ଏହା ଅତ୍ୟନ୍ତ ମୂଲ୍ୟବାନ ମର୍କୁରୀ ହୋଇଥିବାରୁ ଏହାର ଦାମ କୋଟିଏ ଟଙ୍କା ବୋଲି ଏହି କାରବାରର ଦଲାଲି କରୁଥିବା ଦଲାଲ ମାନେ କହିବୁଲୁଛନ୍ତି। ଏହି ନାଲିଫ୍ୟୁଜ ଦେଲେ ସେମାନଙ୍କୁ ୧୦ ରୁ ୨୦ ଲକ୍ଷ ଟଙ୍କା ଦେବା ପାଇଁ ମଧ୍ୟ କୁହାଯାଉଛି। ତେବେ ଏହା ସତ୍ୟରେ ମୂଲ୍ୟବାନ ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଅନେକ ଭାଇରାଲ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି। ଏମିତିରେ ଏହି ନାଲିଫ୍ୟୁଜ ସଂଗ୍ରହ କରିବା ପାଇଁ ପୁରୁଣା ଟିଭି ରେଡିଓ ମରାମତି ଦୋକାନରେ ଭିଡ ଦେଖିବାକୁ ମିଳିଛି। ବିଶେଷ କରି ସହର ଅପେକ୍ଷା ଏହା ଗାଁ ମାନଙ୍କରେ ବେଶୀ ଦେଖିବାକୁ ମିଳିଛି। ଗାଁ ମାନଙ୍କରେ ଥିବା ମରାମତି ଦୋକାନ ମାନଙ୍କରେ ସେମାନଙ୍କୁ ଟଙ୍କା ଲୋଭ ଦେଖାଇ ତାକୁ ଖୋଜିବାକୁ କୁହାଯାଉଛି।

ଏନେଇ କିଛି ଟିଭି ମରାମତି ଦୋକାନୀଙ୍କ କହିବା ଅନୁସାରେ ସେମାନେ ଏହି ନାଲିଫ୍ୟୁଜ ପାଇଁ ଆସୁଥିବା ଫୋନ ଯୋଗୁ ଶାନ୍ତିରେ ରହିପାରୁନଥିବା କହିଛନ୍ତି। ତେବେ ସେହି ସମୟରେ ଟିଭି ମାନଙ୍କରେ ଲାଗୁଥିବା ଏହିଭଳି ଫ୍ୟୁଜ ଥିଲା କିନ୍ତୁ ତାହା ଏଭଳି ମୂଲ୍ୟବାନ ହୋଇଥିବ ତାହା ବିଶ୍ୱାସର ବାହାରେ ବୋଲି ଜଣେ ମରାମତି ଦୋକାନୀ  କହିଛନ୍ତି। ଏହି କାରବାର ଏବେ କନ୍ଧମାଳ  ଜିଲାରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏହାର ପଛରେ କେତେ ସତ୍ୟତା ଅଛି ତାକୁ ସ୍ପଷ୍ଟ କରିବା ପାଇଁ ସଚେତନ ନାଗରିକ ମାନେ ଦାବି କରିଛନ୍ତି। ନଚେତ ଅନ୍ୟ ଗୁପ୍ତଧନ ଭଳି ଏହି କାରବାର କୁ ନେଇ ଆଗକୁ ଯେ ଅପରାଧିକ ଘଟଣା ନ ଘଟିବ କିଏ କହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

 

Leave A Reply