ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧିନ ସୁବର୍ଣ୍ଣରେଖା ପନ୍ତେଇ ଫେରିଘାଟରେ ଖୁବ୍ ଶୀଘ୍ର ହେବାକୁ ଯାଉଛି ଏକ ଦୀର୍ଘତମ ସେତୁ । ଏଥିପାଇଁ ରାଜ୍ୟ ସରକାର ୧୩୮କୋଟି ଟଙ୍କାର କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି । ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାପାଇଁ ୩୦ ମାସ ସମୟ ଲାଗିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିବା ପରେ ଭୋଗରାଇ ଓ ବାଲିଆପାଳ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟଯେ ବାଲେଶ୍ୱର ଜିଲ୍ଲାଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଭୌଗୋଳିକ ଦୃଷ୍ଟି କୋଣରୁ ଭୋଗରାଇ ଓ ବାଲିଆପାଳ ବ୍ଲକକୁ ବିଚ୍ଛିନ୍ନ କରୁଛି ।
ଏଭଳି ସ୍ଥିତିରେ ଭୋଗରାଇର ପନ୍ତେଇ ଫେରିଘାଟ , ଜାମକୁଣ୍ଡା- କୁଲାଚଡ଼, ସୁବର୍ଣ୍ଣରେଖା ନଦୀ ଫେରିଘାଟକୁ ପାର କରିବାକୁ ହେଲେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀମାନଙ୍କୁ ଯିବାକୁ ପଡ଼ିଥାଏ । ଦୁଇ ବ୍ଲକର ଅଞ୍ଚଳବାସୀ, ଜନପ୍ରତିନିଧି, ବିଭିନ୍ନ ସାମାଜିକ ସଂଗଠନ ମାନଙ୍କ ପକ୍ଷରୁ ସୁବର୍ଣ୍ଣରେଖା ନଦୀରେ ଏହି ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଥିଲା । ଭୋଗରାଇ ବିଧାୟକ ଅନନ୍ତ ଦାସ ସେତୁ ବାବଦରେ ବାରମ୍ବାର ବିଧାନ ସଭାରେ ପ୍ରଶ୍ନ ଉତ୍ଥାପନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ । ଏବେ ଏହି ସୁବର୍ଣ୍ଣରେଖାର ଦ୍ୱିତୀୟ ସେତୁ ହେବା ନିମନ୍ତେ ବାଟ ଫିଟିଛି ।