Odisha news

ପାର୍ବଣ ଅବସରରେ ମା’ଭଗବତୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ, ମଳମାସ ଯୋଗୁ ୧୬ଦିନ ପରିବର୍ତ୍ତେ ୪୫ଦିନ ପୂଜା ଅନୁଷ୍ଠିତ ହେବ

0

ସାଲେପୁର : ପବିତ୍ର ପାର୍ବଣ ଅବସରରେ ସାଲେପୁର ଅଞ୍ଚଳର ବିଭିନ୍ନ ଦେବୀପୀଠମାନଙ୍କରେ ଦେବୀଙ୍କର ଷୋଡ଼ଶ ପୂଜା ଉପଚାର ଆରମ୍ଭ ହୋଇଛି । ଏହି ଅବସରରେ ବଟେଶ୍ୱର ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଭଗବତୀଙ୍କ ଷୋଡ଼ଶ ପୂଜା ଉପଚାର ଦ୍ୱିତୀୟା ତିଥିରେ ଆରମ୍ଭ ହୋଇଛି । ପ୍ରତିଦିନ ସକାଳେ ମା’ଙ୍କୁ ସ୍ୱତନ୍ତ୍ର ବେଶରେ ସୁସଜ୍ଜିତ କରାଯାଇ ସକାଳ ଧୂପ ସହ ଚୁଡ଼ାଘସା ଭୋଗ ଲାଗି କରାଯାଉଥିବାବେଳେ ମଧ୍ୟାହ୍ନରେ ଖିରୀଖେଚୁଡ଼ି ଓ ଅନ୍ନଭୋଗ ଲାଗି କରାଯାଇଥାଏ । ଏହି ଅବସରରେ ପ୍ରତିଦିନ ମା’ଙ୍କ ନିକଟରେ ଚଣ୍ଡୀପାଠ କରାଯାଇଥାଏ । ବଡ଼ସିଂହାର ବେଶରେ ମା’ଙ୍କର ନିକଟରେ ଦିନରେ ଖିରୀ ଖେଚୁଡ଼ି, ଅନ୍ନ ପ୍ରସାଦ ଲାଗି ହୋଇଥାଏ ।

ସନ୍ଧ୍ୟାରେ କାକରା ଓ ଉଖୁଡ଼ା ଲାଗି ହୋଇଥାଏ । ସେହିପରି ନିତ୍ୟାନୀ ବେଶରେ ମା’ଙ୍କ ନିକଟରେ ଦହି ପଖାଳ ଭୋଗ ହେଲାପରେ ମା’ଙ୍କ ସ୍ୱତନ୍ତ୍ର ପାଦ ସେବାପରେ ଶୟନ ପାଇଁ ବିଛଣା କରାଯାଇ ବିଛଣା ନିକଟରେ ସେଥିରେ ମୁଖବାସ ଦିଆଯାଏ । ପ୍ରତିଦିନ ସକାଳୁ ପୁଝାରୀ ପହଡ଼ ଖୋଲିଲାବେଳକୁ ପାନର ଗରଦା ବିଛଣା ନିକଟରେ ପଡିଥାଏ ବୋଲି ବଡ଼ପଣ୍ଡା କରୁଣାକର ଦିକ୍ଷୀତ ଓ ସାନପଣ୍ଡା ପଦ୍ମଲାଭ ଦିକ୍ଷୀତ(ରବିନନା) ପ୍ରକାଶ କରିଛନ୍ତି । ଏହି ଅବସରରେ ଆଜି ଶନିବାର ମା’ଙ୍କର ଜଗଧାତ୍ରୀ ବେଶ ଅନୁଷ୍ଠିତ ହେବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି ଚଳିତ ବର୍ଷ ମଳମାସ ପଡୁଥିବାରୁ ଷୋଡ଼ଶ ଉପଚାର ପୂଜା ୧୬ଦିନ ପରିବର୍ତ୍ତେ ୪୫ଦିନ ହେବ ବୋଲି ପୂଜକ ପଦ୍ମଲାଭ ଦିକ୍ଷୀତ ପ୍ରକାଶ କରିଛନ୍ତି

Nalco
Leave A Reply