ମାଞ୍ଚେଷ୍ଟର,୧୧ା୯(ଏଜେନ୍ସି): ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଲï ଟ୍ରାଫୋଡରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯାଇଛି । ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ମୋର୍ଗାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚ୍ ପୂର୍ବରୁ ଅଭ୍ୟାସ ସମୟରେ ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ୍ଙ୍କ ମୁଣ୍ଡରେ ବଲ ବାଜିଥିଲା । ଏଦୃଷ୍ଟିରୁ ସ୍ମିଥ୍ଙ୍କ ବିନା ଅଷ୍ଟ୍ରେଲିଆ ଦଳ ମୈଦାନକୁ ଓହ୍ଲାଇଛି । ସ୍ମିଥ୍ ଆହତ ହେବା ଖବର ଜଣାପଡ଼ିବା ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ ଓ ଏହାର ପ୍ରଶଂସକଙ୍କ ପାଇଁ ଚିନ୍ତା ବଢ଼ିଯାଇଛି । ଗୁରୁବାର ପ୍ରଶିକ୍ଷଣ ଶିବିର ଚାଲିଥିବା ବେଳେ ବଲ ସ୍ମିଥ୍ଙ୍କ ମୁଣ୍ଡରେ ବାତିଥିଲା । ସ୍ମିଥ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଅନୁଧ୍ୟାନ କରାଯାଉଛି । ଆଘାତର ମାତ୍ରା କେତେ ରହିଛି ତାହା କ୍ରିକେଟ୍ ଅଷ୍ଟ୍ରେଲିଆ ସ୍ପଷ୍ଟ କରିନାହିଁ । ଏପରିକି ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍ ପାଇଁ ସ୍ମିଥ୍ ଉପଲବ୍ଧ ହେବେ କି ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ ।