Odisha news

ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

0

କେନ୍ଦ୍ରାପଡା , ୧୧/୯ -ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କୋଭିଡ ପରିସ୍ଥିତିରେ ଜୀବନ ଜୀବିକାର ସୁରକ୍ଷା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଓଡିଶାର ଗରୀବ,ଖଟିଖିଆ, ଶ୍ରମଜୀବି ଜନସାଧାରଣ କରୋନା ଓ ତତଜନିତ ଲକଡାଉନ ପରିସ୍ଥିତି ଯୋଗୁଁ ଅତ୍ୟନ୍ତ ଶୋଚନୀୟ ଅବସ୍ଥା ମଧ୍ୟ ଦେଇ ଗତି କରୁଛନ୍ତି । ଜୀବିକା ହରାଇ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ପରେ ଏଠାରେ ସେମାନଙ୍କ ପାଇଁ ନିଯୁକ୍ତିର କୈାଣସି ବ୍ୟବସ୍ଥା ନାହିଁ ।

ରାଜ୍ୟ ଭିତରେ ନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନେ ମଧ୍ୟ ଜୀବିକା ହରାଇଛନ୍ତି । କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀମାନଙ୍କର ବ୍ୟବସାୟ ମଧ୍ୟ ବନ୍ଦ ହୋଇଯାଇଛି । ପରିଚାରିକା ଭାବରେ ବାବୁମାନଙ୍କ ଘରେ କାମ କରୁଥିବା ମହିଳାମାନେ ମଧ୍ୟ କାମ ହରାଇଛନ୍ତି । ଏହିପରି ଭାବରେ ଘରେ ଘରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି । ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଡ କରିବା ମଧ୍ୟ କଠିନ ହୋଇପଡିଛି । ରାଜ୍ୟର ଗରୀବ ଜନସାଧାରଣଙ୍କ ମଧ୍ୟରୁ ଅନେକଙ୍କର ରେସନକାର୍ଡ ନଥିବାରୁ ଖାଦ୍ୟ ସାମଗ୍ରୀ ପାଇବାରୁ ସେମାନେ ବଂଚିତ ହେଉଛନ୍ତି ।

ଆଶା, ଅଙ୍ଗନୱାଡି, ପାଚିକା, ସହାୟିକା ଭାବରେ କଠିନ ପରିଶ୍ରମକରି ସରକାରୀ ନୀତି ଗୁଡିକ କାର୍ଯ୍ୟକାରୀ କରୁଥିବା ମହିଳାମାନଙ୍କୁ ଅତିକମ ପାରିଶ୍ରମିକ ଦିଆଯାଉଛି । ତାହାପୁଣି ନିୟମିତ ଭାବରେ ନୁହେଁ । ରାଜ୍ୟର ବନ୍ୟା ପରିସ୍ଥିତି ମଧ୍ୟ ଏହି ଜନସାଧାରଣଙ୍କ ଦୁଃଖକୁ ଆହୁରି ବଢାଇଦେଇଛି । ଏହି ସମସ୍ତ ଅଭାବୀ ମହିଳା ଓ ଜନଗଣଙ୍କ ଜୀବନର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଖାଦ୍ୟ, ନିଯୁକ୍ତି ଓ ନିୟମିତ ରୋଜଗାରର ବ୍ୟବସ୍ଥା କରିବା ସର୍ବାଗ୍ରେ ଜରୁରୀ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି । ଏଣୁ ଏହି ଅବସରରେ ଏକ ୧୧ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସଂଗଠନ ପକ୍ଷରୁ ହୀରାମଣୀ ରାଉତ, ଏଲୀନା ସାମନ୍ତରାୟ, ପ୍ରତିଜ୍ଞା ନାୟକ, ଜୟନ୍ତୀ ଜେନା, ସରୋଜିନୀ ପ୍ରଧାନ ପ୍ରମୁଖ ପ୍ରଦାନ କରିଛନ୍ତି ।

Leave A Reply