ହିମାଂଶୁ ଶେଖର ଆଚାର୍ଯ୍ୟ : ରାଜନୀତିରେ ଅନେକ ବ୍ୟକ୍ତି ଓ ନେତୃତ୍ୱ ଦେଖିବାକୁ ମିଳେ, ହେଲେ ସେ ଥିଲେ ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କୁ କେବଳ ରାଜନୀତିକ ଦୃଷ୍ଟିଭଙ୍ଗୀରେ ଦେଖିଲେ ଚଳିବ ନାହିଁ । ତାଙ୍କୁ ସ୍ମରଣ କଲେ ଓଡିଶା ରାଜନୀତି,ସାହିତ୍ୟ ଓ ସଂସ୍କୃତିର ବହୁ ଘଟଣାବହୁଳ ଚିତ୍ର ସ୍ମୃତି ପଟ୍ଟରେ ଉଙ୍କିମାରେ । ନିଜର ଅସାଧାରଣ ବ୍ୟକ୍ତିତ୍ୱ ଓ ପରାକାଷ୍ଠା ଯୋଗୁଁ ତାଙ୍କ ମନ୍ତ୍ରୀତ୍ୱ କାଳ ଓଡିଶା ପାଇଁ ଏକ ସୁବର୍ଣ୍ଣ ଯୁଗଥିଲା କହିଲେ ଭୁଲ୍ ହେବନାହିଁ । ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସ୍ୱକୀୟତା, ସାହସ ଓ ନିର୍ଭୀକତା ପରିସ୍ଫୁଟ ହୋଇଥିଲା । ସେ ଜାଣିଥିଲେ ଶାସନ ହେଉଛି ଘୋଡା । ତାକୁ ଯେଉଁ ନେତା ନିୟନ୍ତ୍ରଣ କରିପାରେ, ସେ ହିଁ ପ୍ରକୃତରେ ରାଜନୀତିଜ୍ଞ ।
ଘୋଡା ଉପରେ ବସିବାର ଦକ୍ଷତା ବି ତାଙ୍କର ଥିଲା । ସେଭଳି ଜଣେ ଦୃଢମନା ଓ କର୍ମଯୋଗୀ ମଣିଷ ଖୁବ୍ କମ୍ ଦେଖିବାକୁ ମିଳେ । ଆଜିର ଯୁବପିଢି ତାଙ୍କ ପଦାଙ୍କ ଅନୁସରଣ କରିବା ଉଚିତ । ସେ ହେଉଛନ୍ତି ଓଡିଶାର ଅନ୍ୟତମ ବରପୁତ୍ର,କିମ୍ବଦନ୍ତୀ ପୁରୁଷ ତଥା କର୍ମଯାଗୀ ବସନ୍ତ କୁମାର ବିଶ୍ୱାଳ ।ଜଣେ ଅପ୍ରତିଦ୍ୱନ୍ଦୀ ଓ ସାଲିସ୍ ବିହୀନ ଜନନେତା ଭାବେ ସେ ଯେତିକି ପରିଚିତ ଥିଲେ, ଜଣେ ଦକ୍ଷସଂଗଠକ ଏବଂ ସାହିତ୍ୟ ଓ ସଂସ୍କୃତିର ମୁଖ୍ୟ ପୃଷ୍ଠପୋଷକ ଭାବେ ସେତିକି ବିଦିତ ଥିଲେ । ଯଥାର୍ଥରେ ସେ ଥିଲେ ଆଧୁନିକ ଓଡିଶାର ‘ମର୍କତ କେଶରୀ’ ।
ବସନ୍ତ ବିଶ୍ୱାଳଙ୍କର ରାଜନୈତିକ ଜୀବନ ବେଶ୍ ଚଳଚଞ୍ଚଳ ଥିଲା । ୧୯୭୭ ମସିହାରୁ ୨୦୦୩ ମସିହା ପର୍ଯ୍ୟନ୍ତ ପ୍ରାୟ ତିନିଦଶନ୍ଧି ଧରି ସେ ଓଡିଶାର ରାଜନୀତିକୁ ପ୍ରଭାବିତ କରିଥିଲେ । ୧୯୭୭ ମସିହାରୁ ୧୯୮୮ ମସିହା ପର୍ଯ୍ୟନ୍ତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଥିଲେ ସେ । ୧୯୮୦, ୧୯୯୦ଓ ୧୯୯୫ମସିହାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ଓଡିଶା ବିଧାନସଭାକୁ ତିନି ତିନିଥର ନିର୍ବାଚିତ ହେବାର ସୌଭାଗ୍ୟ ଲାଭ କରିଥିଲେ । ଯେଉଁ ନିର୍ବାଚନ ମଣ୍ଡଳୀରୁ ତାଙ୍କ ପୁର୍ବରୁ ନିଶାମଣି ଖୁଣ୍ଟିଆଙ୍କ ଠାରୁ ଆରମ୍ଭ କରି ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପରି ବିଶିଷ୍ଟ ଜନନାୟକମାନେ ପ୍ରତିନିଧିତ୍ୱ କରିଥିଲେ । ୧୯୮୦ରୁ ୧୯୮୫ ଓ ପରେ ୧୯୯୫ରୁ ୨୦୦୦ମସିହାରେ ବିଭିନ୍ନ ପର୍ଯ୍ୟାୟରେ ଓଡିଶା ସରକାରରେ ଗୃହ, ନଗର ଉନ୍ନୟନ, ଅର୍ଥ, ଜଳସମ୍ପଦ, ଯୋଜନା ଓ ସମନ୍ୱୟ, ସଂସଦୀୟ ବ୍ୟାପାର, ସମବାୟ ଓ କୃଷି ମନ୍ତ୍ରୀ ଭାବେ କାର୍ଯ୍ୟକରି ରାଜ୍ୟରେ ନିର୍ମାଣର ଯୁଗ ଆରମ୍ଭ କରିଥିଲେ ।
ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ, ୧୯୯୫ରୁ ୧୯୯୯ ମସିହା ପର୍ଯ୍ୟନ୍ତ ସେ ଓଡିଶାର ଉପମୁଖ୍ୟ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ । ପ୍ରଶାସନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରିଥିବା ବେଳେ ବସନ୍ତ କୁମାର ବିଶ୍ୱାଳ ଏହି ନବଗଠିତ ଜିଲା୍ଲକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିଲେ । କଟକ ସହରକୁ ବନ୍ୟା ଦାଉରୁ ରକ୍ଷାକରିବା ପାଇଁ ରିଙ୍ଗ୍ ବନ୍ଧ ନିର୍ମାଣରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ଆଜି ବି ଉଚ୍ଚ ପ୍ରଶଂସନୀୟ । ବିଶେଷ କରି ଏହା ହେଉଛି କଟକ ବାସୀଙ୍କ ପ୍ରତି ବସନ୍ତ ବିଶ୍ୱାଳଙ୍କ ସର୍ବଶ୍ରେଷ୍ଠ ଅବଦାନ । ଏଥି ସହିତ କଟକ,ଭୂବନେଶ୍ୱର ଓ ରାଉରକେଲା ଆଦି ସହରର ଭିତ୍ତିଭୂମିର ବିକାଶ ସହ ଏହାର ଶ୍ରୀବୃଦ୍ଧି ସାଧନ ପାଇଁ ତାଙ୍କର ସମୟୋଚିତ ପଦକ୍ଷେପ ଏବେବି ଉଦାହରଣୀୟ ହୋଇ ରହିଛି । ତାଙ୍କ ମନ୍ତ୍ରୀତ୍ୱ ସମୟରେ ଓଡିଶା ଯେପରି ପ୍ରଗତି ପଥରେ ଆଗେଇ ପାରିବ ସେଥିପାଇଁ ସେ ସଦା ସଜାଗଥିଲେ ଏବଂ ଓଡିଶାର ସାମଗ୍ରିକ ବିକାଶରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଇତିହାସରେ ତାଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।
ଜଣେ ଦକ୍ଷ ସଂଗଠକ ଭାବେ ବସନ୍ତ କୁମାର ବିଶ୍ୱାଳଙ୍କର ନିଆରା ପରିଚୟ ଥିଲା । ୧୯୭୭ ମସିହାରେ ଓଡିଶା ପ୍ରଦେଶ କମିଟିର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । ଏହି ପଦବୀରେ ଦୀର୍ଘ ୧୧ବର୍ଷ ଧରି (୧୯୭୭-୧୯୮୮) କାର୍ଯ୍ୟକରି ସେ ନିଜର ଅତୁଳନୀୟ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ ।
ଏଥିସହିତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି,ଓଡିଶା ରାଜ୍ୟ ସମବାୟ ସଂଘର ସଭାପତି(୧୯୮୬-୧୯୯୦), ରାଷ୍ଟ୍ରଭାଷା ପ୍ରଚାର ସମବାୟ ସମିତି ସଭାପତି,ଓଡିଶା ଅଲମ୍ପିକ ଓ ହକି ଆସୋସିଏସନ୍ର ସଭାପତି,ଭାରତୀୟ କୃଷି ସଙ୍ଘ ଉପସଭାପତି,ଓଡିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ୍ସ ସଭାପତି,ସର୍ବଭାରତୀୟ ଭାରତ ସ୍କାଏଟସ ଓ ଗାଇଡସ ଉପ-ସଭାପତି,ସାରଳା ସାହିତ୍ୟ ସଂସଦ ସଭାପତି ଉକ୍ରଳ ଗୋମଙ୍ଗଳ ସମିତିର ସଭାପତି ଭାବେ ସେ ବଭିନ୍ନ ସମୟରେ କାର୍ଯ୍ୟକରି ନିଜର କର୍ମପଟୁତା ଓ ଦକ୍ଷତାର ସ୍ୱାକ୍ଷର ଛାଡିଯାଇଛନ୍ତି ।
ରାଜନୀତି ଓ ସଂଗଠନ ଭିତରେ ଥାଇ ବି ସାହିତ୍ୟ ଓ ସଂସ୍କୃତିର ସୁରକ୍ଷାରେ ବ୍ରତୀଥିଲେ ବସନ୍ତ ବିଶ୍ୱାଳ । ମାଟିର ମହାକବି ସାରଳା ଦାସଙ୍କ ସ୍ମୃତିରକ୍ଷା ଓ ସାରଳା ସାହିତ୍ୟର ପ୍ରସାର ପ୍ରଚାର ପାଇଁ ସେ ନିରବିଚ୍ଛିନ୍ନ ଭାବେ ପ୍ରୟାସ କରିଥିଲେ । କଟକରେ ନିର୍ମିତ ସାରଳା ଭବନ ତାହାର ଜ୍ୱଳନ୍ତ ଉଦାହରଣ । ଜନମତକୁ ପ୍ରତିଫଳିତ କରିବା ପାଇଁ ଓଡିଶାରେ ‘ସମୟ’ ଭଳି ଏକ ପ୍ରଥମ ରଙ୍ଗୀନ ଖବର କାଗଜ ପ୍ରକାଶ କରି ସେ ଚହଳ ସୃଷ୍ଟି କରିଥିଲେ ।
୧୯୩୬ ମସିହା ଜୁଲାଇ ୨୩ ତାରିଖରୁ ୨୦୦୩ ମସିହା ସେପ୍ଟେମ୍ବର ୭ ତାରିଖ- ଏହାହିଁ ଥିଲା ଦୀର୍ଘ ୬୭ ବର୍ଷର ଜୀବନଯାତ୍ରା ।ବସନ୍ତ ବିଶ୍ୱାଳ ଆଜି ଆମ ଗହଣରେ ନାହାଁନ୍ତି ସତ, ହେଲେ ଓଡିଶାର ପ୍ରତିଟି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ସଦା ସ୍ମରଣୀୟ ହୋଇ ରହିବେ ।