Odisha news

ତସ୍ମୈ ଶ୍ରୀ ଗୁରବେ ନମଃ

0

ଯଦୁମଣି ପାଣିଗ୍ରାହୀ : ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର । ଗୁରୁ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ । ଆମ ପୁରାଣ ଶାସ୍ତ୍ରରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସହିତ ତୁଳନା କରାଯାଇଛି । ବ୍ରହ୍ମା ହେଉଛନ୍ତି ସୃଷ୍ଟି କର୍ତ୍ତା । ବିଷ୍ଣୁ ପାଳନ କର୍ତ୍ତା ଓ ମହେଶ୍ୱର ହେଉଛନ୍ତି ସଂହାର କର୍ତ୍ତା । ଶିଶୁଟିଏ ଯେତେବେଳେ ନିଜ ପିତାମାତାଙ୍କୁ ଛାଡି ବିଦ୍ୟାଳୟକୁ ଯାଏ ସେତେବେଳେ ଶିକ୍ଷକ ମାନେ ତାକୁ ବିଦ୍ୟା ଦାନ କରି ପୁର୍ନଜନ୍ମ ଦେଇଥାନ୍ତି । ସେହିପରି ତାକୁ ପିତାମାତାଙ୍କ ପରି ସ୍ନେହ ଓ ଶ୍ରଦ୍ଧା ପୂର୍ବକ ପାଳନ କରିଥାନ୍ତି ଓ ଅନୁଶାସନ ମାଧ୍ୟମରେ ତା’ ଭିତରେ ଥିବା ସବୁ ଦୋଷ ଓ ତ୍ରୁଟିକୁ ଦୂରେଇ ଦେଇଥାନ୍ତି । ତେଣୁ ଶିକ୍ଷକ ମାନଙ୍କୁ ଉପରୋକ୍ତ ଆଖ୍ୟା ପ୍ରଦାନ କରାଯାଇଛି । ଯଥାର୍ଥରେ ଏହି କଥାର ତାତ୍ପର୍ଯ୍ୟ ରହିଛି । କଥାରେ କହନ୍ତି ଗୁରୁ, କନ୍ୟା ଓ ଭୂମି ଭାଗ୍ୟରେ ଥିଲେ ପ୍ରାପ୍ତି ହୋଇଥାଏ ।

ଉତ୍ତମ ଗୁରୁଙ୍କ ସଂସ୍ପର୍ଶରେ ଆସିଲେ ଛାତ୍ରଟିଏ ଜୀବନରେ ଜଣେ ଭଲ ମଣିଷ ହେବା ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇଥାଏ । ଆମ ଦେଶ ଭାରତ ବର୍ଷରେ ଗୁରୁ ଓ ଶିଷ୍ୟର ମହାନ ପରମ୍ପରା ବୈଦିକ ଯୁଗରୁ ପୁଣି ଆଜି ଯାଏଁ ରହି ଆସିଛି । ଗୁରୁ ହେଉଛନ୍ତି ମଙ୍ଗଳମୟ । ଗୁରୁଙ୍କ କୃପା ବିନା ମଣିଷ ଜୀବନ ମୂଲ୍ୟହୀନ ହୋଇପଡେ । ଆମ ପୁରାଣ ଶାସ୍ତ୍ରରେ ବି ଆଦର୍ଶ ଗୁରୁ ଓ ଆଜ୍ଞାଧିନ ଶିଷ୍ୟମାନଙ୍କ ମାନଙ୍କ ସଂପର୍କରେ ଅନେକ ଶିକ୍ଷଣୀୟ କଥାମାନ ବର୍ଣ୍ଣନା କରାଯାଇଛି । ବୈଦିକ ଯୁଗରୁ ଗୁରୁ ପୂଜାର ପରମ୍ପରା ଆମ ଦେଶରେ ପ୍ରଚଳିତ ହୋଇ ଆସୁଛି । ପ୍ରତିବର୍ଷ ଆଷାଢ ପୂର୍ଣ୍ଣିମାକୁ ଗୁରୁ ପୁର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ । ତେବେ ଆଧୁନିକ ଯୁଗରେ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର ମାସ ୫ ତାରିଖକୁ ସମଗ୍ର ଭାରତ ବର୍ଷରେ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ତାଙ୍କ ସମ୍ମାନାର୍ଥେ ଗତ ୧୯୬୨ମସିହାରୁ ଏହି ଦିବସକୁ ସମଗ୍ର ଭାରତ ବର୍ଷରେ ଗୁରୁ ଦିବସ ଭାବେ ପାଳନ କରାଯାଇ ଆସୁଛି ।

ପରମ୍ପରାଗତ ଭାବେ ଆମେ ମାନୁ ଯେ, ଗୁରୁ ହେଉଛନ୍ତି ଈଶ୍ୱର ତୁଲ୍ୟ । ଗୁରୁ ମାନଙ୍କୁ ଆମ ସମାଜ ସଦାବେଳେ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରି ଆସିଛି । ସେହି ଅନୁସାରେ ଜଣେ ଛାତ୍ରକୁ ଉଚିତ ମାର୍ଗ ଦେଖାଇବା ଓ ତାକୁ ଭଲ ମଣିଷ କରିବାରେ ଗୁରୁ ମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣର୍ । ଭାରତର ପ୍ରାକ୍ତନ ରାଷ୍ଟ୍ରପତି, ବିଶ୍ୱ ପ୍ରସିଦ୍ଧ ଶିକ୍ଷକ, ଦାର୍ଶନିକ ତଥା ମହାନ ରାଷ୍ଟ୍ରନାୟକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ହେଉଛନ୍ତି ବୀରସ୍ୱାମୀ ପୁରୋହିତଙ୍କ ପୁଅ । ସେ ଗୁରୁ ନୁହଁନ୍ତି ଗୁରୁଣାଂ ଗୁରୁ । ଭାରତ ମାଟି ହିଁ ଗୁରୁ ମାଟି । ଏହି ମାଟିରେ ଗୁରୁ ରାଧାକ୍ରିଷ୍ଣନ ଜନ୍ମ ହୋଇଥିଲା ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖ ଦିନ । ପୁରୋହିତ ବାପା ରାଧାକ୍ରିଷ୍ଣନଙ୍କୁ ପାଠ ପଢାଇ ପାରିଲେ ନାହିଁ । ବାଲ୍ୟକାଳରେ ରାଧାକ୍ରିଷ୍ଣନ ଥିଲେ ଲାଜକୁଳା, ନମ୍ର ଓ ସୁଧାର । ପ୍ରଭୁ ଭେଙ୍କେଟଶ୍ୱରଙ୍କ ପରମ ଭକ୍ତ । କେବଳ ହିନ୍ଦୁ ଧର୍ମ ନୁହେଁ ଖ୍ରୀଷ୍ଟ ଧର୍ମରେ ମଧ୍ୟ ତାଙ୍କର ସୁଖ୍ୟାତି ଥିଲା । ପ୍ରଚଣ୍ଡ ସ୍କୃତି ଶକ୍ତିର ଗନ୍ତାଘର ଥିଲେ ରାଧାକ୍ରିଷ୍ରନ ।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି ରାଧାକ୍ରିଷ୍ଣନ ଯେ ଜଣେ ବଡ ମଣିଷ ହେବେ ସେକଥା ତାଙ୍କ ପିଲା ଦିନରୁ ଜଣାପଡିଥିଲା । ପିଲା ଦିନରୁ ତାଙ୍କୁ ତାଙ୍କ ସାଙ୍ଗସାଥୀ, ଶିକ୍ଷକ ଓ ଅଧ୍ୟାପକ ମାନେ ଅଶେଷ ଭଲ ପାଉଥିଲେ । ବି.ଏ ପରୀକ୍ଷାରେ ରାଧାକ୍ରିଷ୍ଣନ ବିଶ୍ୱ ବିଦ୍ୟାଳୟ ଟପ୍ପର ହେଲେ । ଦର୍ଶନ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥଲା । ପିଲା ଦିନରୁ ଯିଏ ପାଠ ପଢିବାର ରାହା ପାଉନଥିଲେ ସେ ପିଲାମାନଙ୍କୁ ପାଠ ପଢିବାରେ ସାହା ଦେଲେ । ଏଥିପାଇଁ ଦୃଢ ମନୋବଳ ଓ କଠୋର ସାଧନା ଦରକାର । ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜ ଗୋଟିଏ ନାମୀ କଲେଜ । ସେହି କଲେଜରେ ଅଧ୍ୟାପନା କରୁଥିଲେ ରାଧାକ୍ରିଷ୍ଣନ । ତାଙ୍କର ହୃଦୟ ଥିଲା ଶିଶୁ ପରି ସରଳ କିନ୍ତୁ ବଜ୍ର ପରି କଠୋର । ଦର୍ଶନ ଶାସ୍ତ୍ର ଭଳି ଜଟିଳ ବିଷୟକୁ ସେ ଏପରି ସରଳ ଭାବେ ବୁଝାଇ ପାରୁଥିଲେ ଯେ, ତାଙ୍କ ଶିକ୍ଷାଦାନ ବେଳେ ପାଖ କକ୍ଷର ପିଲାମାନେ ପାଠ ଶୁଣିବାକୁ ଉଠି ଆସୁଥିଲେ । ଚୁମ୍ବକକୁ ଲୁହା ଟାଣେ । ଗୁଣିଆ ସୁନାକୁ ଜାଣେ । ରାଧାକ୍ରିଷ୍ଣନ ଡକ୍ଟରେଟ ଲାଭ କରିଥିଲେ । ମହୀଶୂର ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଅଧ୍ୟାପକ ହେଲେ । କଥା କମ୍ କହୁଥିଲେ । କାମ ବେଶୀ କରୁଥିଲେ । ମଣିଷକୁ ଦେବତା ପରି ଭଲ ପାଉଥିଲେ ।

ଛାତ୍ରମାନଙ୍କ ସହିତ ଅତି ଆତ୍ମୀୟତାର ସହ ମିଶୁଥିଲେ । ଆରମ୍ଭ ହେଲା ବହି ଲେଖା ପର୍ବ । ଯେଉଁ ବହି ସାରା ପୃଥିବୀରେ ସେଦିନ ଚହଳ ପକାଇ ଦେଲା । ଆମେରିକାରେ ହିନ୍ଦୁ ଧର୍ମ ପ୍ରଚାର ଓ ପ୍ରସାର କଲେ । ଭାରତୀୟ ସଂସ୍କୃତି ମହାନ ସଂସ୍କୃତି । ଏକମାତ୍ର ଲକ୍ଷ୍ୟ ବିଭିନ୍ନତା ମଧ୍ୟରେ ଏକତା । ପୂର୍ବ-ପଶ୍ଚିମ ମିଳନର ସେତୁ ବନ୍ଧ ହେଲେ ସର୍ବପଲ୍ଲୀ ଗାଁର ରାଧାକ୍ରିଷ୍ଣନ । ପ୍ରାଚ୍ୟର ଗୁରୁ ପାଶ୍ଚାତ୍ୟର ଗୁରୁ ହେଲେ । ‘ଗୁ’ର ଅର୍ଥ ଅନ୍ଧାର । ‘ରୁ’ର ଅର୍ଥ ଦୂରେଇ ଦେବା । ଅର୍ଥାତ ଅନ୍ଧକାରକୁ ଦୂରେଇ ଦେବା । ଅନ୍ଧାରରୁ ଯିଏ ଆଲୋକ ଦେଖାନ୍ତି ସେହି ହିଁ ସଦଗୁରୁ । ଏହି ମର୍ମରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବିଶ୍ୱର ସର୍ବଶ୍ରେଷ୍ଠ ସଦ୍ ଗୁରୁ । ରାଧାକ୍ରିଷ୍ଣନ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର କୁଳପତି ହେଲେ । ଭିକମାଗି ପଣ୍ଡିତ ମଦନମୋହନ ମାଲବ୍ୟ ଯେଉଁ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ତା’ର ପ୍ରଥମ କୁଳପତି ଭାବେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଅଭିଷିକ୍ତ ହେଲେ । ଗୀତା, ବେଦ, ବେଦାନ୍ତର ପ୍ରଧାନ ଆଚାର୍ଯ୍ୟ ଥିଲେ ରାଧାକ୍ରିଷ୍ଣନ ।

ସବୁ ଧର୍ମ ପ୍ରତି ସମ୍ମାନ, ସବୁ ଜାତି ପ୍ରତି ସ୍ନେହ । ସତ୍ୟ, ଧର୍ମ ଓ ଶାନ୍ତିର ପ୍ରଚାରକ ରାଧାକ୍ରିଷ୍ଣନଙ୍କ ପ୍ରଚେଷ୍ଟାରେ ସେ ସଂପର୍କ ମଧୁର ହୋଇଗଲା । ରାଧାକ୍ରିଷ୍ଣନ ହେଲେ ଭାରତର ଉପ ରାଷ୍ଟ୍ରପତି । ତା’ପରେ ରାଷ୍ଟ୍ରପତି । ତାଙ୍କର ଗୁଣରେ ମୁଗ୍ଧ ହୋଇ ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ନିଜ ବିମାନଟି ରାଧାକ୍ରିଷ୍ଣନଙ୍କ ବ୍ୟବହାର ଲାଗି ପ୍ରଦାନ କଲେ । ସେହି ମହାନ ଗୁରୁଙ୍କର ମହାର୍ଘ୍ୟ ଜୟନ୍ତୀ ଉତ୍ସବକୁ ଭାରତର କୋଣ ଅନୁକୋଣରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀ ମାନେ ବଡ ଆଗ୍ରହର ସହିତ ପାଳନ କରିଥାନ୍ତି । ଏହି ଦିନ ଗୁରୁ ପୂଜନ କରି ଛାତ୍ରଛାତ୍ରୀ ମାନେ ସେହି ମହାନ ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ସ୍ମରଣ କରିବା ସହ ଗୁରୁ-ଶିଷ୍ୟର ପବିତ୍ର ଓ ମହନୀୟ ସଂପର୍କକୁ ସବୁଦିନ ଲାଗି ଉଜ୍ଜିବୀତ କରି ରଖିବାକୁ ଚେଷ୍ଟା କରିଥାନ୍ତି ।

Leave A Reply