ଆଗରପଡ଼ା: ବନ୍ତ ବ୍ଲକ ମହାନ୍ତିପଡ଼ା ପଞ୍ଚାୟତଟି ଉନ୍ନୟନ ମୂଳକ କାର୍ଯ୍ୟରେ ସର୍ବାଗ୍ରେ ରହିଥିବା ବେଳେ ଏଥିରେ ଅତିଷ୍ଠ ହୋଇ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସରପଞ୍ଚଙ୍କୁ ବଦନାମ କରିବାର ଅପଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରି ଏହି ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟସଭ୍ୟା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜର ମତ ରଖିଛନ୍ତି ।
ପଞ୍ଚାୟତ କାର୍ଯ୍ୟାଳୟରେ ଆହୂତ ଏହି ସମ୍ମିଳନୀରେ ଅସୁସ୍ଥ ସରପଞ୍ଚଙ୍କ ଅନୁପସ୍ଥିତରେ ତାଙ୍କ ନିକଟ ସମ୍ପର୍କୀୟ ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ଜେନା, ବିଜେଡ଼ି ପଞ୍ଚାୟତ ସଭାପତି ନନ୍ଦ କିଶୋର ନାୟକ, ନାୟବ ସରପଞ୍ଚ ଜଗନ୍ନାଥ ବେହେରାଙ୍କ ସମେତ ସମସ୍ତ ୱାର୍ଡ଼ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ । ସରପଞ୍ଚ ସୁଶାନ୍ତି ଜେନା ଅସୁସ୍ଥ ଥିବା ସୁଯୋଗରେ ଓ ଲୋକଙ୍କ ସ୍ୱାର୍ଥଦୃଷ୍ଟିରୁ ମହାନ୍ତିପଡ଼ା ବାଲିଘାଟରୁ ବାଲି ଖନନକୁ ଅନୁମତି ନଦେବାରୁ ତାଙ୍କୁ ବଦନାମ କରିବାକୁ ବିରୋଧୀମାନେ ସୁଯୋଗ ପାଇଛନ୍ତି ବୋଲି ସେମାନେ କହିଥିଲେ ।
ଶ୍ରୀମତୀ ଜେନା ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିଆସିଛନ୍ତି । ପଞ୍ଚାୟତରେ ଥିବା ବୃଦ୍ଧ ବୃଦ୍ଧାଙ୍କୁ ଚିହ୍ନଟ କରି ଭତ୍ତା ପାଇବାର ବ୍ୟବସ୍ଥା କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ଆବାସ ଯୋଜନାରେ ସାମିଲ କରିବା ଆଦି ଅନେକ ଉଦାହରଣ ରହିଛି । ଏଥିସହ ସ୍ୱତନ୍ତ୍ର ମାର୍କେଟ କମ୍ପ୍ଲେକ୍ସ, ନିର୍ବାହୀ ଅଧିକାରୀ ଗୃହ, ସ୍କୁଲ ବାଉଣ୍ଡାରୀ,ପଞ୍ଚୟତ କାର୍ଯ୍ୟଳୟରେ ସୁଦୃଶ୍ୟ ଫାଟକ, ଟିଏମସି ସେଣ୍ଟର ଆଦି କରିବା ସହ ଏସଏଫସି, ସିଏଫସି ଅର୍ଥର ସଦବିନିଯୋଗ ହୋଇଛି ବୋଲି ୱାର୍ଡ଼ ସଭ୍ୟସଭ୍ୟାମାନେ ପ୍ରକାଶ କରିଛନ୍ତି । ୱାର୍ଡ଼ ସଭ୍ୟା ସ୍ୱର୍ଣ୍ଣଲତା ବାରିକ, ଲତିକା ନାୟକ, ବନଜ୍ୟୋସ୍ନା ଦାସ, ସୁକାନ୍ତି ସାହୁ, ବନୀତା ସାହୁ, ସବିତା ନାୟକ, ସଞ୍ଜୁଲତା ସାହୁ ସଭ୍ୟ ପ୍ରଦିପ ମହାରଣା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।