ଡକ୍ଟର ବିଜୟଲକ୍ଷ୍ମୀ ଭୂୟାଁ : କେନ୍ଦୁଝର ରେଳଲାଇନ ଖଣିଜ ସମ୍ପଦ ବହୁଳ କେନ୍ଦୁଝରର ଖଣି ଅଞ୍ଚଳକୁ ପାରାଦ୍ୱୀପ ବନ୍ଦର ସହିତ ନିକଟ ସଂଯୋଗ ସ୍ଥାପନ କରିବା ଉଦେ୍ଦଶ୍ୟରେ ନିର୍ମିତ ହୋଇଥିଲା । ଓଡ଼ିଶାର ବିଶିଷ୍ଟ ଖଣି ଅଞ୍ଚଳ ବାଂଶପାଣି, ବଡ଼ ଜାମଦା, ଦୈତାରୀ, ଟମକା ଏବଂ ଗନ୍ଧମାର୍ଦ୍ଦନ ମାଲାଙ୍କଟୋଲିକୁ ପାରାଦ୍ୱୀପ ବନ୍ଦର ସହିତ ଯୋଗାଯୋଗ କରିବା ପାଇଁ ଟ୍ରେନ ଗୁଡ଼ିକୁ ଦୀର୍ଘ ଖରସୁଅାଁ ଓ ଖଡ଼ଗ୍ପୁର ଦେଇ ବହୁତ ଦୂର ଅତିକ୍ରମ କରିବାକୁ ପଡ଼ୁଥିଲା । ଜଖପୁରାଠାରୁ ବାଂଶପାଣି ପର୍ଯ୍ୟନ୍ତ ଏହି ରେଳପଥ ହେବା ଫଳରେ ଉକ୍ତ ଦୂରତା ୩୩୫ କିମି ହ୍ରାସ ପାଇପାରିଛିି । ଏହାଛଡ଼ା ଉତ୍ତର ପୂର୍ବାଞ୍ଚଳରୁ ନୂଆଦିଲ୍ଲୀ ଏବଂ ବମ୍ବେକୁ ସିଧାସଳଖ ପରିବହନ ସୁବିଧା ମଧ୍ୟ ଏହାଦ୍ୱାରା ଉପଲବ୍ଧ ହୋଇପାରିଛି । ଉକ୍ତ ରେଳପଥରେ ଲୁହାପଥର ସହ ତାପଜ ବିଦୁ୍ୟତ କେନ୍ଦ୍ର ଗୁଡ଼ିକୁ କୋଇଲା ପରିବହନରେ ସୁବିଧା ମଧ୍ୟ ଉପଲବ୍ଧ ହୋଇପାରିଛି । ଏହି ରେଳପଥର ବିବରଣୀ ଲେଖିବାକୁ ଗଲେ ଦେଖାଯାଏ ଯେ ଏହା ମଧ୍ୟରେ ସତରଟି ରେଳ ଷ୍ଟେସନ ଅବସ୍ଥିତ ।
ବିଭିନ୍ନ ନଦନଦୀ, ପାହାଡ଼ି ନାଳ ଓ ଝରଣା ଅତିକ୍ରମ ପାଇଁ ୨୮ଟି ବଡ଼ ଓ ୩୫୪ଟି ଛୋଟ ପୋଲ, ୫୮ଟି ଲେବଲ କ୍ରସିଂ ନିର୍ମାଣ କରାଯାଇଛି । ଉକ୍ତ ରେଳଲାଇନ ପଥୁରିଆ ବନ୍ଧୁର ଭୂଭାଗ, ତୀକ୍ଷ୍ଣ ଉଠାଣି ଥିବା ଛୋଟ ଛୋଟ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଦେଇ ଗତି କରିଥାଏ । ବାଂଶପାଣି ରେଳଷ୍ଟେସନ ସମୁଦ୍ର ପତ୍ତନ ଠାରୁ ୪୮୧ ମିଟର ହେଲାବେଳେ ଟମ୍କା ୮୭ ମିଟର ଉଚ୍ଚତାରେ ଅବସ୍ଥିତ । ସମ୍ପୂର୍ଣ୍ଣ ପଥୁରିଆ ଅଞ୍ଚଳ ହୋଇଥିବାରୁ ରେଳ ଲାଇନ ବିଛାଇବାରେ ବିଶେଷ ଅସୁବିଧା ହୋଇ ନାହିଁ । ବର୍ଷଯାକ ବିଭିନ୍ନ ପ୍ରକାର ପାଣିପାଗ ଉକ୍ତ ଅଞ୍ଚଳରେ ଅନୁଭୂତ ହୋଇଥାଏ । ବର୍ଷର ବିଭିନ୍ନ ସମୟରେ ସର୍ବୋଚ୍ଚ ୪୬୦ ଓ ସର୍ବନିମ୍ନ ୩୦ ତାପମାତ୍ରା ହୋଇଥାଏ । ଏହାର ଆର୍ଦ୍ରତା ୩୫%ରୁ ୮୦% ମଧ୍ୟରେ ରହିଥାଏ । ବୈତରଣୀ ନଦୀ ଏହି ଅଞ୍ଚଳର ପ୍ରଧାନ ନଦୀ । ଏହାଛଡ଼ା ଆହୁରି ଅନେକ ପାହାଡ଼ିଆ ନଦୀ ବର୍ଷାଦିନେ ଦେଖିବାକୁ ମିଳେ । ଶାଳ, ତେନ୍ତୁଳି, ବାଉଁଶ ଓ ମହୁଲ ଗଛମାନ ଏଠାରେ ଜଙ୍ଗଲରେ ଦୃଷ୍ଟିଗୋଚର ହୁଏ । ବିଭିନ୍ନ ଜାତିର ହିଂସ୍ରଜନ୍ତୁ, ପକ୍ଷୀ, ଗୋଧୀ, ଓଧ, ସାପ ଆଦି ସରୀସୃପ ପ୍ରାଣୀ ଏଠାକାର ଘଞ୍ଚ ଅରଣ୍ୟ ମଧ୍ୟରେ ବସବାସ କରନ୍ତି ।
ଏ ଅଞ୍ଚଳରେ ୨୨% ଜଙ୍ଗଲ, ୪% ଜନବସତି, ୫୭% ଚାଷଜମି, ୧୬% ପତିତ ଅଞ୍ଚଳ ଓ ୧% ଜଳଭାଗ ଅବସ୍ଥିତ । ରେଳରାସ୍ତାର ଦୁଇ ପାଶ୍ୱର୍ରେ ଅନେକ ଗୁଡ଼ିଏ ଛୋଟ ବଡ଼ ଗାଁ, ଅସଂଖ୍ୟ ଝାଟିମାଟି କୁଡ଼ିଆ ଘର ଓ କେତେକ ସ୍ଥାନରେ ଝରଣା ଦେଖିବାକୁ ମିଳେ । ଏ ଅଞ୍ଚଳରେ ୬୯% ଜନଜାତି, ୮.୫% ପଛୁଆବର୍ଗ ଓ ୮.୫% ସବର୍ଣ୍ଣ ଜାତିର ଲୋକମାନେ ବସବାସ କରନ୍ତି । ୧୯୯୭ ମସିହାରେ ପ୍ରସ୍ତାବିତ ରେଳରାସ୍ତାରେ ସେତେବେଳେ ୨୪ଟି ଗାଁ ୭୧ଟି ପରିବାର ଏବଂ ସେମାନଙ୍କ ଭୂସମ୍ପତ୍ତି ଚାଲିଯାଇଥିଲା । ଜଖପୁରା ଠାରୁ ଦୈତାରୀ ପର୍ଯ୍ୟନ୍ତ ରେଳରାସ୍ତା ୧୯୭୬-୭୭ରେ ଅନୁମୋଦନ ଲାଭ କରି ୧୯୮୧ରେ ସମ୍ପୂର୍ଣ୍ଣ ହୋଇଥିଲା । ୧୫୨ କିମି ବିଶିଷ୍ଟ ଦୈତାରୀ ଠାରୁ ବାଂଶପାଣି ରେଳରାସ୍ତା ୧୯୯୨-୯୩ ମସିହାରେ ଅନୁମୋଦନ ଲାଭ କରି ୨୦୦୪ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ଏହାଦ୍ୱାରା ପାରାଦ୍ୱୀପ ବନ୍ଦର ଦେଇ ଦେଶ ବିଦେଶକୁ ଲୁହାପଥର ରପ୍ତାନୀ ସହଜସାଧ୍ୟ ହୋଇପାରିଛି । ମାତ୍ର ଜଖପୁରା – କେନ୍ଦୁଝର ଲାଇନରେ ପ୍ରଥମ ପାସେଞ୍ଜର ଟ୍ରେନ (ଟ୍ରେନ ନଂ. ୮୪୧୬) ଦକ୍ଷିଣ-ପୂର୍ବ ରେଳପଥ ଚ୍ୟେୟାରମ୍ୟାନଙ୍କ ଦ୍ୱାରା ୪.୧.୨୦୦୯ରେ ଲୋକାର୍ପଣ ହୋଇଥିଲା ।
ଭାରତର ରେଳଯାତ୍ରାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଥିବା ସ୍ଥାନମାନଙ୍କୁ ଯଦି ବିଚାରକୁ ଆଣିବା ତେବେ କାଲ୍କା ଠାରୁ ସିମିଳାକୁ ଯାଇଥିବା ମିଟରଗଜ ରାସ୍ତା ପ୍ରଥମରେ ଆସିବ । ଏହାପରେ କେନ୍ଦୁଝରକୁ ରେଳଯାତ୍ରା ଦ୍ୱିତୀୟରେ ଆସିବ । ଆମର ସିମ୍ଳା ଗସ୍ତ ସମୟରେ ଏହି ସୌନ୍ଦର୍ଯ୍ୟମୟ ରାସ୍ତାରେ ଯିବା ପାଇଁ ସୁଯୋଗ ମିଳିଥିଲା । ମନ୍ଥରଗତିରେ ଯାତ୍ରା କରୁ ଥିବାରୁ ଏହି ଟ୍ରେନକୁ ଟୟ- ଟ୍ରେନ ବୋଲି ମଧ୍ୟ କୁହାଯାଏ । ଦୀର୍ଘ ୯୬ କିମି ରାସ୍ତା ଅତିକ୍ରମ କରିବାକୁ ଛଅ ଘଣ୍ଟା ସମୟ ଲାଗିଯାଏ । ଶିବାଲିକ୍ ଡିଲକ୍ସ, କାଲ୍କା – ସିମଲା ଏକ୍ସପ୍ରେସ, ରେଲ ମୋଟର ଓ ହିମାଳୟାନ କୁଇନ ନାମକ ଟ୍ରେନ ଗୁଡ଼ିକ ପର୍ଯ୍ୟଟକ ମାନଙ୍କୁ ନେଇ ଅତ୍ୟନ୍ତ ଚିତ୍ତାକର୍ଷକ ପାଇନ, ଦେବଦାରୁର ସବୁଜ ବନାନୀ, ପାହାଡ଼ ପର୍ବତ, ପୋଲ, ସୁଢ଼ଙ୍ଗମାନ ମଧ୍ୟ ଦେଇ ମନ୍ଥର ଗତିରେ ସିମ୍ଲା ପର୍ଯ୍ୟନ୍ତ ଯାତ୍ରା କରେ । ସକାଳୁ ସକାଳୁ ଥଣ୍ଡାପାଗ ଓ ଶିତୁଆ ପବନରେ ଏହି ଯାତ୍ରାର ଆନନ୍ଦ ଅବର୍ଣ୍ଣନୀୟ ।
ସିମ୍ଳା ରେଳଯାତ୍ରା ପରେ ଦେଶର ଦ୍ୱିତୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜଖପୁରା ଠାରୁ ବାଂଶପାଣି ରେଳଯାତ୍ରାରେ ଉପଭୋଗ ହୁଏ । ସେଇ ସୌନ୍ଦର୍ଯ୍ୟଭରା ଯାତ୍ରାର ଆନନ୍ଦ ନେବା ପାଇଁ କେନ୍ଦୁଝରକୁ ରେଳଯାତ୍ରା କଲୁ । ସକାଳ ଆଠଟାରେ ପୁରୀ-କେନ୍ଦୁଝର ଏକ୍ସପ୍ରେସ ଟ୍ରେନ କଟକ ଷ୍ଟେସନ ଛାଡ଼ିଲା । ପୂର୍ବରୁ ଦୁଇଗୋଟି ସିଟ ଏହି ଚେୟାର କାର ଟ୍ରେନରେ ଅନ୍ଲାଇନରେ ସଂରକ୍ଷିତ ହୋଇ ରହିଥିଲା । ଟ୍ରେନଟି ଜଖପୁରା ଷ୍ଟେସନରୁ ସହରୀ ବାତାବରଣ ଛାଡ଼ି କେନ୍ଦୁଝର ଦିଗରେ ଗତି କଲା । ସୁକିନ୍ଦାରୋଡ଼ ଓ ବାଘୁଆପାଳ ଷ୍ଟେସନ ପରେ ଟମକା ଷ୍ଟେସନ ଭିତରେ ରାସ୍ତାର ଦୁଇ ପାଶ୍ୱର୍ରେ ଅନେକ ଗୁଡ଼ିଏ ଛୋଟ ବଡ଼ କ୍ରସର ପଥରରୁ ବିଭିନ୍ନ ସାଇଜର ଗେଟି ପ୍ରସ୍ତୁତ କରିବାର ଦେଖିବାକୁ ମିଳେ । ସେଥିରୁ ଉତ୍ପନ୍ନ ଧୂଳି ଓ ଧୂଅାଁ ସବୁଜ ଗଛଲତା, ବିଲବାଡ଼ି, ଘରଦ୍ୱାରକୁ ଧୂଳିଧୂଷର କରି ଜନବସତିକୁ ପ୍ରଦୂଷଣ କରିବା ପରି ବୋଧ ହେଉଥିଲା । ଜନବସତି ଠାରୁ ଏସବୁ ଦୂରକୁ ଉଠିଯିବା ନିହାତି ଆବଶ୍ୟକ ।
ସୁକିନ୍ଦା ଠାରେ ଟାଟା କମ୍ପାନୀ ଓ ଅନ୍ୟାନ୍ୟ କଳକାରଖାନା ଦୃଷ୍ଟିଗୋଚର ହୋଇ ଓଡ଼ିଶାର ଦ୍ୱିତୀୟ ଇସ୍ପାତ ସିଟି ଦେଖିବାର ସୁଯୋଗ ମିଳେ । ସେମିତି ସବୁଜ ଅରଣ୍ୟାନୀ ମଧ୍ୟ ଦେଇ ଚିଲିକିଧର ଷ୍ଟେସନ ଓ ତାପରେ ପଡ଼େ ହରିଚନ୍ଦନପୁର ଷ୍ଟେସନ । ଏହି ଷ୍ଟେସନରେ ଅନେକଯାତ୍ରୀ ଓହ୍ଲାଇ ମା’ତାରିଣୀଙ୍କୁ ଦର୍ଶନ କରିବା ପାଇଁ ଘଟଗାଁ ଯାତ୍ରା କରନ୍ତି । ଷ୍ଟେସନ ନିକଟରେ ଅଟୋରିକ୍ସା ଓ ଟ୍ରେକରମାନ ଯାତ୍ରୀଙ୍କ ସୁବିଧା ପାଇଁ ଉପଲବ୍ଧ ହୁଏ । ତାପରେ ନୀଳକଣ୍ଠପୁର ଓ ସୀତାବିଞ୍ଜି ଷ୍ଟେସନ ଆସେ । ଏଠାରେ ମଧ୍ୟ ଘଞ୍ଚ ଜଙ୍ଗଲ ସହିତ ବଡ଼ ବଡ଼ ପାହାଡ଼ମାନ ଦୂରରୁ ଦୃଷ୍ଟିଗୋଚର ହୁଏ । ପର ଷ୍ଟେସନ ବସନ୍ତପୁର ଓ ତାପରେ ନରଣପୁର ଷ୍ଟେସନ ।
ନରଣପୁରରେ ଅନେକଯାତ୍ରୀ ଓହ୍ଲାଇ ପଡ଼ନ୍ତି କେନ୍ଦୁଝର ସହର ମଧ୍ୟକୁ ଯିବାପାଇଁ । ଶେଷରେ କେନ୍ଦୁଝର ଷ୍ଟେସନରେ ଚାରି ଘଣ୍ଟାର ଆନନ୍ଦମୟ ରେଳଯାତ୍ରା ସମାପ୍ତ ହୁଏ । ଇଛା ହେଉଥାଏ ଏ ରେଳଯାତ୍ରା ସମାପ୍ତ ନ ହୋଇ ସେମିତି ଚାଲୁଆଥାନ୍ତା କି! ସୁନ୍ଦର ବନାନୀ, ଝରଣା, ମନ୍ଦିର, ଆକାଶଚୁମ୍ବୀ ଶାଳ, ପିଆଶାଳ, ଅସନ ବୃକ୍ଷ, ଜଙ୍ଗଲରୁ ଗାଁକୁ ଲମ୍ବିଯାଇଥିବା ସର୍ପିଳ ମାଟିରାସ୍ତା, ଜଙ୍ଗଲ ମଝିରେ ଖଣ୍ଡେ ଖଣ୍ଡେ ଧାନ ବିଲର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର । କବିଙ୍କ ଭାଷାରେ “କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର କୋଟି ଅନନ୍ତ ଅପାର ।’
କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟରେ ଦୀର୍ଘ ଦଶବର୍ଷ ଧରି ଅଧ୍ୟାପନା କରିବା ଅବସରରେ ବହୁବାର ନିଜ ଘରକୁ କଟକ ଆସିଛି । ଦୀର୍ଘ ଦୁଇଶହ କିଲୋମିଟର ଆବଡ଼ଖାବଡ଼ା ପୁରୁଣା ଘାଟି ରାସ୍ତାରେ ଆଗରୁ ପଛରୁ ଯାଉଥିବା ଲୁହାପଥର ବୋଝେଇ ଟ୍ରକକୁ ରାସ୍ତା ଦେଇ ଆସିବାକୁ ବସକୁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଲାଗିଯାଏ ।
ଅଣ୍ଟାପିଠି ଦରଜ ହୋଇଗଲେ ମଧ୍ୟ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭକରି କଷ୍ଟସବୁ ଉଭାନ ହୋଇଯାଏ । କେନ୍ଦୁଝରବାସୀଙ୍କ ପାଇଁ ଏହି ରେଳରାସ୍ତା ଏକ ବରଦାନ ସଦୃଶ । ବହୁ ଆରାମରେ ଓ ସ୍ୱଳ୍ପଖର୍ଚ୍ଚରେ ସେମାନେ ବ୍ୟବସାୟ ନଗରୀ କଟକ, ଉଚ୍ଚ ନ୍ୟାୟାଳୟ, ରାଜଧାନୀ ଭୁବନେଶ୍ୱର ଏବଂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଯାତ୍ରାକରି ପାରୁଛନ୍ତି । ଏ ପଟରୁ ମଧ୍ୟ ଲୋକମାନେ ମା’ତାରିଣୀଙ୍କ ଦର୍ଶନ ନିମନ୍ତେ ଘଟଗାଁ ଓ କେନ୍ଦୁଝରର ଦର୍ଶନୀୟ ସ୍ଥାନ ମାନଙ୍କୁ ଆନନ୍ଦରେ ଯାତାୟତ କରିପାରୁଛନ୍ତି । ଏହି ରେଳପଥର ନିର୍ମାଣ ଫଳରେ କେନ୍ଦୁଝରବାସୀଙ୍କର ବହୁଦିନର ସ୍ୱପ୍ନ ସାର୍ଥକ ହୋଇପାରିଛି ।