ଡକ୍ଟର ବିଜୟଲକ୍ଷ୍ମୀ ଭୂୟାଁ : ମୋର କର୍ମଭୂମି ହେଲା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅନ୍ତର୍ଗତ ଖାଳିଆମେଣ୍ଟା ଗ୍ରାମ । ଓଡ଼ିଶାର ସେତେବେଳର ତେରଗୋଟି ଜିଲ୍ଲାର ଏକ ନମ୍ବର ଜିଲ୍ଲା କଟକରୁ ତେର ନମ୍ବର ଜିଲ୍ଲା କେନ୍ଦୁଝରକୁ ବୋହୁ ହୋଇ ଆସିବାକୁ ପଡ଼ିଲା । ଗାଁ ଭିତରକୁ ନୂଆ ହୋଇ ଆସୁଥିବା ବେଳେ ଅଣ ଓସାରିଆ ଆବଡ଼ା ଖାବଡ଼ା ରାସ୍ତାରା ଦୁଇ ପାଶ୍ୱର୍ରେ ଥିବା ପାହାଡ଼ ଜଙ୍ଗଲ ଦେଖି ଗୋଦାବରୀଶ ମିଶ୍ରଙ୍କ ରଚିତ “କାଳିଜାଈ’ କବିତା ମନେପଡ଼ିଲା । ବାପାଙ୍କୁ ମନେ ମନେ ପଚାରୁଥିଲି “ବର ବୋଲି ଯାର ଧରାଇଲ ହାତ କି ତାର ଦେଖିଲ ଶିରୀ, ରୂପଗୁଣ ଆଉ ବିଭବେ ବାପା ହେ ତିନି ହେଁ ତିନିଙ୍କି ବଳି ।’ ଶାଶୁଘରେ ପହଞ୍ଚô ଦିନ କେତୋଟିରେ ମନ ପରିବର୍ତ୍ତନ ହେଲା । ସ୍ନାତକୋତ୍ତର ପରେ ଫକୀର ମୋହନ ମହାବିଦ୍ୟାଳୟରେ ଚାକିରୀ କରିବାର ତିନି ମାସ ପରେ ବାହାଘର ହେଲା ।
ଘର କାମରେ ସମ୍ପୂର୍ଣ୍ଣ ଅଜ୍ଞଥିବା ସତ୍ତ୍ୱେ ଏକ ବିରାଟ ଯୌଥ ପରିବାରର ବଡ଼ ବୋହୁ ହେବାକୁ ପଡ଼ିଲା । ଭାତହାଣ୍ଡି ଦେଖି ଭାବିଲି ଗାଁ ଯାକର ରୋଷେଇ କ’ଣ ଏଇଠି ହୁଏ । ସକାଳୁ ସୂର୍ଯେ୍ୟାଦୟଠାରୁ ରାତି ଅଧ ପର୍ଯ୍ୟନ୍ତ କୋଳାହଳମୟ ପରିବେଶ । କଟକରେ ଜନ୍ମ ହୋଇ ପିଲାଦିନରୁ ସହରୀ ବାତାବରଣରେ ବଢ଼ି ଆସିଥିବା ମନରେ ଏପରି ନୂଆ ପରିବେଶ ଖାପ ଖୁଆଇବାକୁ ଟିକେ ସମୟ ଲାଗିବା ସ୍ୱାଭାବିକ । ମାତ୍ର କିଛି ଦିନ ଭିତରେ ଭଲ ପାଇବସିଲି ସେଇ ନୂତନ ପରିବେଶକୁ । ଯେହେତୁ ପ୍ରଥମେ ଭଲ ପାଇଲି ଶାଶୁଘରର କେନ୍ଦ୍ରବିନ୍ଦୁ ମୋର ଜୀବନସାଥୀ ପତିଦେବଙ୍କୁ, ତାଙ୍କର ଅନାବିଳ ପ୍ରେମ ଓ ମନଭୁଲା ଆଦରଯତ୍ନକୁ । ପରିବାର ସଦସ୍ୟମାନଙ୍କର ନିଷ୍କପଟ ସ୍ନେହ ଶ୍ରଦ୍ଧା ଓ ଘର ଭିତରର ଅନୋପଚାରିକ ବାତାବରଣରେ ଦିନ ପରେ ଦିନ ବିତି ଯାଉଥିଲା ହସଖୁସିରେ ଓ ପରସ୍ପରକୁ ନିଜର କରିବାର ପ୍ରୟାସରେ ।
ତାପରେ ଭଲପାଇଲି ଓ ନିଜର କଲି କେନ୍ଦୁଝର ମାଟିକୁ ଓ ତାର ପାଣିପବନକୁ । ସେଠାକାର ଆରଣ୍ୟକ ସବୁଜିମା ଓ ସୁନ୍ଦରତାକୁ । ସୂର୍ଯ୍ୟକିରଣ ସନ୍ଧାନରେ ଉପରକୁ ଉଠି ଯାଇଥିବା ଲମ୍ବା ଲମ୍ବା ଶାଳଗଛର ସବୁଜ ବନାନି ଓ ତା ଭିତରେ ଛାଇ ଛାଇ ଆଲୁଅ ଦେଉଥିବା ଆକାଶର କପାଳରେ ହସୁଥିବା ପୁନେଇ ଜହ୍ନ ମନରେ ଅପୂର୍ବ ଆନନ୍ଦ ସଞ୍ଚାର କରେ । ସକାଳୁ କୁହୁଡ଼ି ଭରା ସୁଉଚ୍ଚ ପାହାଡ଼, ଦୂର ଝରଣାରୁ ଆସୁଥିବା କୁଳୁ କୁଳୁ ନାଦ, କୁକୁଡ଼ାର ଡାକ, କୁମ୍ଭାଟୁଆ ଡାକ, ଝଙ୍କାଳିଆ ବର ଅଶ୍ୱତ୍ଥ ବୃକ୍ଷମାନଙ୍କରେ ବସା ବାନ୍ଧିଥିବା ରଙ୍ଗବିରଙ୍ଗ ଚଢ଼େଇର କାକଳି ଓ ତା ସହିତ ଚଷାଭାଇ ବିଲକୁ ହଳ ନେଲାବେଳର ବଳଦକୁ ଆକଟ ଓ ତାର ବେସୁରା ରାଗିଣୀ ଅନ୍ୟ ଏକ ପୃଥିବୀର ପ୍ରତ୍ୟୟ ସୃଷ୍ଟି କରେ । ବର୍ଷାଦିନେ ଆକାଶରେ ଝିପିଝିପି ବର୍ଷା, ସୌଦାମିନୀର ଚପଳାମି, ଘଡ଼ଘଡ଼ିର ତାଗିଦା ବେଳେବେଳେ ବଡ଼ ବଡ଼ କୁଆପଥର ବୃଷ୍ଟି ଝରକାକୁ ଅଧା ଖୋଲି ନିରୀକ୍ଷଣ କଲେ ମନ ବିମୋହିତ ହୁଏ ।
ଶରତ କାଳର ଆକାଶରେ କୁଅାଁରପୁନେଇଁ ଚକାଜହ୍ନ ଓ ମାସେ କାଳ କୁଅାଁରୀ ମାନଙ୍କର ଉତ୍ତମ ବର ମନାସୀ ସଞ୍ଜ ବେଳେ ଗାଉଁଲୀ ବୋଲିଲେ ଜହି୍ନଓଷା ପାଳନ ସତରେ ନିଆରା । କାର୍ତ୍ତିକମାସରେ ଲିପାପୋଛା ଚଉଁରାମୂଳ, ପଞ୍ଚୁକରେ ମୁରୁଜ, ବଡ଼ ଓଷାରେ ଖଳାରେ ତରଣ ଓ ଗଜ ଭୋଗ, କାର୍ତ୍ତିକ ପୁନେଇଁରେ ପୋଖରୀରେ ଡଙ୍ଗା ଭସାର ଆନନ୍ଦ ଦେଖେ କିଏ । ମାର୍ଗଶୀର ମାସରେ ଗାଁଯାକ ରଙ୍ଗ ରଙ୍ଗିଆ ମାଟିରେ ଘର, ବାରଣ୍ଡା ଓ ଦାଣ୍ଡ ଅଗଣା ଲିପାପୋଛା କରି ତା ଉପରେ ପିଠଉରେ କୋଟିକମ ଝୋଟି ଓ ଧାନ ମେଣ୍ଟିର ସୌନ୍ଦର୍ଯ୍ୟ କେନ୍ଦୁଝର ଆଦିବାସୀ ବହୁଳ ଝିଅବୋହୁଙ୍କର ଅପୂର୍ବ କଳାକୃତି । ମାଣବସା ଦିନ ପୋଖରୀରୁ ପଦ୍ମଫୁଲ, କଇଁଫୁଲ, ଖଳାବାଡ଼ିରୁ ସୁନାରଙ୍ଗର ଗେଣ୍ଡୁଫୁଲ ଓ ବାଡ଼ରେ ଲାଗିଥିବା ସୁବାସିତ କୋରେଇ ଫୁଲ ସଂଗ୍ରହକରି ମାଣ ଉପରେ ଧାନ ଗୁଆ ଓ ଧାନମେଣ୍ଟି ରଖି ମା’ଲକ୍ଷ୍ମୀଙ୍କୁ ସ୍ଥାପନା କରି ଗୃହିଣୀମାନେ ମନାସୁ ଥାଆନ୍ତି ମା’ମୋର ଅନ୍ନଦାତ୍ରୀ, ବର୍ଷାସାରା ପିଲାମାନଙ୍କ ପେଟକୁ ଦାନା ଓ ପିଠିକୁ କନା ଯୋଗାଇ ଘଣ୍ଟ ଘୋଡ଼ାଇ ରଖିଥା’ । ଗାଁ ତମାମ ଝୁଣା ବାସ୍ନାରେ ଲାଗୁଥାଏ ସତେ ଅବା ମା’କମଳିନୀ ପଦ୍ମଫୁଲିଆ ଝୋଟିକୁ ଶରଧାକରି ଘରେ ଘରେ ପଶିଯାଉଛନ୍ତି । ଫଗୁଣ ମାସର ଦୋଳଯାତରା ଆହୁରି ମନ ଲୋଭା ।
ଦୋଳ ବିମାନକୁ ଗେଣ୍ଡୁ, ଟଗର, ଆମ୍ବଡାଳ ଓ ଆମ୍ବକଷିରେ ସଜାଇ ଶ୍ରୀରାଧା ମାଧବଙ୍କୁ ତହିଁରେ ସ୍ଥାପନ କରନ୍ତି ଓ ଗାଁ ଯାକ ବିମାନ କାନେ୍ଧଇ ଭକତମାନେ ଝାଞ୍ଜ ମୃଦଙ୍ଗ ବଜାଇ ଅପେକ୍ଷାରତ ଗ୍ରାମବାସୀଙ୍କ ଘରକୁ ଯାଆନ୍ତି । ଅବିର ଖେଳ ମଧ୍ୟରେ ଘର ଘର ବୁଲି ଠାକୁର ଭୋଗ ଖାଆନ୍ତି । ଖରାଦିନେ ରଜପର୍ବ କେନ୍ଦୁଝରର ସବୁଠାରୁ ବଡ଼ ପର୍ବ । ଘରେ ଘରେ ଦୋଳିଖେଳ, ଆମ୍ବତୋଟାରେ ସାହି ପିଲାଙ୍କ ବାଉଁଶ ଦୋଳି ଖେଳ, ଚକଡ଼ା ଉପରେ ଦଳ ଦଳ ହୋଇ ଲୋକମାନଙ୍କ ତାସ ଖେଳ, ଘର ଭିତରେ ଝିଅ ବୋହୁଙ୍କ ଲୁଡୁ ଓ କଉଡି ଖେଳ, ପୋଡପିଠା ଓ ଖାସି ମାଂସ ତରକାରୀର ବାସ୍ନା କେନ୍ଦୁଝରର ସ୍ୱାତନ୍ତ୍ର ବହନ କରେ । ଶ୍ୟାମଳୀ ଆଦିବାସୀ ଝିଅଙ୍କ ନାଲି ହଳଦିଆ ନେଳିଆ ରଙ୍ଗର ନୂତନ ବସ୍ତ୍ର ପରିଧାନ ଓ ନାଲିନେଳି ରିବନ ଫିତାରେ ବେଣୀ ବନ୍ଧନ, କପାଳରେ ଚନ୍ଦନ ଟିପା, ପାଦରେ ପଟା ପଟା ନାଲିଆ ଅଳତାରେ ସେମାନଙ୍କ ଆନନ୍ଦ କିପରି ଆକାଶଚୁମ୍ବୀ ତାହା ବର୍ଣ୍ଣନା କରିବା କଷ୍ଟସାଧ୍ୟ । ତିନିଦିନ ରଜ ପାଳନ ପରେ ବସୁମତୀ ଗାଧୁଆ ଦିନ ଗାଁ ନଳନା ମାନେ ଗାଁ ଫଟାଇ ଦିଅନ୍ତି ସଂଗୀତର ମୂର୍ଚ୍ଛନାରେ, ସେ ସଙ୍ଗୀତର ଅର୍ଥ କେବଳ ସେମାନେ ବୁଝିବେ କିିମ୍ବା ମା’ବସୁମତୀ ବୁଝିବେ, ସେମାନେ ଯାଆନ୍ତି ଗାଁ ମୁଣ୍ଡକୁ ରଜପର୍ବକୁ ବାଟେଇ ଦେବା ପାଇଁ ।
ପରବର୍ଷ ଜଲଦି ଆସିବା ପାଇଁ ନିମନ୍ତ୍ରଣ ଜଣାଇ ଆସନ୍ତି । ନିଦରୁ ଉଠାଇ ଦିନେ ଦିନେ କିଏ ଯେପରି କହେ ବୁଲିଯିବାନି କି ଘଟଗାଁ ତାରିଣୀ । ସତେ ତ ତାରିଣୀ ଠାକୁରାଣୀଙ୍କୁ ଦର୍ଶନ ନକରି କିଏ କ’ଣ କେନ୍ଦୁଝରରେ ରହି ପାରିବ । ସକାଳୁ ଗାଧୋଇ ପାଧୋଇ ନଡ଼ିଆ, ଶଙ୍ଖା, ସିନ୍ଦୂର, ମନ୍ଦାରଫୁଲ, ବେଲପତ୍ର ଧରି ଚାଲ ଘଟଗାଁ, ତାରିଣୀ ମା’ର ଦର୍ଶନ ପାଇଁ । ପ୍ରତ୍ୟକ୍ଷ ଠାକୁରାଣୀ ସେ, କୁଆଡ଼େ ଭକ୍ତିରେ ଡାକିଲେ “ଓ’ କରନ୍ତି । ନଡ଼ିଆ ଓ ମାଟିଘୋଡ଼ା ମନାସିଲେ ତ ନିଶ୍ଚୟ ଶୁଣିବେ ।
ବାସ୍ତବିକ କେନ୍ଦୁଝର! ତୋ କଥା ଭାବି ବସିଲେ ଭାସିଆସେ ମହୁଲ ଫୁଲର ବାସ୍ନା, ସୁନାରଙ୍ଗର ସୋରିଷ କିଆରୀ, ମାଣ୍ଡିଆ କିଆରୀ ଓ ଜଙ୍ଗଲୀ ଫୁଲର ମହକ । ଜୀବନ ଜୀବିକା ପାଇଁ ଆଜି ପୁଣି ଫେରି ଆସିଲୁ କଟକ ସହର । ପିଲାଛୁଆଙ୍କ ସଂସାରରେ ଓ କର୍ତ୍ତବ୍ୟ ପାଳନରେ ଦିନଯାଇ ରାତି ଆସୁଛି । ଦିନପରେ ଦିନ ବିତି ଯାଉଛି ସଂସାର ବନ୍ଧନରେ । ହେଲେ ତୋ କଥା ଭାବିଲେ ମୋ ପ୍ରିୟ କେନ୍ଦୁଝର ସ୍ମୃତି ସବୁ ଭାସି ଭାସି ଆସେ ମାନସପଟରେ । ଗାଁ ପରି ପ୍ରତୀୟମାନ ହେଉଥିବା ସେ ଘର ଆଜି ଶୂନଶାନ । ନୀରବରେ ନିଃଶ୍ୱାସ ମାରି ଖୋଜୁୁଛି ତା କୋଳରେ ବଢ଼ିଥିବା ସେଇ ପୁୁରୁଣା ମୁହଁ ସବୁକୁ । ସମସ୍ତେ ଆଜି ସହରୀ ମୁହାଁ । ମନହୁଏ ଫେରିଯାଆନ୍ତି ତୋ କୋଳକୁ, ତୋର ସେଇ ନିରାମୟ ଶାନ୍ତ ନିର୍ମଳ ପରିବେଶକୁ ଓ ଗ୍ରାମବାସୀଙ୍କ ଅନାବିଳ ସ୍ନେହର ପରିଧି ମଧ୍ୟକୁ । କିନ୍ତୁ ନିରୁପାୟ । କେବଳ ସ୍ମୃତି ସବୁ ଚଳଚ୍ଚିତ୍ର ପରଦା ପରି ମନର ପରଦାରେ ଭାସି ଭାସି ଯାଉଛି ।
