ବାଛୁରୀ ଛୁଆ ଜନ୍ମର କିଛି ସମୟପରେ ଦୈଡିଥାଏ ମାଁ କ୍ଷୀରଟାଣି ଖାଏ।ପକ୍ଷୀଛୁଆ କିଛି ଦିନ ଭିତରେ ଉଡିବା ଶିଖେ ନିଜ ଖାଦ୍ୟ ନିଜେ ସଂଗ୍ରହକରେ।ମଣିଷ ବ୍ୟତୀତ ଅନ୍ୟ ସମସ୍ତ ଜୀବଜନ୍ତୁ, କିଟପତଂଗ, ଜଳଚର ଜନ୍ମଗ୍ରହଣ ପରେ ପରେ ନିଜକାମ ନିଜେ କରିଥାନ୍ତି।ମଣିଷ ଛୁଆ ଜନ୍ମପୂର୍ବରୁ ମାଁ ର କେତେ ସେବା ଯତ୍ନ ନିଆଯାଏ।ଛୁଆ ଜନ୍ମ ହେଲେ କେତେ ସତର୍କତା ସହିତ ଲାଲନପାଳନ କରାଯାଏ।ଛୁଆ ଧିରେ ଧିରେ ବଢ଼ିବାରେ ଲାଗେ ବର୍ଷେ ପରେ ଚାଲିବା ଶିଖେ, ଚାରି ପାଞ୍ଚ ବରଷରେ ନିଜ ହାତେ ଖାଇବା ଶିଖେ।ସ୍କୁଲ ଯାଏ ପାଠ ପଢେ। ପିତାମାତା ସମସ୍ତ ପ୍ରକାର ବ୍ୟବସ୍ଥା ନିଜ ସନ୍ତାନର କରିଦିଅନ୍ତି। ଘରେ ବାହାରେ ବବୁଠି ତାକୁ ଯେମିତି କିଛି ଅସୁବିଧା ନହେବ ପାଦେ ପାଦେ ଦୃଷ୍ଟି ରଖିଥାନ୍ତି।ପାଠ ପଢା ସରିଲାପରେ କିଛି ରୋଜଗାର ପାଇଁ ଚିନ୍ତା କରେ ସେ ଚାକିରୀ ହେଉ କି ଚାଷ,ପେଟପୋଷା ବୃତ୍ତି ହେଉ ଅଥବା ପେଶାଦାର ବୃତ୍ତି।ପଇସା ରୋଜଗାର କରିମଧ୍ୟ ନିଜକାମ ନିଜେ କରିପାରେ ନାହିଁ।ସାମାଜିକ ଜୀବନ ପାଇଁ ସମାଜ ଉପରେ ଯେତିକି ନିର୍ଭରକରେ ଖାଦ୍ୟପେୟ ପାଇଁ ପ୍ରକୃତି ଉପରେ ସେତିକି ନିର୍ଭରଶୀଳ।
ବିଶେଷ ଭାବରେ କୃଷି ଉତ୍ପାଦିତ ସାମଗ୍ରୀ ଉପରେ ମନୁଷ୍ୟ ର ଜୀବନ ଜୀବିକା ନିର୍ବାହ କରିଥାଏ।କେଉଁ ଆଦିମକାଳରୁ ମନୁଷ୍ୟ ପ୍ରକୃତି ସହ ଓତଃପ୍ରୋତ ଭାବରେ ଜଡିତ।ସେ କଞ୍ଚା ମାଂସ ଖାଇଛି।ପରେ ପୋଡା ମାଂସ ଖାଇଲା।ଧିରେ ଧିରେ ଚାଷ କରିବା ଆରମ୍ଭକଲା।ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର,ଗଛ,ପାହାଡ,ଅଗ୍ନି କୁ ପୂଜା କରିଛି।କୃଷି ପାଇଁ ଧରଣୀ ମାଁ କୁ ଗୁହାରି କରିଛି।ପ୍ରଥମ ଶସ୍ୟ ଉତ୍ପାଦନ ହେଲେ ଧରଣୀ ମାଁକୁ ସମର୍ପି ଥାଏ।ପରେ ସମସ୍ତ ପରିବାର ମଧ୍ୟରେ ଆହାର କରାଯାଏ।କ୍ଷୁଧା ନିବାରଣାର୍ଥେ ଜଗଂଳ ଜାତ ଦ୍ରବ୍ଯ ସହ ଖାଦ୍ୟ ଶସ୍ୟ ଉପରେ ନିର୍ଭର କରିଆସିଛି।ନିଜେ ଉତ୍ପନ୍ନ କରି ନିଜ ପରିବାର ପ୍ରତିପୋଷଣ କରିଆସିଛି।ଆହାର ପାଇଁ ଅନ୍ୟ କାହାଉପରେ ନିର୍ଭରଶୀଳ ନ ହୋଇ ସ୍ବାବଲମ୍ବି ହେବାପାଇଁ ଚେଷ୍ଟା କରିଛି।ସମୟକ୍ରମେ ମାନବ ସଭ୍ୟତା ବିକଶିତ ହୋଇଛି।ମଣିଷର ପ୍ରତ୍ୟେକ କ୍ଷେତ୍ରରେ ଢେରସାରା ପରିବର୍ତ୍ତନ ଘଟିଛି।ଏହି ପରିବର୍ତନ ଭିତରେ ମଣିଷ ଭୂଲିନାହି ପ୍ରକୃତି ଉପସନାର ପରପଂରା।ଯିଏ ତାକୁ ଯାହାଦିଏ ପ୍ରତିଦାନ ରେ କୃତଜ୍ଞତା ଜଣାଇଥାଏ।
ବର୍ତ୍ତମାନ ର ଅତ୍ୟାଧୁନିକ ଯୁଗରେ ମଧ୍ୟ ମଣିଷ ଭୂଲିନାହି କେଉଁ କାଳରୁ ଚଳିଆସୁଥିବା ପରପଂରା ରିତିରିବାଜ ସବୁ।ଦୈନନ୍ଦିନ ଚଳଣୀ ରେ ଯେତେ ପ୍ରଥାକୁ ମାନିଆସୁଛି।ଏମିତି ଏକ ପାରମ୍ପାରିକ ପର୍ବ ନୂଆଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ଭାବରେ ସୁପରିଚିତ।ସଧାରଣତଃ ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟ କୁ ନିଜେ ପ୍ରଥମେ ଭକ୍ଷଣ କରିବା ପୂର୍ବରୁ ଦିଅଁ ଦେବତା,ଠାକୁର, ଠାକୁରାଣୀ, ଗ୍ରାମ ଦେବାଦେବୀ କୁ ଦୈବେଦ୍ୟ କରି ପରିବାର ଏକତ୍ରୀତ ହୋଇ ଭକ୍ଷଣ କରିବାକୁ ନୂଆଖାଇ କୁହାଯାଏ।
ନୂଆଖାଇ କୁ ନୂଆଖିଆ,ନବାନ୍ନ,ନୂଆତିହାର ମଧ୍ୟ କହନ୍ତି।ପୂର୍ବେ ଯେତେସବୁ କୃଷି ଦ୍ରବ୍ଯ ଉତ୍ପନ୍ନ ହେଉଥିଲା ତାକୁ ଅମଳ କରି ନିଜ ଦିଅଁଦେବତା ପାଖରେ ପ୍ରଥମେ ଅର୍ପଣ କରୁଥିଲା ତାପରେ ତାକୁ ନିଜେ ଓ ପରିବାର ପାଇଁ ବ୍ୟବହାର କରୁଥିଲା।ବର୍ଷା ଋତୁରେ ଯେଉଁ ସବୁ ଚାଷ କରୁଥିଲା ପ୍ରଥମରେ ଗୁରୁଜି,ମାଣ୍ଡିଆ, ସୁଆଁ, କାଂଗ, କାକୁଡ଼ି, ପାଣି କଖାରୁ,ଜହ୍ନି, ବୋରବୋଟି ବାହାରୁଥିଲା ଏସବୁକୁ ଚାଷକରି ନିଜ ଦେବା ଦେବୀ କୁ ପୂଜାପାଠ କରି ଭୋଗ ବାଢି ସେହି ଭୋଗ କୁ ଖାଉଥିଲା। ସେଦିନ ଠାରୁ ଏହିସବୁକୁ ନିୟମିତ ଭାବରେ ଆହାରରେ ବ୍ୟବହାର କରୁଥିଲା।ଏହି ସବୁର ଉତ୍ପନ୍ନ ପରେ ପୋରାଧାନ, ଚିଂଗେର ଧାନ, ସେଟକା ଧାନ ହେଉଥିଲା।ଧାନକୁ ମହାଲକ୍ଷ୍ମୀ ର ପ୍ରତୀକ ଭାବରେ ବିବେଚନା କରାଯାଏ।
ଯେହେତୁ ଅନ୍ନ ମାଧ୍ୟମରେ ବର୍ଷ ତମାମ ମଣିଷ ଭୋକ ମେଣ୍ଟାଇ ଥାଏ ତେଣୁ ନୂଆଧାନରୁ ପ୍ରଥମ କରି ଅନ୍ନ ଭକ୍ଷଣ କରିବା ପୂର୍ବରୁ ନିଜ ଦିଅଁଦେବତା ଗ୍ରାମ ଦେବାଦେବୀ କୁ ଅର୍ପଣ କରି ନିଜେ ଭକ୍ଷଣ କରିଥାଏ।ଆଗକାଳରେ ଲୋକମାନେ ଘରେ ଚାଉଳ ତଥା ଅନ୍ୟାନ୍ୟ ଶସ୍ଯ ସାଇତିରଖି ପାରୁନଥିଲେ କାରଣ ଯେତେ ଉତ୍ପନ୍ନ ହେଉଥିଲା ତାହା ନିଅଣ୍ଟ ପଡୁଥିଲା।ଜଣକ ପାଖରେ ଯଦି କିଛି ନାହିଁ ତାହେଲେ ନିଜର ଜମିବାଡିରେ ଯାହା ଅମଳ ହେଉଥିଲା ତାହା ତା ଚୁଳିକୁ ଆସୁଥିଲା।ଯଦି ନୂଆଖାଇ ହେଇନଥିବ ସେମାନେ ନିଜର ଶସ୍ୟ ଅମଳ କରି ଖାଇପାରିବେ ନାହିଁ।ନିଜର ସ୍ବାଭିମାନ କୁ ବଞ୍ଚାଇ ରଖିବା କାହା ଆଗରେ ହାତପତାଇବା ନାହିଁ ଏହି ଉଦେଶ୍ୟ ରେ ଭାଦ୍ରବ ମାସର ତୃତୀୟ, ପଞ୍ଚମୀ,ସପ୍ତମୀ ତିଥି ରେ ଶୁଭବେଳା ଦେଖି ନୂଆଖାଇ ପାଳନ କରୁଥିଲେ।ନୂଆଖାଇ ପାଳନ ହେବା ଆଗରୁ ଘରଦ୍ୱାର ଲିପାପୋଛା କରୁଥିଲେ।ଘରର ପ୍ରତ୍ୟେକ ଜିନିଷପତ୍ର କୁ ଧୁଆରୁଆ କରୁଥିଲେ। ପରିବାର ସମସ୍ତ ଙ୍କ ପାଇଁ ନୂଆଲୁଗା ଆସୁଥିଲା।ଝିଅ ଘରକୁ ଭାରିଆ ପିଠା,ପଣା,ଖଜା ଓ ନୂଆଲୁଗା ନେଇକି ଯାଆନ୍ତି। ସାଂଗସାଥି,ମିତ,
ମହାପ୍ରସାଦ,ମକର,ଭେଲୋକ,ଭଏନଲୋକ,ବେଲଗଜା,ଗଜାମୁଗ,ବଉଲ ମାନଙ୍କ ମଧ୍ୟରେ ଲୁଗାପଟା,ଖଜାମିଠା ଦିଆନିଆ ହୋଇଥାଏ।ଏହାକୁ ଯୋଗାର ଦିଆନିଆ କହନ୍ତି।ଚିତାଲାଗି ଅମାବସ୍ୟା ନୂଆଖାଇର ଆଦ୍ୟ ପର୍ବ ଭାବରେ ପାଳନ କରିଥାଏ। ଏହିଦିନ ଚାଷା ବିଳକୁ ଯାଇ କେନ୍ଦୁଡାଳ ଗାଡିବାର ପରମ୍ପରା ରହିଛି ଏହାର ଅର୍ଥ ହେଲା ଧାନ ଗଛରେ ରୋଗ ପୋକ ଲାଗିବ ନାହିଁ।ଧାନଗଛ କେନ୍ଦୁଡାଳ ପରି ଲସଲସିଆ ହେବ ଅମଳ ଅଧିକ ହେବ।ଏହିଦିନ ଗାଁ ରେ ପୁଝାରୀ ରୋଗଵୋହଲା କରିବ।ଏହା କରିବା ଉଦ୍ଦେଶ୍ୟ ହେଲା ଗାଁରେ କାହାକୁ ମହାମାରୀ ପରି ମାରତ୍ମକ ରୋଗ ହେବନାହିଁ।କମାର ମଧ୍ୟ ଏହିଦିନ ଘର ଘରବୁଲି ଲୁହାକଣ୍ଟା ପୋତି ଥାଏ ଯେମିତି ମହାମାରୀ ଘରକୁ ପ୍ରବେଶ କରିବ ନାହିଁ।ଏହାପରେ ପରେ ପାଳନ କରାଯାଏ ସପ୍ତପୁରୀ ଅମାବାସ୍ୟା ଯାହାକୁ ପୋରାଉଁଆସ ମଧ୍ୟ କହନ୍ତି।
ଏହିଦିନ ରେ ଗ୍ରାମଦେବାଦେବୀ ଙ୍କୁ ପୁଝାରୀ ପୁଜାକରି ମଂଗଳ ମନାସି ଥାଏ ନୂଆଖାଇ ଆସୁଛି କାହାର କିଛି ଅସୁବିଧା ନହେଉ ସୁରୁଖୁରୁରେ ତିହାର୍ ସରିଯାଉ।ପୁଅଝିଅ ମାନେ ଏହିଦିନ ଛୋଟ ଛୋଟ ବଳଦଗାଡି,ଘୋଡ଼ାଗାଡି ଟାଣି ଖେଲନ୍ତି ଝିଅମାନେ ଛୋଟ ଛୋଟ ମାଟି ତିଆରି କଣିବୁଚିରେ ଖଇଲିଆ ଖଜା, ଠେଗାଂ,ଗୁଲି ଭର୍ତି କରି ବିଭିନ୍ନ କିସମର ଖେଳ ଖେଲିଥିନ୍ତି।ନୂଆଖାଇ କେଉଁଦିନ ହେବ ପଂଚ ବସି ଦିନଧାର୍ଯ୍ୟ କରାଯାଏ।ସମସ୍ତଙ୍କ ସୁବିଧା ହେଲାପରି ଏକ ଦିନକୁ ବଛାଯାଏ।ଡ଼କନିଆ ଗାଁରେ ସମସ୍ତଙ୍କୁ ନୂଆଖାଇ ଦିନ ଜଣାଇଦିଏ।ବର୍ତ୍ତମାନ ଓଡିଶା ସରକାର ଙ୍କ ଘୋଷଣା ଅନୁସାରେ ପ୍ରତିବର୍ଷ ଭାଦ୍ରବ ମାସ ଋଷିପଞ୍ଚମୀ ତିଥିରେ ନବାନ୍ନ ପାଇଁ ଧାର୍ଯ୍ୟ କରାଯାଇଛି।ଅଳେଖ ଧର୍ମାବଲମ୍ବୀ ଭକ୍ତମାନେ ଶ୍ରାବଣ ପୂର୍ଣ୍ଣିମା ରେ ନବାନ୍ନ ପାଳନ କରିଥାନ୍ତି।ପଶ୍ଚିମ ଓଡ଼ିଶାରେ ମାଁ ସମଲେଶ୍ବରୀ ପୀଠ ରେ ନୂଆଁଲାଗି ହେଲା ପରେ ସମସ୍ତେ ନଵାନ୍ନ ଭକ୍ଷଣ କରିଥାନ୍ତି ।
ପୁରୀମୁକ୍ତି ମଣ୍ଡମ ପଣ୍ଡିତ ମାନେମଧ୍ୟ ନବାନ୍ନ ପାଇଁ ଉପଯୁକ୍ତ ସମୟ ନିର୍ଣ୍ଣୟ କରିଥାନ୍ତି। ଏହାବାଦ ନିଜ ନିଜ ଗାଁ, ଅଞ୍ଚଳର ଦେବାଦେବୀ ମାନଙ୍କ ନୂଆଲାଗି ଅନୁସାରେ ନବାନ୍ନ ଭକ୍ଷଣ କରାଯାଏ।ଯେମିତି କଳାହାଣ୍ଡି ରେ ଜୁନାଗଡ଼ ଦଧିବାମନ ମହାପ୍ରଭୁଙ୍କ ନୂଆଲାଗି ହେଲାପରେ ଅଞ୍ଚଳବାସୀ ନୂଆଖାଇ ଥାନ୍ତି।ଏହାଛଡା ବିଭିନ୍ନ ଅଞ୍ଚଳରେ ନିଜ ନିଜ ର ସୁବିଧା ଅନୁସାରେ ନୂଆଖାଇ ର ତିଥି, ଲଗ୍ନ ସ୍ଥିର କରିବାର ଦେଖିବାକୁ ମିଲିଥାଏ।ପରମ୍ପରା ଅନୁସାରେ କଳାହାଣ୍ଡି ଗଡଜାତ ଅଞ୍ଚଳରେ ଦଶମୀ ଦିନ ନବାନ୍ନ ପାଳନ କରିଥାନ୍ତି।ନୂଆଖାଇ ପୂର୍ବ ଦିନ ଦାଣ୍ଡସରା ନୀତି କରାଯାଏ ।ଗାଁ ଦାଣ୍ଡ ପରିଷ୍କାର ପରିଚ୍ଛନ କରାଯାଏ, ଏହିଦିନ ଗାଁ ଦେବାଦେବୀ ପୀଠରେ ନୂଆଧାନ ଚାଉଲ/ଚୁଡା ଅର୍ପଣ କରା ଯାଇଥାଏ। ନୂଆଖାଇ ପୂର୍ବ ରାତିରେ ଗାଁର ପୃଝାରୀ ଗୋନ୍ତିଆଘର ଜମିକୁ ଯାଇ ମାଟିହାଣ୍ଡିରେ ପାଣି ଆଣିଥାନ୍ତି।ସେହିପାଣିରେ ନବାନ୍ନ ଦିନ ସମସ୍ତ ଭୋଗରାଗ ତିଆରି କରାଯାଏ।ଲୋକେ ବଡିଭୋରରୁ କ୍ଷେତ ରୁ ନୂଆ ଧାନ ସଂଗ୍ରହ କରିବା ପାଇଁ ଯାଆନ୍ତି।
ଏହିଦିନ ଯିଏ ଯାହାର ଭଟାରୁ ଧାନ ନେଲେ ମନାକରନ୍ତି ନାହିଁ।ନୂଆଖାଇ ଦିନ ନାନା ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ।ସାଧାଭାତ,ଖିଚିଡି ଭାତ,ପଲଉ,ଡାଳି,ବେସର,ଶାଗ, ଆମ୍ବିଳ,ବାଡ଼ି ରେ ପ୍ରଥମକରି ବାହାରୁଥିବା ପରିବା ତରକାରୀ, ଭଜା, ଛଣା,ଆରିସା ପିଠା,ପୁରୀ ପିଠା,ଟାକୋପିଠା,ଗୁନଚେଳ ପିଠା,ବିରିପିଠା, ମୁଗବରା,ଖିରି ସହିତ ନୂଆଧାନରେ ଚୁଡା/ଚାଉଲ ଦିଅଁଦେବତା ଠାରେ ସମର୍ପିଣ କରାଯାଏ।ନୂଆ କୁ କେବଳ କୁରେଇ ପତ୍ର ଖଲି କିମ୍ବା ଦନାରେ ପରଶା ଯାଏ।ସବୁ ନହେଲେ ଚଲିବ ଯଦି କୁରେଇ ପତ୍ର ହେବନାହିଁ ତାହେଲେ ନୂଆଖାଇ ମଧ୍ୟ ହେବ ନାହିଁ। ସମସ୍ତେ ନୂଆ ଲୁଗାପଟା ପରିଧାନ କରନ୍ତି।ଘରର ଦିଅଁଦେବତା ପାଖରେ ସମସ୍ତେ ବସନ୍ତି।ଘରର ମୁରବି ସମସ୍ତ ଙ୍କୁ ନବାନ୍ନ ବାଣ୍ଟିବା ପରେ ସମସ୍ତେ ଭକ୍ଷଣ କରନ୍ତି। ନୂଆଖାଇ ସାରି ଦିଅଁଦେବତା କୁ ମୁଣ୍ଡିଆ ମାରନ୍ତି ସେହିପରି ପରିବାର ର ସାନମାନେ ବଡମାନଙ୍କ ଠାରୁ ଆଶୀର୍ବାଦ ନିଅନ୍ତି।ପରିବାରରେ ଥିବା ରାଗ ଅଭିମାନ ସବୁଭୂଲି ଯାଇ ନୂଆଖାଇ ଦିନ ଏକାଠି ହେଇଥାନ୍ତି।ଘର ଲୋକ ଯେତେଦୂରେ ରହୁଥିଲେ ମଧ୍ୟ ନୂଆଖାଇ ଦିନ ଘରକୁ ଆସିଥାଏ।
ଏମିତି ନୂଆଖାଇବା ପାଇଁ ବିଦେଶରୁ ମଧ୍ୟ ଗାଁ କୁ ଆସିଥିବାର ନଜିର ରହିଛି।ନୂଆଖାଇ ପରଦିନ କୁ ବାସି ତିହାର,ନୂଆଖାଇ ବାସି କହନ୍ତି।ଏହିଦିନ ସମସ୍ତେ ଜୁହାର ଭେଟ ହୁଅନ୍ତି,ଗାଁଟାସାରା ସତେମନେ ହୁଏ ଗୋଟେ ପରିବାର।ଗାଁରେ ନାଚ ଗୀତର ଆସର ଜମେ। କଳାହାଣ୍ଡିରେ ବୀରବାଦ୍ୟ ଘୁମୁରାରେ ଗାଁ ଦାଣ୍ଡ ଦୁଲୁକି ଉଠେ।ଧଗଂଡା ଧାଗଂଡି ନାଚ,ଦାସକାଠିଆ, ଘୁଡକା ର ସ୍ଥାନ ଏବେ ରେକର୍ଡ ଡ୍ୟାନ୍ସ ଅଧିକାର କରିବସିଲାଣି।ଆହୁରି ମଧ୍ୟ ଗାଁର ଜୁଆନ ସିଆନ ମାନେ କବାଡି,ଡୁଡୁ,ଫିତୁ ଖେଳ ଖେଳନ୍ତି।ଧାଗଂଡି ମାନେ ବହୂଚୋରୀ, ଲୁକଲୁକାନୀ,ବାଡିଡେଗେନ,ପୁଚି ଖେଳିଥାନ୍ତି।ବାସୀଦିନ ଛେଳି,ମେଣ୍ଢା, ବତକ,କୁକୁଡ଼ା ମାରି ମାଂସ ଖିଆଯାଏ।ଏହିଦିନ କେତେକ ମଦପାଣି ମଧ୍ୟ ପିଇଥାନ୍ତି।ବର୍ଷ ତମାର ଦୁଃଖ ଭୁଲି ସମସ୍ତଙ୍କ ସହ ସୁଖ ଦୁଃଖ ହୁଅନ୍ତି।ବର୍ତ୍ତମାନ ଚିତ୍ର ବଦଳିବାରେ ଲାଗିଛି।ଲୋକେ ସୁବିଧା ରେ ଖାଇବା ପାଇଁ ଚାଉଳ ପାଇପାରୁଛନ୍ତି।ପେଟ ପାଇଁ ଚିନ୍ତା ରେ ଆଗ ଅପେକ୍ଷା ଏବେ କିଛି ସୁଧାର ଆସିଛି।ଆଗ ଯେମିତି ଧାନ ପାଚିଲା ପରେ ପରେ ସାଗେଂ ସାଗେଂ କାଟି କୁଟି ରୋଷେଇ ହେଉଥିଲା ।
ସେଥିପାଇଁ ତ ଶିଘ୍ର ନବାନ୍ନ କରି ନିଜେ ଆହାରଣ କରୁଥିଲେ।ନୂଆଖାଇ ସାମାଜିକ ଜୀବନ କୁ ବହୁଲ ଭାବରେ ପ୍ରଭାବିତ କରିଥାଏ ।ଯାର ଥାଉନଥାଉ ଧୁମଧାମରେ ନୂଆଖାଇ ପାଳନ କରିଥାଏ।ଏଥିପାଇଁ ସୁନା ବଧାଂ,କମ୍ ଟଙ୍କାରେ ବସ୍ତାଧାନ,ଋଣ କରଜ କରିଥାଏ।ତଥାପି ପାରମ୍ପାରିକ ସ୍ବାଭିମାନ କୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ନୂଆଖିଆ ପାଳନ କରିଆସୁଛି।ନୂଆଖାଇ ଏବେ ବିରାଟ ଗଣପର୍ବରେ ରୂପାନ୍ତରିତ ହୋଇ ସାରିଲାଣି।ଯଦିଓ ପୂର୍ବ ପ୍ରଥା ପରମ୍ପରା ରେ ଅନେକ ବ୍ୟତିକ୍ରମ ପରିଲକ୍ଷିତ ହେଉଛି ତଥାପି ତାର ମୈଳିକତା ରକ୍ଷା ପାଇଁ ଯଥେଷ୍ଟ ଚେଷ୍ଟା କରୁଛି ମଣିଷ।ସେଥିପାଇଁ ତ ନୂଆଖାଇ ପରେ ପରେ ଭେଟଘାଟ ଅନୁଷ୍ଠିତ ହୁଏ ।ଆମ ରାଜଧାନୀ ଭୁବନେଶ୍ବର ଠାରେ ଏବଂ ରାଜ୍ୟ ବାହାରେ ମଧ୍ୟ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଥାଏ।ଏଠି ସମସ୍ତେ ଭେଟଘାଟ ହୁଅନ୍ତି।ନୂଆଖାଇ ବିଷୟରେ ଆଲୋଚନା ହୁଏ।କବିତା ଆସର ଚାଲେ।ଅଞ୍ଚଳର ଲୋକ କଳା,ସଂସ୍କୃତି କୁ ପ୍ରଦର୍ଶନ କରାଯାଏ।
ନୂଆଖାଇ ର ଏହି ଯେଉଁ ନିଆରା ପରଂପରା ରହିଛି ଏହା କେବଳ ପଶ୍ଚିମ ଓଡିଶା କି ଓଡିଶା ଭିତରେ ସୀମିତ ନୁହେଁ।ଭାରତବର୍ଷର ବିଭିନ୍ନ ରାଜ୍ୟ ମାନଙ୍କରେ ମଧ୍ୟ ନୂଆଖାଇ ର ପରଂପରା ରହିଛି।ନୂଆଖାଇ ପର୍ବ ଆତ୍ମସମର୍ପଣ ଓ ଆତ୍ମସନ୍ତୋଷ ର ପ୍ରତୀକ। ପ୍ରକୃତି ଦତ୍ତ ଦ୍ରବ୍ଯ କୁ ପ୍ରଥମେ ସମର୍ପଣ ତାପରେ ଭକ୍ଷଣ କରିଥାଏ।ପ୍ରକୃତି ପ୍ରତି ଏହା ମଣିଷ ର ଗଭୀର ଆତ୍ମନିବେଦନ ଅଟେ।ନିଜକୃଷି କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ଶସ୍ୟ କୁ ଖାଦ୍ୟଭାବରେ ବ୍ୟବହାର କରି ଆତ୍ମନିର୍ଭରଶୀଳ ହୋଇଥାଏ। କେଉଁ ଅନାଦି କାଳରୁ ଏହି ପରମ୍ପରା ପ୍ରଚଳିତ ହେଇଆସୁଛି। ନୂଆଖାଇ ଏହି ନିଆରା ପ୍ରଥା,ପରମ୍ପରା ମଣିଷ କୁ ସ୍ବାବଲମ୍ବି ହେବାପାଇଁ ଶିକ୍ଷା ପ୍ରଦାନ ସହ ସଦଭାବନା,ଶାନ୍ତି, ମୈତ୍ରୀ, ଭାତୃଭାବ ପ୍ରତିଷ୍ଠା ଦିଗରେ ସହାୟକ ହୋଇଥାଏ।ଏହିପରି ଏକ ମହାନ ପରମ୍ପରା କୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ କରିବା।