ସିମୁଳିଆ : ସିମୁଳିଆ ଥାନା ଅନ୍ତର୍ଗତ ସୋମନାଥପୁର ଗ୍ରାମର ଜନୈକା ମହିଳାଙ୍କୁ ସାପ କାମୁଡିବାରୁ ତାଙ୍କର ମୃତୁ୍ୟ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିବରଣୀରୁ ପ୍ରକାଶ ଅବଜୁଣା ପଞ୍ଚାୟତ ସୋମନାଥପୁର ଗ୍ରାମର ବିଶ୍ୱଜିତ ମହାକୁଡଙ୍କ ପତ୍ନୀ ସସ୍ମିତା ମହାକୁଡ(୨୮) ଗୁରୁବାର ରାତିରେ ଖାଇସାରି ଘରେ ପୋଷିଥିବା କୁକୁରକୁ ଖାଇବାକୁ ଦେବାକୁ ଯାଇ ଏକ ରଣା ସାପ ଦେଖିଥିଲେ ଏବଂ ତାକୁ ମଧ୍ୟ ମାରିଦେଇଥିଲେ । ପରେ ତାଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ।
ଘରେ ପରିବାରକୁ ଜଣାଇଥିଲେ ଯେ ତାଙ୍କୁ ସାପ କାମୁଡିଥିବାର ପ୍ରକାଶ କରିଥିଲେ । ପ୍ରଥମେ ଜନ୍ଦା କାମୁଡିଥିବାର ପ୍ରକାଶ କରିଥିଲେ । ଅବସ୍ଥା ଗୁରୁତର ହେବାରୁ ସସ୍ମିତାକୁ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ମହିଳାଙ୍କ ଏକ ୬ବର୍ଷର ପୁଅଟିଏ ଅଛି । ମାଆର ମୃତୁ୍ୟରେ ପୁଅ ମାଆକୁ ଖୋଜିବା ସହିତ ମାଆ ପାଖକୁୁ ଯିବାକୁ ଜିଦ ଧରୁଥିବାର ଦେଖାଯାଇଛି । ସସ୍ମିତାଙ୍କ ଏପରି ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି ।