Odisha news

ନମେ ଭକ୍ତଃ ପ୍ରଣଶ୍ୟତି

0

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ଭଗବାନ ଶ୍ରୀକୃଷ୍ଣ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଅର୍ଜ୍ଜୁନଙ୍କୁ କହିଲେ – ହେ କୁନ୍ତୀ ପୁତ୍ର, ତୁମେ ନିଶ୍ଚୟକରି ଜାଣିରଖ, ମୋ ଭକ୍ତର କଦାପି ବିନାଶ ହୁଏନାହିଁ । ଏହି ପ୍ରସଙ୍ଗରେ ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି, ମନୁଷ୍ୟ ପ୍ରବୃତ୍ତିବଶ୍ୟତାରେ ବିନଷ୍ଟ ହୁଏ । ମନୁଷ୍ୟର ର୍ଦୁଭୋଗର ମୂଳରେ ଅଛି ପ୍ରବୃତ୍ତିଜନିତ କୁକର୍ମ । କିନ୍ତୁ ସବୁ ପ୍ରବୃତ୍ତିକୁ ନେଇ ଇଷ୍ଟ ବା ଗୁରୁପୁରୁଷୋତ୍ତମଙ୍କ ଠାରେ ଅନ୍ତରାସୀ ହେଲେ ଆଉ ବିନଷ୍ଟ ହେବାର ଉପାୟ ନାହିଁ । ସବୁ ବୃତ୍ତି ସହ ଗୁରୁଙ୍କ ଠାରେ ଅଚ୍ଛେଦ୍ୟ ଭାବରେ ଚିରଦିନ ପାଇଁ ଅନ୍ତରାସୀ ହେଲେ ବିନଷ୍ଟିର ମୂଳ ମରିଯାଏ ।

ବୃତ୍ତିର ଅଧୀଶଙ୍କ ଠାରେ ବୃତ୍ତି ରୂପାନ୍ତରିତ ହୁଏ, ପ୍ରେମର ଦାବାଗ୍ନିରେ ଷଡ଼ରିପୁ ଷଡ଼ଐଶ୍ୱର୍ଯ୍ୟର ନବକଳେବର ଲାଭ କରେ । ସଦ୍ଗୁରୁଙ୍କ ଠାରେ ଅଛି ଐଶ୍ୱର୍ଯ୍ୟ ଓ ଆଧିପତ୍ୟ । ଗୁରୁଭକ୍ତି ଓ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାର ଅଦମ୍ୟ ନିଶାରେ ମନୁଷ୍ୟର ପ୍ରବୃତ୍ତି ଗୁଡ଼ିକ ବିନ୍ୟସ୍ତ ଓ ସଂହତ ହୋଇଉଠେ । ସମସ୍ତ ପ୍ରବୃତ୍ତି ଏକମୁଖୀ ଓ ଅର୍ଥପୂର୍ଣ୍ଣ ହୁଏ, ନିୟନ୍ତ୍ରଣ, ସାମଞ୍ଜସ୍ୟ ଓ ସମାଧାନର ସୋପାନରେ ବିଶୃଙ୍ଖଳା ମଧ୍ୟରେ ସୁଶୃଙ୍ଖଳ ବିଧାନ ଗଢ଼ି ଉଠେ । ଆଉ ରୋଗ, ଶୋକ, ଦାରିଦ୍ର୍ୟ ଓ ମୃତୁ୍ୟ ଇତ୍ୟାଦି ଯନ୍ତ୍ରଣା ଭକ୍ତକୁ ଦବାଇପାରେ ନାହିଁ, ହଟାଇ ପାରେନାହିଁ, ଭକ୍ତ ନିରାଶ ହୁଏନାହିଁ, ହତାଶ ହୁଏନାହିଁ, କ୍ରିୟାଶୀଳ ଓ ଆଶାବାଦୀ ମନରେ ଦୁର୍ଗତି ସବୁ ଦୁର୍ଗ ହୋଇ ଜୀବନଯୁଦ୍ଧରେ ଭକ୍ତ ବିଜୟ ପ୍ରାପ୍ତ ହୁଏ ।

କଥା ପ୍ରସଙ୍ଗରେ ଶ୍ରୀ ଶ୍ରୀ ଠାକୁର କହିଲେ – ଭକ୍ତି ପରି ଆଉ ଜିନିଷ ନାହିଁ । ଭଗବତ୍ ଗୀତାର ଦ୍ୱାଦଶ ଅଧ୍ୟାୟରେ ଦ୍ୱିତୀୟ ଶ୍ଲୋକରେ ନିତ୍ୟଯୁକ୍ତା କଥା ଶୁଣି ଶ୍ରୀ ଶ୍ରୀ ଠାକୁର କହିଲେ, ଭକ୍ତିର ଲକ୍ଷଣ ହେଲା ସର୍ବଦା ଯୁକ୍ତ ରହିବା । ଇଷ୍ଟଙ୍କୁ ବାଦ ଦେଇ ଏକ ମୁହୂର୍ତ୍ତ ମଧ୍ୟ ଭକ୍ତକୁ ଭଲ ଲାଗେନାହିଁ । ଇଷ୍ଟ ବିସ୍ମୃତି ହେଲେ ଭକ୍ତର ପ୍ରାଣ ହାହାକାର ହୋଇଉଠେ । ଇଷ୍ଟ ଚିନ୍ତା ଓ ଇଷ୍ଟ କର୍ମ ହିଁ ଭକ୍ତର ଜୀବନ ସୂତ୍ର । ଭକ୍ତ ଯିଏ ସେ ସମସ୍ତଙ୍କ ପ୍ରତି ଦ୍ୱୈଷହୀନ, ମୈତ୍ରୀଭାବପୂର୍ଣ୍ଣ ଓ ସଦୟ । ସେ ଦେଖେ ପ୍ରତିଟି ସତ୍ତା ମଧ୍ୟରେ ପରମପିତାଙ୍କର ଅଧିଷ୍ଠାନ । ଉର୍ଦ୍ଧମୂଳଂ ଅଧଃଶାଖା ବ୍ୟାପାରରେ ଶ୍ରୀ ଶ୍ରୀ ଠାକୁର କହିଲେ ମନୁଷ୍ୟର ମୂଳ ଅର୍ଥାତ୍ ମସ୍ତିଷ୍କ ଇଷ୍ଟ ବା ଗୁରୁପୁରୁଷୋତ୍ତମଙ୍କୁ ବିନ୍ୟସ୍ତ କଲେ ଅନିଷ୍ଟ ପ୍ରେରଣାର ବିନାଶ ହୁଏ ।

ନାମଧ୍ୟାନ କଲେ ମସ୍ତିଷ୍କର ଗଭୀରତମ ସ୍ତରରେ କୃଷ୍ଣ ବା ଇଷ୍ଟଙ୍କର ପ୍ରଭାବ ପଡ଼େ ଓ ଚେତନ ବା ଅବଚେତନ ସ୍ତରରେ କୃଷ୍ଣ ବା ଇଷ୍ଟଭାବ ଜାଗ୍ରତ ହୁଏ । ବହୁଜନ୍ମ ପରେ ଜ୍ଞାନବାନ ବୁଝିପାରନ୍ତି ଯେ ବାସୁଦେବ (ବସୁଦେବଙ୍କ ପୁତ୍ର) ହିଁ ସର୍ବାବସ୍ଥାରେ ବିରାଜମାନ ଓ ଜ୍ଞାନ ଓ ଭକ୍ତିର ଚରମ ପରାକାଷ୍ଠା । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ମୋର ମା’ କଲିକତାର ହରିତକୀ ବାଗାନ୍ରେ କୋଇଲା ପାଉଁଶ ଭିତରୁ ଛୋଟ ଛୋଟ କୋଇଲା ବାଛି ଧୋଇ ରଖୁଥିଲେ । ଏହାଦେଖି ଜନୈକ ଭଦ୍ରବ୍ୟକ୍ତି କହିଲେ – ସ୍ୱୟଂ ମା’ କେତେ ବିଷୟାସକ୍ତ? ମା’ ଏହାର ଉତ୍ତରରେ କହିଥିଲେ – ମୁଁ ମୋ ପିଲାର ସ୍ୱାର୍ଥ ଦେଖୁଛି । ମା’ ଯେପରି ଭାବରେ ସନ୍ତାନର ସ୍ୱାର୍ଥ ଦେଖେ ଭକ୍ତ ସେହିପରି ଭାବରେ କୃଷ୍ଣଙ୍କର ସ୍ୱାର୍ଥ ଦେଖିଲେ ବାସୁଦେବ ସର୍ବମିିତି ସ ମହାତ୍ମା ସୁଦୁର୍ଲ୍ଲଭ ଭାବ ଜାଗ୍ରତ ହୁଏ ।

“ନାସ୍ତିବୁଦ୍ଧିର ଯୁକ୍ତସ୍ୟ ନଚାଯୁକ୍ତସ୍ୟ ଭାବନା’…… ଶ୍ରୀ ଶ୍ରୀ ଠାକୁର କହିଲେ ଗୁରୁ ବା କୃଷ୍ଣଙ୍କ ସହିତ ଅଯୁକ୍ତ ବ୍ୟକ୍ତିର ବୁଦ୍ଧି ଦିଶାହୀନ, ଭାବନା ଗତିହୀନ, ଭାବନାଶୀଳ ଯେ ନୁହେଁ ତାର ଶାନ୍ତି ଓ ସୁଖ ସୁଦୂର ପରାହତ । “ମୟିସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତଷା’….. ଶ୍ରୀ ଶ୍ରୀ ଠାକୁର କହିଲେ – ଯାବତୀୟ କର୍ମ ଆଧ୍ୟାତ୍ମ ଚେତନାର ସଙ୍ଗେ ମତେ ସଂନ୍ୟସ୍ତ କର, ନିରାଶୀନିର୍ମମ ଓ କାମନା, ବାସନାଜନିତ ତାପମୁକ୍ତ ହୋଇ ଯୁଦ୍ଧକର । ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଲେ – “ମନ୍ମନାଭବମଦଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ’ – ଅର୍ଥ ତୁମେ ମୋର ଚିତ୍ତଗତ ହୁଅ, ମୋର ଭଜନାକର, ମୋର ଯାଜନକର, ମୋତେ ନମସ୍କାର କର, ତାହାଲେ ମୋତେ ପ୍ରାପ୍ତ ହେବ, ତୁମେ ମୋର ପି୍ରୟ, ତୁମ ପାଖରେ ଏହି ପ୍ରତିଜ୍ଞା ମୁଁ କରୁଅଛି । ସମସ୍ତ ଗୀତା ସହସ୍ର କଣ୍ଠରେ ଏହି ଇଷ୍ଟପ୍ରାଣ ଓ କୃଷ୍ଣପ୍ରାଣ ହେବା ପାଇଁ ମନୁଷ୍ୟ ଜାତିକୁ ଆହ୍ୱାନ ଜଣାଇଛି ।

ଏହି ପ୍ରସଙ୍ଗରେ କଳକୀ ଅବତାର ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସ୍ୱହସ୍ତ ଲିଖିତ ସତ୍ୟାନୁସରଣ ପୁସ୍ତକରେ ମନୁଷ୍ୟ ଜାତିକୁ ଆହ୍ୱାନ ଦେଇ କହିଛନ୍ତି – ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତ୍-ନାମ ମନନ କର, ଆଉ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର – ମୁଁ ନିଶ୍ଚୟ କରି କହୁଛି ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବନାହିଁ । ଯଦି ତୁମର ଆଦର୍ଶର କଥା କହିଲେ ଆନନ୍ଦ, ଶୁଣିଲେ ଆନନ୍ଦ, ତାଙ୍କର ଚିନ୍ତାରେ ଆନନ୍ଦ, ତାଙ୍କ ହୁକୁମ ପାଇଲେ ଆନନ୍ଦ, ତାଙ୍କ ଆଦରରେ ଆନନ୍ଦ, ଅନାଦରରେ ମଧ୍ୟ ଆନନ୍ଦ ହୁଏ, ତାଙ୍କ ନାମରେ ହୃଦୟ ଉଛୁଳି ଉଠେ – ମୁଁ ନିଶ୍ଚୟ କହୁଛି ତୁମର ଉନ୍ନୟନ ପାଇଁ ଆଉ ଭାବିବାକୁ ହେବନାହିଁ ।

Leave A Reply