ଜଳେଶ୍ୱର : ଜଳେଶ୍ୱର ଅଞ୍ଚଳରେ ଦୀର୍ଘ ୪୫ଦିନ କୋଭିଡ଼୍ ସଚେତନତା ଓ ମାକ୍ସ ସହିତ ଶୁଖିଲା ଖାଦ୍ୟ ବାଣ୍ଟି ଆସିଥିବା ଅନ୍ୟଜଣେ ସମାଜସେବୀ ମାନସ ପାଠୀଙ୍କର ଆଜି କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି । ଏହା ଜଳେଶ୍ୱରର ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାଯାଇଛି । ଜଳେଶ୍ୱର ପୌରପାଳିକାର ୮ନଂ ୱାର୍ଡରେ ଜଣେ ସୁ-ସଂଗଠକ, ପରୋପକାରୀ, ସମାଜସେବୀ, ଦରଦୀ, ଅନ୍ୟକୁ ନ୍ୟାୟ ଦେବାରେ ଆଗଭର ଯୁବକର୍ମୀ ମାନସ ପାଠୀଙ୍କ ବିୟୋଗରେ ଜଳେଶ୍ୱରରେ ଶୋକର ଛାୟା ଖେଳି ଯାଇଛି । ଅଳ୍ପ ବୟସରୁ ଶ୍ରୀ ପାଠୀ ତାଙ୍କର ସେବାପରାକାଷ୍ଠା ପ୍ରଦର୍ଶନ କରିଆସିଛନ୍ତି । ସେ ବିଜେପିର ସଦସ୍ୟ ଥାଇ ବଜରଙ୍ଗ କର୍ମକର୍ତ୍ତାଭାବେ କାର୍ଯ୍ୟ କରି ଆସୁଥିଲେ । କୋଭିଦ୍-୧୯ ସଂକ୍ରମଣ ବେଳେ ଦୀର୍ଘ ୪୫ଦିନ ଧରି ବିଭିନ୍ନ ପଡା ଗାଁଠାରୁ ସହର ପର୍ଯ୍ୟନ୍ତ ଦାଣ୍ଡ ଭିକାରୀ ଠାରୁ ବସ୍ତି ବାସିନ୍ଦା ପର୍ଯ୍ୟନ୍ତ ସମସ୍ତଙ୍କୁ ରୋଗ ସମ୍ପର୍କରେ ସଚେତନତା କରିବା ସହିତ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।
ଅଦ୍ୟାବଧି ଜଳେଶ୍ୱର ପୌରପାଳିକା ଓ ବ୍ଲକ ଅଂଚଳରେ ୧୪୦ଜଣଙ୍କର କରୋନା ପଜେଟିଭ୍ ଦେଖାଦେଇଥିବା ବେଳେ ମାନସଙ୍କ ମୃତ୍ୟୁ ଘଟିଛି । ସେ ଗତ କିଛିଦିନ ଧରି ଜ୍ୱର, କାଶ ଓ ଥଣ୍ଡା ରୋଗରେ ପିଡିତ ଥିବା ବେଳେ ସ୍ଥାନୀୟ ଡାକ୍ତରଖାନାରୁ ଔଷଧ ଆଣି ଖାଇଥିଲେ । କିନ୍ତୁ ୫ତାରିଖ ଦିନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ବାଲେଶ୍ୱରସ୍ଥିତ ଜ୍ୟୋତି କୋଭିଡ଼୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କରୋନା ପଜେଟିଭ୍ ଥିବାର ଜଣାଯିବାପରେ ଚିକିସôା ଆରମ୍ଭ ହୋଇଥିଲା । ସେ ଆଇସିୟୁରେ ଥିବା ବେଳେ ଭୋର ୪ଟା୪୫ମିରେ ଶେଷ ନିଶ୍ୱସ ତ୍ୟାଗ କରିଥିଲେ । ତାଙ୍କର ଏକମାତ୍ର ୨ ବର୍ଷର ଝିଅ ଥିବାବେଳେ ତାଙ୍କର ବିଧବା ସ୍ତ୍ରୀ ଅସହାୟ ହୋଇପଡିଛନ୍ତି । ତାଙ୍କ ମର ଶରୀର ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ପଞ୍ଚୁଘଣ୍ଟା ଗାଁ ଶ୍ମାଶନରେ ପହଞ୍ଚିଥିଲା ।
ଶବକୁ ଏଠାରେ ପୋତାଯିବା ସମୟରେ ୧ଘଣ୍ଟା ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଶାସନିକ ଦାୟିତ୍ୱରେ ଥିବା ଏଡିଏମ୍ଓ ଡ. ଅନ୍ତର୍ଯ୍ୟାମୀ ମିଶ୍ର, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ପୌର ଅଧିକାରୀ ଅଜୟ ମହାପାତ୍ର, ପୁଲିସ୍ ଏଏସ୍ଆଇ ନରେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥାଇ ଉତ୍ତେଜନା ପରିସ୍ଥିତିର ସମାଧାନ ସହିତ ସେଠାରେ ବିଧିମୁତାବକ ପୋତାଯାଇଥିଲା ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଏହି ଘଟଣାରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ମୁ୍ୟନିସିପାଲଟି ସଭାପତି ଫାଲ୍ଗୁନୀ ପାଣିଗ୍ରାହୀ, ଚିତ୍ତରଂଜନ ମହାନ୍ତି, ମାନସ ମହାନ୍ତି, ତାପସ ସାହୁ, ବ୍ରଜଗୋପାଳ ରାଉତ, ସୁବଳ କୋୟାଲ, ସୁନୀଲ କୋୟାଲ, ସିଦେ୍ଧଶ୍ୱର ବେହେରା, ଶ୍ରୀକୃଷ୍ଣ ଗୁପ୍ତା, ଅଭିଜିତ୍ ପ୍ରଧାନ, ଧ୍ରୁବ ପାଳ, ସୁବ୍ରତ ଘୋଷାଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି