ଆମ୍ବୁଲାନସରେ ଥିବା ଶଙ୍କଟାପନ୍ନ ଶିଶୁ ଚିକିତ୍ସ୍ୟା ସହାୟତା ନପାଇ ପ୍ରାଣତ୍ୟାଗ କଲା : ଆମ୍ବୁଲାନସକୁ ଛାଡି କର୍ମଚାରୀ ଚମ୍ପଟ , ବେତନଟୀ ଥାନାରେ ମାମଲା ରୁଜୁ
ବେତନଟୀ : ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ୧୦୮ କର୍ମଚାରୀଙ୍କ ଦ୍ୱାରା ଜଣେ ଶଙ୍କଟାପନ୍ନ ଶିଶୁର ମାଆ ଓ ମାଉସୀ କିପରି ନିର୍ଯ୍ୟାତିତ ହୋଇଛନ୍ତି ତାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି । ୧୦୮ କର୍ମଚାରୀଙ୍କ ଢ଼ାବାରେ ଭୋଜି ଓ ଆମୋଦ ପ୍ରମୋଦ ସମ୍ମୁଖରେ ମାଆ ଓ ମାଉସୀଙ୍କ ନେହୁରା ଓ କରୁଣ ନିବେଦନ ଫିକା ପଡି ଯାଇଛି । ଶେଷରେ ଶିଶୁଟି ମୃତ୍ୟୁ ମୁଖରେ ପଡିଛି । ଏପରି ଦୟନୀୟ ଘଟଣା ଅଧିକାଂଶ ଦିନ ମୟୂରଭଞ୍ଜରେ ଘଟୁ ଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନିକ କ୍ଷେତ୍ରରେ ବା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବାରୁ ଏବେ ସାଧାରଣରେ ରାଜ୍ୟ ସରକାରଙ୍କ ପ୍ରତି ଘୋର ଅସନ୍ତୁଷ୍ଟି ଦେଖା ଯାଇଛି ।
ମିଳି ଥିବା ଖବର ମୁତାବକ ବେତନଟୀ ଥାନା ଅଧୀନ ଆମ୍ବଯୋଡାର ନିଶାରଞ୍ଜନ ବେହେରା ଓ ଗୀତା ବେହେରାଙ୍କ ଏକ ମାତ୍ର ପୁତ୍ର ଜିତ ବେହେରା (୨)ଙ୍କୁ ଝାଡା ଓ ଜ୍ୱର ହେବା ଫଳରେ ତାଙ୍କୁ ବାରିପଦା ସ୍ଥାନାନ୍ତର କରା ଯାଇ ଥିଲା । ସେଠାରେ ଅବସ୍ଥା ଅଧିକ ଶଙ୍କଟାପନ୍ନ ହେବାରୁ ଶିଶୁଟିକୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇ ଥିଲେ । ଜୀବନ ରକ୍ଷକ ଭାବେ ୧୦୮ ଆମ୍ବୁଲାନସ ସେବାର ଓଡି-୦୨ବିଏଚ-୧୨୫୨ ଆମ୍ବୁଲାନସଟି ଆସି ଥିଲା ଓ ନିଜ ପିଲାର ରୋଗ ହେତୁ ଦୁଃଖି ଥିବା ମାତା ଗୀତା ବେହେରା ଓ ମାଉସୀ ଜ୍ୟୋସ୍ନା ବେହେରା ରୋଗାଗ୍ରସ୍ତ ଶିଶୁଟିକୁ ନେଇ ଆମ୍ବୁଲାନସ ଚଢ଼ି ଥିଲେ । କେମିତି ଜଲଦି କଟକ ପହଞ୍ଚିଲେ ତାଙ୍କ ଧନ ବଞ୍ଚି ଯିବ ।
କିନ୍ତୁ ଭାଗ୍ୟର ବିଡମ୍ବନା ଏମିତି ଯେ ଆମ୍ବୁଲାନସଟି ବାରିପଦା ସିଟିରୁ ବାହାରି ଜାତୀୟ ରାଜପଥ ପହଞ୍ଚିବା ଖଣି ମଙ୍ଗଳା ମନ୍ଦିର ନିକଟରେ ଥିବା ଏକ ହୋଟେଲ ନିକଟରେ ୧୦୮ ରଖି ଆମ୍ବୁଲାନସ କର୍ମଚାରୀ ମାନେ ହୋଟେଲକୁ ଖାଇବାକୁ ଗଲେ । ମାଆ କାକୁତି ମିନତୀ ହୋଇ କହିଲେ ଛୁଆଟିକୁ ଟିକେ ସେଲାଇନ ଲଗାଇ ଦିଅ ବାବୁ । ତୁମର ସେସବୁ ଚିନ୍ତା କରିବାର ନାହିଁ, ମୁଁ ଅଛି ତେଣୁ କିଛି ହେବ ନାହିଁ ବୋଲି କର୍କଷ କଣ୍ଠରେ କହିଲେ ଫାର୍ମାଶିଷ୍ଠ । କାନ ମୁଣ୍ଡ ଆଉଁସି ମହିଳା ଦୁଇ ଜଣ ଆମ୍ବୁଲାନସରେ ବସି ରହିଲେ । ଇତି ମଧ୍ୟରେ ଅନୁ୍ୟନ ଦେଢ଼ ଘଣ୍ଟା ବିତି ଯାଇ ଥିଲା ଓ ଶିଶୁଟି ମଧ୍ୟ ପୀଡାରେ ବିଚଳିତ ହୋ ପଡୁ ଥିଲା । ପୁଣି ଜଣେ ମହିଳା ୧୦୮ ଆମ୍ବୁଲାନସ କର୍ମଚାରୀଙ୍କ ପାଖକୁ ଯାଇ ନେହୁରା ହେଲା କିଛି ଚିକିସôା ଦିଅନ୍ତୁ ନହେଲେ ପିଲାଟି ମରି ଯିବ । ସେତେବେଳେ ଉକ୍ତ ଢ଼ାବାରେ ଭୁରି ଭୋଜନ କରୁ ଥିବା ୧୦୮ କର୍ମଚାରୀ କହିଲେ ବେଶୀ କଥା କୁହ ନାହିଁ ଚୁପଚାପ ଆମ୍ବୁଲାନସରେ ବସ ନଚେତ ପରିଣାମ ଭଲ ହେବ ନାହିଁ ।
ମହିଳା ଦୁଇ ଜଣ ଶିଶୁଟିକୁ ନେଇ ସେମିତି ବସି ରହି ଥିଲେ । ପାଖାପାଖି ଦୁଇ ଘଣ୍ଟା ପରେ ଆମ୍ବୁଲାନସ କର୍ମଚାରୀ ମାନେ ଆମ୍ବୁଲାନସ ପାଖକୁ ଫେରିଲେ ତିନି ଜଣ ଯାକ ଆଗରେ ବସି ଗାଡି ଆଗକୁ ବଢ଼ାଇଲେ । ପଛରୁ ମାଆ ଓ ମାଉସୀ ସେଲାଇନ ପାଇଁ ଦେଉ ଥିବା ଡାକକୁ କର୍ଣ୍ଣପାତ କଲେ ନାହିଁ କି ଫାର୍ମାଶିଷ୍ଟ ରୋଗୀକୁ ଦେଖିଲେ ନାହିଁ । ତେବେ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ପିଲାଟି ନିସ୍ତେଜ ହୋଇ ଯାଇ ଥିବାର ଦେଖି ମାଆ ଓ ମାଉସୀ ଯୋରରେ କାନ୍ଦିବାରୁ ଆମ୍ବୁଲାନସ ଡ୍ରାଇଭର ଗାଡିଟିକୁ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁରାଇ ଥିଲେ । ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରି ଥିଲେ । ଶିଶୁଟିର ମୃତ୍ୟୁ ପରେ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଚାପା ଉତ୍ତେଜନା ଦେଖା ଦେଇ ଥିଲା । ସମାଜସେବୀ ପଦ୍ମଲୋଚନ ମହାନ୍ତ, ଗୋପାଲ ଚନ୍ଦ୍ର ମହାନ୍ତ, ସପନ କୁମାର ମହାନ୍ତ ଓ ଅନ୍ୟମାନେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଥିଲେ ।
ଘଟଣା ଉତ୍ତେଜନା ପୂର୍ଣ୍ଣ ହେବାରୁ ଆମ୍ବୁଲାନସ କର୍ମଚାରୀ ମାନେ ଆମ୍ବୁଲାସନ ଛାଡି ଚମ୍ପଟ ମାରି ଥିଲେ । ବେତନଟୀ ଥାନା ଏସଆଇ ବିପି ନନ୍ଦ, ଏଏସଆଇ ଚିତ୍ତରଞ୍ଜନ ବାରିକ, ଏଏସଆଇ ପିକେ ସାହୁ, କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ସିକେ ରଣଜିତ ଓ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆଇନଶୃଙ୍ଖଳା ନିୟନ୍ତ୍ରଣ କରି ଥିଲେ । ଘଟଣା ବାବଦରେ ଲିଖିତ ଭାବେ ଅଭିଯୋଗ ହେବା ପରେ ବେତନଟୀ ଥାନାରେ ଆମ୍ବୁଲାନସର ଡ୍ରାଇଭର ଓ ଫାର୍ମାଶିଷ୍ଟଙ୍କ ନାମରେ ଦଫା ୩୦୪ (କ), ୩୪ ମୂଳେ ମାମଲା ନମ୍ବକର୧୭୬/୨୦୨୦ ରୁଜୁ ହୋଇ ତଦନ୍ତ ଚାଲିଛି । ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ଆମ୍ବୁଲାନସ କର୍ମଚାରୀ ମାନେ ତାଙ୍କର କାର୍ଯ୍ୟ ସମୟ ପୂର୍ବରୁ ଖାଇପିଇ ପ୍ରସ୍ତୁତ ହୋଇ ରହିବାର ନିୟମ ରହିଛି । ଏହା ଛଡା କୌଣସି ଶଙ୍କଟାପନ୍ନ ରୋଗୀଙ୍କୁ ରାସ୍ତାରେ ଅଟକାଇବାର ନିୟମ ନଥିବା ବେଳେ ଆମ୍ବୁଲାନସ କର୍ମଚାରୀ ମାନେ ଏମିତି ଘଣ୍ଟା ଘଣ୍ଟା ଆମ୍ବୁଲାନସ ଅଟକାଇ ଖାଦ୍ୟ ଖାଇବା ବେଆଇନ ତେଣୁ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ନେବାକୁ ସାଧାରଣରେ ଦାବି ହୋଇଛି ।