Odisha news

ମହାମାରୀ ସମୟରେ ଦାଦନ ଖଟୁଥିବା ଓଡିଆଙ୍କ କ୍ଷତରେ ଲୁଣଛିଟା ନମାରନ୍ତୁ ଅମର ବାବୁ : ଗୋଲକ ମହାପାତ୍ର

0

ଭୁବନେଶ୍ୱର : ପ୍ରବାସୀ ଶ୍ରମିକଙ୍କ ପାଇଁ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଚାକିରୀ ଦେବା ପାଇଁ ଚେଷ୍ଟା କରିବି ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ । ଦୀର୍ଘ ୨୦ ବର୍ଷ ନିରଙ୍କୁଶ ଶାସନ ପରେ ବି ରାଜ୍ୟସରକାର ଶ୍ରମିକଙ୍କ ମାନଙ୍କୁ କାମ ଯୋଗାଇ ପାରିଲେ ନାହିଁ । ଯାହା ଫଳରେ ସେମାନେ କମ ଦରମାରେ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି । ଆଉ ଏବେ ଏକ ନୂଆ ଭେଳିକି ଦେଖାଇ ବିଜେଡି ସାଂସଦ ଚାକିରୀ ଦେବା ଅଭିଯାନ ଆରମ୍ଭ କରିବା କହି ଓଡିଶାବାସୀଙ୍କୁ ପୁଣିଥରେ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ବାହାରେ ପାଖାପାଖି ୧୦ ଲକ୍ଷରୁ ଉଦ୍ଧ୍ୱର୍ ଓଡିଆ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଥିଲେ । କରୋନା ମହାମାରୀ ସମୟରେ ବିଭିନ୍ନ ସଂସ୍ଥା ବନ୍ଦ ହୋଇଥିବାରୁ ପ୍ରବାସୀ ଶ୍ରମିକମାନେ ଏବେ ନିଜ ନିଜ ଗାଁରେ ଅଛନ୍ତି । ଯଦି ରାଜ୍ୟସରକାର ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ଦେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ତେବେ ପ୍ରଥମେ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ଦକ୍ଷତା ମ୍ୟାପିଂ କରିବା କଥା । ପ୍ରବାସୀ ଶ୍ରମିକମାନଙ୍କର ଚାକିରୀ କରୁଥିବା ସ୍ଥାନ, କେଉଁ ବିଭାଗ, କେଉଁ ପଦବୀ, କେତେ ଦରମା ଏବଂ କେତେ ବର୍ଷର ଅଭିଜ୍ଞତା ଆଦିର ଏକ ତାଲିକା ପ୍ରସ୍ତୁତ କରି ଦକ୍ଷତା ଅନୁଯାୟୀ ନିଜ ରାଜ୍ୟରେ ସରକାର ସେମାନଙ୍କୁ ନିଯୁକ୍ତି ଦିଅନ୍ତୁ । ମାନ୍ୟବର ସୁପ୍ରିମକୋର୍ଟ ପ୍ରବାସୀ ମାନଙ୍କର ଦକ୍ଷତା ମ୍ୟାପିଂ କରିବା ପାଇଁ ସମସ୍ତ ରାଜ୍ୟସରକାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । କିନ୍ତୁ ରାଜ୍ୟସରକାର ଏପର୍ଯ୍ୟନ୍ତ ଏହାକୁ ଲାଗୁ କରିନାହାଁନ୍ତି ।

ଚଳିତ ବର୍ଷ ଜାନୁଆରୀ ୧୫ ତାରିଖରେ ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷା ଓ ସହାୟତା ପାଇଁ ରାଜ୍ୟ ସରକାର ୫୦୦ ଶହ ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିଲେ । ଏଥିରେ ରାଜ୍ୟ ସରକାର ୧୧ଟି ଜିଲ୍ଲାକୁ ସାମିଲ କରିଥିଲେ ବି ଅନେକ ଜିଲ୍ଲାରେ ଏର୍ପ୍ୟନ୍ତ ଏହାକୁ ଲାଗୁ କରାଯାଇ ନାହିଁ । ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରତି ପଂଚାୟତରେ ଶ୍ରମିକ ମିତ୍ର ନିଯୁକ୍ତ କରାଯିବା କଥା କୁହାଯାଇଥିଲା କିନ୍ତୁ ତାହା ହୋଇନାହିଁ । ଏବେ ବିଜେଡି ସାଂସଦ ୩ଟି ଜିଲ୍ଲାର ୨୦୦ ପ୍ରବାସୀ ଶ୍ରମିକଙ୍କୁ ଏକ ଘରୋଇ କଂପାନୀରେ ରୋଜଗାର ଦେବା କଥା କହି କେବଳ ବାହା ବାହା ନେବାକୁ ବସିଛନ୍ତି ।

ସେଥିରେ ପୁଣି ବିଜେଡି ଆଇଟି କୋଅର୍ଡିନେଟରଙ୍କ ସହ ଯୋଗାଯୋଗ କରିବା ପାଇଁ ଅମର ବାବୁ କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ବିଜେଡି ସମର୍ଥୀତ ଲୋକଙ୍କୁ ନିଯୁକ୍ତି ଦେବାରେ ପ୍ରାଧାନ୍ୟ ଦିଆଯିବ । ଗରିବ ଓଡିଆ ମାନଙ୍କୁ କାହିଁକି ବୋକା ବନେଇବା ପାଇଁ ଚେଷ୍ଟା କରୁଛନ୍ତି ଅମର ବାବୁ । ଅମର ବାବୁଙ୍କ ଦଳର ସରକାର ରାଜ୍ୟରେ ଅଛି । ସେ ସରକାରଙ୍କୁ କୁହନ୍ତୁ ସଂପୂର୍ଣ୍ଣ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ଯୋଗାଇ ଦେବେ । ଅମର ବାବୁଙ୍କ ସରକାର ୨୦ ବର୍ଷ ଧରି ଚାକିରୀ ଓ ରୋଜଗାର ସୃଷ୍ଟି କରିପାରିଲେ ନାହିଁ । ଏବେ ମହାମାରୀ ସମୟରେ ବିଜେଡି ସାଂସଦ ଚାକିରୀ ଦେବା ଅଭିଯାନ କରି ମିଥ୍ୟା ପ୍ରତିଶୃତି ଦେଇ ଦାଦନ ଖଟୁଥିବା ଓଡିଆଙ୍କ କ୍ଷତରେ ଲୁଣଛିଟା ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।

Leave A Reply