Odisha news

ସେପଟେ କରୋନା ଭୟ ; ଏପଟେ ସାର ମିଳୁନି, ଚିନ୍ତାରେ ଚାଷୀକୁଳ

0

ଛତ୍ରପୁଏ ୩୦/୭: ଚଳିତ ବର୍ଷ ଖରିଫ୍ ଋତୁରେ ଧାନ ଚାଷ ପାଇଁ ଶୀଘ୍ର ବିହନ ବୁଣାଯାଇଛି । ମାତ୍ର ଶ୍ରାବଣରେ ଭଲ ବର୍ଷା ହେଉନଥିବାରୁ ଚିନ୍ତାରେ ପଡ଼ିଛି ଚାଷୀକୁଳ । ଠେପ ଜମିକୁ ଛାଡ଼ି ଦେଲେ ଅନ୍ୟ ଖାଲୁଆ ଜମି ଓ ଅପେକ୍ଷାକୃତ ସମତଳ ଜମିରେ ଧାନ ଚାଷ ପାଇଁ ଚାଷୀ ଜୋର୍ ସୋରରେ ଲାଗିପଡ଼ିଛନ୍ତି । ଚାଷ ତରବର, ବଣିଜ ମଠ ନ୍ୟାୟରେ ଚାଷୀ ବର୍ଷକର ଖାଦ୍ୟ ପାଇଁ କରୋନା ସଂକ୍ରମଣକୁ ଖାତିର ନକରି କାମରେ ଲାଗି ପଡ଼ିଛି । ଶ୍ରାବଣ ଶେଷକୁ କିଛି ପରିମାଣର ବର୍ଷା ଚାଷୀକୁଳକୁ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି ।

ଯଦି ବର୍ଷା ଲାଗି ରହେ ତେବେ ରୁଆ ବେଉଷଣ କାର୍ଯ୍ୟ ଶୀଘ୍ର ଶେଷ ହୋଇଯିବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି । ଅପର ପକ୍ଷରେ ରୁଆ ଯାଉଥିବା ଜମିରେ ଏବେ ସାର ନିହାତି ଆବଶ୍ୟକ । ସାର ପର୍ଯ୍ୟାପ୍ତ ପରିମାଣରେ ମିଳୁନଥିବାରୁ ଚାଷୀ ଚିନ୍ତା ବଢିଛି । ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ପୂର୍ବରୁ ପାଣିପାଗ ବିଭାଗ ସୂଚନା ଦେଇଥିଲା । ଆଉ ମୌସୁମୀ ମଧ୍ୟ ଠିକଣା ସମୟରେ ଆସିଯାଇଥିଲା । ଆଉ ଏହାକୁ ନଜରରେ ରଖି ଚାଷୀ ଜମିରେ ବେଉଷଣ କାର୍ଯ୍ୟରେ ଲାଗି ପଡ଼ିଥିଲେ । ଚାଷ ପରେ ଉତମ ବର୍ଷା ମଧ୍ୟ ହୋଇଥିଲା ।

ଆଉ ବର୍ଷା ପରେ ଜମିକୁ କାଦୁଅ କରିବା ସହ ଜମିରେ ବିଏପି, ଏମ୍ ଓପି (ପଟାସ୍‌, ଏନପିକେ ଓ ୟୁରିଆ ସାର ଆଦି ପ୍ରୟୋଗ କରାଯାଇ କାଦୁଅ କରାଯିବା ପରେ ଧାନ ରୁଆ କାର୍ଯ୍ୟ ଆରମ୍ଭ ହେବା କଥା ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସମୁଦ୍ରକୁ ଶଙ୍ଖେ ଭଳି କିଛି ସେବା ସମବାୟ ସମିତିକୁ ଗୋଟିଏ କିମ୍ବା ଦୁଇଟି ଟ୍ରକ୍ ଲେଖାଏଁ ୟୁରିଆ ଓ ଡିଏପି ସାର ଦିଆଯାଇଥିଲା । ଏଥିରେ ମାତ୍ର ୨୫ ପ୍ରତିଶତ ଚାଷୀ ଉପକୃତ ହୋଇ ପାରିଛନ୍ତି । ବଳକା ୭୫ ପ୍ରତିଶତ ଚାଷୀ ସାର ପିଡ଼ିଆ ନପାଇ ଧାନ ରୁଆ କାର୍ଯ୍ୟ ଆରମ୍ଭ କରିଛନ୍ତି । କିଛି ସେବା ସମବାୟ ସମିତିରେ ଗତ ବର୍ଷର ଷ୍ଟକ୍ ରହିଥିବା ସାରକୁ ଚାଷୀଙ୍କୁ ଦେଇଥିବା ବେଳେ ଦ୍ୱିତୀୟ କିସ୍ତିରେ ଛତ୍ରପୁର ସବ୍ ଡିଭିଜନ୍ ର ୧୫୧ଟି  ସେବା ସମବାୟ ସମିତି ମଧ୍ୟରୁ ୧୨୫ଟି ସେବା ସମବାୟ ସମିତିକୁ ୨ଟି ଲେଖାଏଁ ଟ୍ରକ୍ ୟୁରିଆ ସାର ମିଳିଛି । ଏଭଳି ସ୍ଥିତିରେ ଆଗକୁ ଚାଷ କାର୍ଯ୍ୟ ପରିଚାଳନା ଜଟିଳ ହେବା ଆଶଙ୍କା ପ୍ରକାଶ ପାଇଛି । ଅପର ପକ୍ଷରେ ଏସଂପର୍କରେ ଛତ୍ରପୁର ସହକାରୀ ନିବନ୍ଧକଙ୍କ ଯୋଗାଯୋଗ କରିଥିବାରୁ ସେ କହିଥିଲେ ଯେ ବର୍ତମାନ ସାର ୩୦୫୧ ମେଟ୍ରିକ୍ ଟନ୍ ସାର ୧୨୫ଟି ସେବା ସମବାୟ ସମିତିକୁ ପଠାଯାଇଛି ।

ସାର ଦିନେ ଦୁଇ ଦିନ ଭିତରେ ଆସିବାର ଅଛି । ଖୁବ୍ ଶୀଘ୍ର ବଳକା ସେବା ସମବାୟ ସମିତିକୁ ପଠାଯିବ । ସେହିପରି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ କହିଛନ୍ତି ଯେ, ଛତ୍ରପୁର ଉପଖଣ୍ଡ ଅଧିନରେ ୧୫୧ଟି ସେବା ସମବାୟ ସମିତି ରହିଥିବାରୁ ବର୍ତମାନ ୧୨୫ଟି ସେବା ସମବାୟ ସମିତିରେ ତାର ଆବଶ୍ୟକ ପରିମାଣରେ ମହଜୁଦ୍ ନାହିଁ । ତେଣୁ ଚାଷୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଋଷିକୁଲ୍ୟା ରୟତ ମହାସଭାର ସର୍ଭେ ଅନୁସାରେ ପ୍ରତ୍ୟେକ ସେବା ସମବାୟ ସମିତିରେ ୮ରୁ ୯ଟି ଟ୍ରକ୍ ସାର ଦରକାର ପଡ଼ୁଥିବା ବେଳେ ମାତ୍ର ସରକାରଙ୍କ ପକ୍ଷରୁ ୧୦ରୁ ୨୦ ଟନ୍ ସାର ଏପର୍ଯ୍ୟନ୍ତ ପଡ଼ିଛି । ତେଣୁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ଏପଟେ କରୋନା ଭୟ ଏପଟେ ଚାଷୀ ସାର ନପାଇ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

Leave A Reply