ଭଦ୍ରକ/ଧାମରା :ରାଜ୍ୟ ସରକାର ଦୁର୍ନୀତି ରୋକିବାକୁ କଡା ନିଷ୍ପତ୍ତି ନେଇଛନ୍ତି । କାହାରି ଠାରୁ ଟଙ୍କାଟିଏ ହାତଗୁଞ୍ଜା ନ ନେବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାକୁ କିଛି ଅସାଧୁ କର୍ମଚାରୀ ମାନୁ ନାହାଁନ୍ତି । ଲାଞ୍ଚ ନଦେଲେ ଫାଇଲ୍ରେ ଉଇ ଲାଗୁଛି । ସରକାରଙ୍କ କଡା ନିର୍ଦ୍ଦେଶ ତଳ ସ୍ତରରେ କାଯର୍ୟକାରୀ ହେଉ ନାହିଁ । ଯାହାର ଏକ ନଗ୍ନ ଉଦାହରଣ ଭଦ୍ରକ ଜିଲ୍ଳା ଚାନ୍ଦବାଲି ତହସିଲ ଅଧିନରେ ଦେଖିବାକୁ ମିଳିଛି । ଆଜି ୩ହଜାର ଟଙ୍କା ଲାଞ୍ଚ ନେଇ ଜଣେ ଆର୍.ଆଇ(ରାଜସ୍ୱ ନୀରିକ୍ଷକ) ଭିଜିଲାନ୍ସ ହାତରେ ଗିରଫ୍ ହୋଇଛନ୍ତି । ଏହି ଆର୍.ଆଇ ହେଲେ ନାମ ସୁବ୍ରତ ମଲ୍ଲିକ ।
ପ୍ରକାଶ ଯେ : ଚାନ୍ଦବାଲି ତହସିଲ ଅଧିନ ଓସ୍ତିଆ ପଞ୍ଚାୟତର ପଣସପଡା ଗାଁର କିଶୋର ପଣ୍ଡା ଜଣେ ସାଧାରଣ ଲୋକ । ସେ ତାଙ୍କ ଜମି ବାଡିର ଉତ୍ତରାଧିକାରୀ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ । ଏହି ପ୍ରମାଣ ପତ୍ର ପାଇବା ପାଇଁ ଚାନ୍ଦବାଲି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ବହୁବାର ଧାଇଁଥିଲେ । ଦୀର୍ଘ ଦିନ ବିତି ଯାଇଥିଲେ ବି ସେ ପ୍ରାମଣାପତ୍ର ଖଣ୍ଡକ ପାଇପାରି ନଥିଲେ । ଅପରପକ୍ଷେ ଏହି ପ୍ରମାଣାପତ୍ର ପାଇଁ ଚାନ୍ଦବାଲି ରାଜସ୍ୱ ନୀରିକ୍ଷକ(ଆର.ଆଇ)ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଶେଷରେ ନିରୁପାୟ ହୋଇ ଶ୍ରୀ ପଣ୍ଡା ଭଦ୍ରକ ଜିଲ୍ଲା ଭିଜିଲାନ୍ସୟୁନିଟ୍ କାର୍ଯ୍ୟାଳୟରେ ଦ୍ୱାରସ୍ଥ ହୋଇଥିଲେ । ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ୍ ନିର୍ଦ୍ଦେଶକ୍ରମେ ପୂର୍ବ ଯୋଜନା ଅନୁସାରେ ସେ, ଆର. ଆଇଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ପୂର୍ବରୁ ଜଗି ବସିଥିବା ଭଦ୍ରକ ଜିଲ୍ଲା ଭିଜିଲାନ୍ସ ବିଭାଗର ୩ ଜଣିଆ ଏକ ଟିମ ତତ୍କ୍ଷଣାତ୍ ତାଙ୍କୁ କାବୁ କରିଥିଲା । ନଗତ ୩ ହଜାର ଟଙ୍କା ସହିତ କିଛି କାଗଜପତ୍ର ଆର.ଆଇଙ୍କ ଠାରୁ ଜବତ କରାଯାଇ ଥିବା ଖବର ମିଳିଛି । ଏହି ଘଟଣାରେ ଗିରଫ୍ ଆରଆଇଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ପାଇଁ ତାଙ୍କୁ ଭଦ୍ରକ ନିଆ ଯାଇଛି ।