ସାହିତ୍ୟ ଏକାଡେମୀ ସଦସ୍ୟ ଚୟନ ପ୍ରସଂଗ : ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମଂତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲାପାଳଂକୁ ଦାବିପତ୍ର
ଖୋର୍ଦ୍ଧା : ରାଜ୍ୟ ସରକାରଙ୍କର ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲା ପ୍ରତି ବୈମାତୃକ ମନୋଭାବ ପୋଷଣ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ରାଜ୍ୟ ସାହିତ୍ୟ ଏକାଡେମୀକୁ ବାହାର ଅଂଚଳର ଲୋକଙ୍କୁ ପ୍ରତିନିଧି ଭାବେ ଚୟନ କରାଯାଉଥିବାବେଳେ ଖୋର୍ଦ୍ଧା ଅଂଚଳର ଲୋକଙ୍କୁ ପ୍ରତିନିଧିତ୍ୱ ନ ମିଳିବା ନେଇ ଜିଲାପାଳଙ୍କୁ ଭେଟିଛନ୍ତି ଖୋର୍ଦ୍ଧାର ସାହିତି୍ୟକ, ସମାଜସେବୀ ତଥା ସାମ୍ବାଦିକ ।
ଖୋର୍ଦ୍ଧା ଜିଲା ସାହିତ୍ୟ ସମାଜ, ଖୋର୍ଦ୍ଧା ସାହିତ୍ୟ ସଂସଦ, ବିଷୁବ ମିଳନ ସମିତି, ଖୋର୍ଦ୍ଧା ବିକାଶ ପରିଷଦ, ଖୋର୍ଦ୍ଧା ନାଗରିକ ମଂଚ, ଖୋର୍ଦ୍ଧା ଜିଲା ଓକିଲ ସଂଘ, ଉକ୍ରଳ ସମ୍ମିଳନୀ, ସମ୍ବାଦ ସାହିତ୍ୟ ଘର, ବରିଷ୍ଠ ନାଗରିକ ମଂଚ, ଖୋର୍ଦ୍ଧା ନାଗରିକ ମଂଚ, ଅବସରପ୍ତାପ୍ତ କର୍ମଚାରୀ ସଂଘ, ଓଡ଼ିଶା ସାମ୍ବାଦିକ ୟୁନିୟନ, ଗୀତା ଗବେଷଣା ପରିଷଦ, କଳିଂଗ ପାଇକ ସଂଗଠନ, ଐତିହାସିକ ସମାଜ, ପ୍ରାଥମିକ ସାହିତ୍ୟ ସମାଜ, ନିଉ ଥିଂକିଂଗ୍ ଫୋରମ୍, ବନମାଳୀ ସାହିତ୍ୟ ପରିଷଦ, କୋଣାର୍କ ସାହିତ୍ୟ ସଂସଦ, ଗୀତା ଗବେଷଣା ପରିଷଦ, ତ୍ରିନାଥ ଚରଣ ସ୍ମୃତି କଳା ପରିଷଦ, ମା’ ମଂଗଳା ସାହିତ୍ୟ ସଂସଦ, ଅବୋଲକରା ସାହିତ୍ୟ ସଂସଦ, ସ୍ୱାଗତିକା ସାହିତ୍ୟ ସଂସଦ, ପଲ୍ଲୀ ପ୍ରତିଭା ସାହିତ୍ୟ ସଂସଦ, ଜଟଣୀ ସାହିତ୍ୟ ସଂସଦ, ବଳଦୁର୍ଗ ସାହିତ୍ୟ ସଂସଦ, ଓଡ଼ିଆ ଭାଷା ଗବେଷଣା ପ୍ରତିଷ୍ଠାନ ଆଦି ବହୁ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ଜିଲାପାଳ ସୀତାଂଶୁ ରାଉତଙ୍କୁ ପ୍ରଦାନ କରାଯାଇଛି ।
ସର୍ବଶ୍ରୀ ଜ୍ଞାନରଞ୍ଜନ ଦାଶ, ଶକ୍ତିଶଙ୍କର ମିଶ୍ର, ସତ୍ୟବାଦୀ ବଳିଆରସିଂହ, ନାରାୟଣ ଦାସ, ପ୍ରସନ୍ନ କୁମାର ପାଇକରାୟ ପ୍ରମୁଖ ଜିଲାପାଳଙ୍କୁ ଖୋର୍ଦ୍ଧାବାସୀଙ୍କ ଉଦବେଗ ସଂପର୍କରେ ଅବଗତ କରାଇଥିଲେ । ରାଜ୍ୟ ସରକାର ତୁରନ୍ତ ଖୋର୍ଦ୍ଧା ଜିଲା ପାଇଁ ମନୋନୀତ ହୋଇଥିବା ପ୍ରତିନିଧିଙ୍କୁ ବଦଳାଯାଇ ତାଙ୍କ ସ୍ଥାନରେ ଜିଲାର ସାହିତି୍ୟକଙ୍କୁ ମନୋନୀତ କରାଯିବା ପାଇଁ ସେମାନେ ଦାବି କରିଥିଲେ ।
ସୂଚନାଯୋଗ୍ୟ, ନିକଟରେ ସାହିତ୍ୟ ଏକାଡେମୀର ଖୋର୍ଦ୍ଧା ଜିଲା ପାଇଁ ସଦସ୍ୟ ଭାବେ ମନୋନୀତ ହୋଇଥିବା ବିବେକାନନ୍ଦ ପାଣିଗ୍ରାହୀ ମୂଳତଃ ଗଂଜାମ ଜିଲାର ବାସିନ୍ଦା । ପୂର୍ବେ ସେ ଗଜଗତି ଜିଲାର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ବିବାଦ ହୋଇଥିଲା । ଏପରିକି ଏ ନେଇ ଅଦାଲତରେ ମାମଲା ଦାଏର ହୋଇଥିଲା । ଏକାଡେମୀର ନିୟମ ଅନୁଯାୟୀ, ଯେଉଁ ଜିଲାର ଲୋକ ସେହି ଜିଲାର ପ୍ରତିନିଧି ହେବେ, ଥରେ ସଦସ୍ୟ ହେଲେ ଦ୍ୱିତୀୟଥର ହୋଇପାରିବେନାହିଁ । ମାତ୍ର ଖୋର୍ଦ୍ଧା ଜିଲା କ୍ଷେତ୍ରରେ ସମସ୍ତ ପ୍ରକାର ନିୟମକୁ ଜଳାଂଜଳି ଦିଆଯାଇଛି । ଗତ ୨୦୦୫ ମସିହାରୁ ଖୋର୍ଦ୍ଧା ଜିଲାର ସାହିତି୍ୟକମାନଙ୍କ ପ୍ରତି ପାତରଅନ୍ତର ନୀତି ପୋଷଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ସରାଜ୍ୟ ସରକାରଙ୍କର ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ଏଭଳି ନିଷ୍ପତିର ପୁନର୍ବିଚାର କରିବା ପାଇଁ ଦାବି ଜୋର ଧରିଛି ।