Odisha news

ଖେଳରେ କେହି ହାରନ୍ତି ନାହିଁ ; ଜଣେ ଜିତେ, ଅନ୍ୟଜଣେ ଶିଖେ – ଧର୍ମେନ୍ଦ୍ର ପ୍ରଧାନ

‘ଚତୁର୍ଥ ବାଜି ରାଉତ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

0

• ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲାରେ ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଏହି ଆୟୋଜନ ପ୍ରଶଂସନୀୟ
• ବିଜୟୀ ଟିମ ସମ୍ବଲପୁରର ସିଂହପାଲି ଏଫ୍.ସି ଏବଂ ପ୍ରତିଦ୍ୱନ୍ଦୀ ଟିମ ଅନୁଗୋଳର ଗୋଲଡେନ୍ କ୍ଲବର ଖେଳାଳିଙ୍କୁ କଲେ ପୁରସ୍କୃତ
• ସମ୍ବଲପୁର ସମେତ ଢେଙ୍କାନାଳ, ବ୍ରହ୍ମପୁର ଓ ଜୟପୁରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରୁଛନ୍ତି ଓଡ଼ିଶା ସରକାର
• ସମ୍ବଲପୁରକୁ ଆଥଲେଟିକ୍ସ ସମେତ ଅନ୍ୟାନ୍ୟ ଖେଳ ପାଇଁ ଏକ ବଡ଼ ‘ହବ୍’ ଭାବେ ଗଢ଼ିତୋଳିବା ଏବଂ ସହରର ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ଷ୍ଟାଡିୟମ ନିର୍ମାଣ କରିବା ଆମର ଲକ୍ଷ୍ୟ
• ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସମ୍ବଲପୁରର ଖେଳାଳିମାନେ ଦେଶ ପାଇଁ ମେଡାଲ ଆଣି ଓଡ଼ିଶାକୁ ଗର୍ବିତ କରିବେ ବୋଲି ଆଶା

ସମ୍ବଲପୁର, ଜାନୁଆରୀ ୨୪ – ଖେଳରେ କେହି ହାରନ୍ତି ନାହିଁ; ଜଣେ ଜିତେ, ନଚେତ୍ ଅନ୍ୟଜଣେ ଶିଖେ । ଏହି ମନ୍ତ୍ରକୁ ଆଧାର କରି ଆଜିର ଯୁବ ଖେଳାଳିମାନେ ଆଗକୁ ବଢ଼ିବା ଉଚିତ୍ ବୋଲି ଶନିବାର ସମ୍ବଲପୁରର ୪ସି ପଡ଼ିଆରେ ଆୟୋଜିତ ‘ଚତୁର୍ଥ ବାଜି ରାଉତ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫-୨୬’ର ଉଦଯାପନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ସେ କହିଛନ୍ତି ଯେ, ଆମ ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଅତୁଳନୀୟ ବଳିଦାନକୁ ସ୍ମରଣ କରି ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କ୍ରୀଡ଼ା ମହାକୁମ୍ଭ ପ୍ରକୃତରେ ସ୍ୱାଗତଯୋଗ୍ୟ । ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଏହି ଆୟୋଜନ ଗତ ୪ ବର୍ଷ ଧରି ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲାରେ ଏକ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି। ସେ ଆହୁରି କହିଛନ୍ତି ଯେ ସମ୍ବଲପୁର ସଦାସର୍ବଦା ଖେଳର ଏକ ପ୍ରମୁଖ ପେଣ୍ଠସ୍ଥଳି ହୋଇ ରହିଛି । କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ନିକଟରେ ଓଡ଼ିଶା ସରକାର ସମ୍ବଲପୁର ସମେତ ଢେଙ୍କାନାଳ, ବ୍ରହ୍ମପୁର ଓ ଜୟପୁରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ସମ୍ବଲପୁରକୁ ଆଥଲେଟିକ୍ସ ସମେତ ଅନ୍ୟାନ୍ୟ ଖେଳ ପାଇଁ ଏକ ବଡ଼ ‘ହବ୍’ ଭାବେ ଗଢ଼ିତୋଳିବା ଏବଂ ସହରର ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ଷ୍ଟାଡିୟମ ନିର୍ମାଣ କରିବା ଆମର ଲକ୍ଷ୍ୟ । ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆଗାମୀ ଦିନରେ ସମ୍ବଲପୁରର ଖେଳାଳିମାନେ ମଧ୍ୟ ଦେଶ ପାଇଁ ମେଡାଲ ଆଣି ଓଡ଼ିଶାକୁ ଗର୍ବିତ କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ବର୍ଷର ଏହି ଟୁର୍ଣ୍ଣାମେଣ୍ଟ ଗତ ଜାନୁଆରୀ ୧୨ ତାରିଖରେ ଢେଙ୍କାନାଳର କାମାକ୍ଷାନଗରରୁ ଶୁଭାରମ୍ଭ ହୋଇ ଢେଙ୍କାନାଳ, ଅନୁଗୋଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧୯୯ଟି ଦଳ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅନୁଗୋଳରୁ ୭୩ଟି, ସମ୍ବଲପୁରରୁ ୭୩ଟି, ଢେଙ୍କାନାଳରୁ ୨୯ଟି ଏବଂ ଦେବଗଡ଼ରୁ ୨୪ଟି ଦଳ ସାମିଲ ଥିଲେ । ସମ୍ବଲପୁର ଜିଲ୍ଲାର ମ୍ୟାଚଗୁଡ଼ିକ ଜାନୁଆରୀ ୨୨ରେ ଶେଷ ହୋଇଥିବା ବେଳେ ଆଜିର ଅନ୍ତିମ ଦିବସରେ ସେମିଫାଇନାଲ ଓ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା ।
ଫାଇନାଲ ମ୍ୟାଚ୍ ସମ୍ବଲପୁରର ସିଂହପାଲି ଏଫ୍.ସି ଏବଂ ଅନୁଗୋଳର ଗୋଲଡେନ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସିଂହପାଲି ଏଫ୍.ସି ବିଜୟୀ ହୋଇ ଚାମ୍ପିଅନ୍ ହୋଇଛି । ସଫଳ ଆୟୋଜନ ପାଇଁ ‘ଆମେ ଓଡ଼ିଆ’ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ୧୯୯ଟି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ବିଜୟୀ ଓ ପ୍ରତିଦ୍ୱନ୍ଦୀ ଟିମକୁ ପୁରସ୍କୃତ ମଧ୍ୟ କରିଥିଲେ ।

 

Leave A Reply