Odisha news

୩୦ ସେକେଣ୍ଡର ‘ରିଲ୍’ ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରେ କିନ୍ତୁ ଭଲ ବହି ସାରା ଜୀବନକୁ ପ୍ରଭାବିତ କରେ – ଧର୍ମେନ୍ଦ୍ର ପ୍ରଧାନ

0

• ଉଦଘାଟନୀ ସମାରୋହରେ ସମ୍ବଲପୁରର ଐତିହ୍ୟ ଓ ଅସ୍ମିତା ସହ ଜଡ଼ିତ ବିଭିନ୍ନ ପୁସ୍ତକ ଉନ୍ମୋଚିତ
• ସମ୍ବଲପୁର ପୁସ୍ତକ ମେଳା ‘ମହାପୁରୁଷଙ୍କ ସ୍ମୃତି ଚାରଣର ଏକ ‘ବୌଦ୍ଧିକ ମହାକୁମ୍ଭ’
• ଯିଏ ପଢ଼େ, ସେ କେବଳ ଟ୍ରେଣ୍ଡ୍ ବନାଏ ନାହିଁ, ସେ ଇତିହାସ ବନାଏ
• ଗୋଟିଏ ବହି ଖୋଲିବା ଅର୍ଥ ଭାରତର ଭବିଷ୍ୟତକୁ ଦୁଇ ପାଦ ଆଗକୁ ନେବା
• ସମ୍ବଲପୁର ପୁସ୍ତକ ମେଳାକୁ ବିଶ୍ୱସ୍ତରୀୟ ସାହିତ୍ୟ ସମ୍ମିଳନୀ ନାଁରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ
• “ଦି ସାଗା ଅଫ୍ କୁଦୋପାଲି: ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ପୁସ୍ତକ ୧୩ଟି ଭାଷାରେ ଉପଲବ୍ଧ, ଯାହା ସମ୍ବଲପୁର ଇତିହାସକୁ ବିଶ୍ୱ ଦରବାରରେ ପହଞ୍ଚାଇବ
• ନୂଆ ପିଢ଼ିର ଛାତ୍ରଛାତ୍ରୀ ଖିଣ୍ଡା ପରିଦର୍ଶନ ସହ ରେଢ଼ାଖୋଲର ଭୀମମଣ୍ଡଳୀ ଇତିହାସ ବିଷୟରେ ଜାଣନ୍ତୁ
• ବୁଦ୍ଧିଜୀବୀ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକମେଳା ପରିଦର୍ଶନ ପାଇଁ ଦେଲେ ପରାମର୍ଶ
• ଫେବୃଆରୀରେ ଆୟୋଜିତ ହେବାକୁ ଥିବା ‘ହୀରାକୁଦ ମାରାଥନ’ରେ ଅଂଶଗ୍ରହଣ କରିବାକୁ ଆହ୍ୱାନ

ସମ୍ବଲପୁର, ୨୪ ଜାନୁଆରୀ ୨୦୨୬ –  ପୁସ୍ତକ ମେଳା ବିଚାର ଓ ଆଚାରର ଏକ ଉତ୍ସବ । ବହି ପଢ଼ିବା ଦ୍ୱାରା ଜ୍ଞାନର ଗଭୀରତା ବଢ଼େ ଏବଂ ଆଗକୁ ଯିବାର ପଥ ମିଳେ । ଆଜିକାଲିର ମୋବାଇଲ ଓ ୩୦ ସେକେଣ୍ଡର ‘ରିଲ୍’ ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରିପାରେ, କିନ୍ତୁ ଗୋଟିଏ ଭଲ ବହି ସାରା ଜୀବନକୁ ପ୍ରଭାବିତ କରିଥାଏ । ଯିଏ ପଢ଼େ, ସେ କେବଳ ଟ୍ରେଣ୍ଡ୍ ବନାଏ ନାହିଁ, ସେ ଇତିହାସ ବନାଏ । ଗାନ୍ଧିଜୀ ଯଦି ଗୀତା ପଢ଼ିନଥାନ୍ତେ, ତେବେ ଭାରତର ସ୍ୱାଧୀନତା ସଂଗ୍ରାମ ହୁଏତ ଭିନ୍ନ ରୂପ ନେଇଥାନ୍ତା । ପ୍ରତ୍ୟେକ ଥର ଗୋଟିଏ ବହି ଖୋଲିବା ଅର୍ଥ ଭାରତର ଭବିଷ୍ୟତ ଦୁଇ ପାଦ ଆଗକୁ ବଢ଼ିବା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସଂସ୍କୃତି ଓ ସାହିତ୍ୟର ଅନନ୍ୟ ଭୂମି ତଥା ବୀର ଓ ସଂଗ୍ରାମୀଙ୍କ ପବିତ୍ର ମାଟି ସମ୍ବଲପୁର ଠାରେ ଆଜି ‘୨୬ତମ ସମ୍ବଲପୁର ପୁସ୍ତକ ମେଳା’କୁ ଉଦଘାଟନ କରିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଏହି ମେଳାକୁ ଏକ ପୁସ୍ତକ ସମାହାର ଅପେକ୍ଷା ଜାତିର ପୂର୍ବଜ ଓ ମହାପୁରୁଷଙ୍କ ସ୍ମୃତି ଚାରଣର ଏକ ‘ବୌଦ୍ଧିକ ମହାକୁମ୍ଭ’ ଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ ଆଜିର ଏହି ପୁସ୍ତକ ମେଳାର ବିଶେଷତା ରହିଛି । ଆମେ ଯେତେବେଳେ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜୟନ୍ତୀ, ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ, ବନ୍ଦେ ମାତରମ୍ ଗୀତ ରଚନାର ୧୫୦ ବର୍ଷ, ମା’ ରମାଦେବୀଙ୍କ ୧୨୫ ବର୍ଷ, ପାର୍ବତୀ ଗିରିଙ୍କ ୧୦୦ ବର୍ଷ, ବାଜି ରାଉତଙ୍କ ଶତବାର୍ଷିକୀ ଏବଂ ଆର.ଏସ.ଏସ.ର ଶତବାର୍ଷିକୀ ପାଳନ କରୁଛୁ ଓ ନେତାଜୀଙ୍କ ୧୩୦ ତମ ଜନ୍ମଦିନ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ ତମ ଜୟନ୍ତୀ ପାଳନ ହେଉଛି, ସେହି ସମୟରେ ଏହି ପୁସ୍ତକ ମେଳା ଆୟୋଜନ ହେବା ଏକ ଗୌରବର ବିଷୟ ।

ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ଯେ, ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ କାତାର ଓ ସ୍ପେନର ସଂସ୍କୃତି ମନ୍ତ୍ରୀଙ୍କ ଉପସ୍ଥିତିରେ “ଦି ସାଗା ଅଫ୍ କୁଦୋପାଲି: ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ପୁସ୍ତକଟି ସ୍ପାନିସ ସମେତ ୧୦ଟି ଆଞ୍ଚଳିକ ଭାଷାରେ ଉନ୍ମୋଚିତ ହୋଇଛି। ବର୍ତ୍ତମାନ ଏହି ପୁସ୍ତକ ମୋଟ ୧୩ଟି ଭାଷାରେ ଉପଲବ୍ଧ। କୁଦୋପାଲିର ଅଜଣା ନାୟକଙ୍କ ବଳିଦାନ ୧୮୫୭ ସିପାହୀ ବିଦ୍ରୋହର ଏକ ନୂତନ ପରିଚୟ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ ସମ୍ବଲପୁର କେବଳ ଏକ ଭୂଖଣ୍ଡ ନୁହେଁ, ଏହା ହେଉଛି ସଂଗ୍ରାମ, ସଂସ୍କୃତି ଏବଂ ସ୍ୱାଭିମାନର ଏକ ଜ୍ୱଳନ୍ତ ପ୍ରତୀକ । ବୀର ସୁରେନ୍ଦ୍ର ସାଏ, ଛବିଳ ସାଏ ଓ ଉଦନ୍ତ ସାଏଙ୍କ ଭଳି ନାୟକଙ୍କ ଅଦମ୍ୟ ସାହସ ଯୋଗୁଁ ଆଜି ଆମେ ସ୍ୱାଧୀନ। ଉଦନ୍ତ ସାଏ ୩୭ ବର୍ଷ କାଳ କାରାଦଣ୍ଡ ଭୋଗି ଯେଉଁ ତ୍ୟାଗ କରିଛନ୍ତି, ତାହା ଅତୁଳନୀୟ । ଯେଉଁ ସମାଜ ନିଜ ପୂର୍ବଜଙ୍କ ଇତିହାସ ଭୁଲିଯାଏ, ସେ ପଥଭ୍ରଷ୍ଟ ହୁଏ । ତେଣୁ ନୂଆ ପିଢ଼ିର ଛାତ୍ରଛାତ୍ରୀଙ୍କୁ ଖିଣ୍ଡା ପରିଦର୍ଶନ ସହ ରେଢ଼ାଖୋଲର ଭୀମମଣ୍ଡଳୀ ଇତିହାସ ବିଷୟରେ ଜାଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଆଜି ସମୟ ଆସିଛି, ଆମର ଏହି ଗୌରବମୟ ଐତିହ୍ୟ ଏବଂ ଆଧୁନିକତାର ସମନ୍ୱୟରେ ସମ୍ବଲପୁରର ଏକ ନୂତନ ପରିଚୟ ବିଶ୍ୱ ଦରବାରରେ ସ୍ଥାପନ କରିବା ।

ଶ୍ରୀ ପ୍ରଧାନ କହିଛନ୍ତି ମେଳାର ଉଦଘାଟନୀ ସନ୍ଧ୍ୟାରେ ସମ୍ବଲପୁରର ଐତିହ୍ୟ, ପରମ୍ପରା ଓ ଅସ୍ମିତା ସହ ଜଡ଼ିତ ବିଭିନ୍ନ ପୁସ୍ତକ ଉନ୍ମୋଚିତ ହୋଇଛି । ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ କାଳଜୟୀ କୃତି ‘ଆନନ୍ଦ ମଠ’ର ଓଡ଼ିଆ ଅନୁବାଦ ଏବଂ ଶ୍ରୀ ଦୀପକ ପଣ୍ଡାଙ୍କ ଦ୍ୱାରା ସମ୍ବଲପୁରର ଅକୁହା ଇତିହାସକୁ ସଂକଳିତ କରୁଥିବା ପୁସ୍ତକକୁ ଉନ୍ମୋଚନ କରି ମନ୍ତ୍ରୀ ଆନନ୍ଦ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଏହି ପୁସ୍ତକଗୁଡ଼ିକ ଆମ ସଭ୍ୟତାର ଦର୍ପଣ ସଦୃଶ ଏବଂ ଏହା ସମ୍ବଲପୁରର ଗାରିମାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସହାୟକ ହେବ । ଏହାବ୍ୟତୀତ ମନ୍ତ୍ରୀ ସମ୍ବଲପୁରର ବୁଦ୍ଧିଜୀବୀ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ପୁସ୍ତକମେଳା ପରିଦର୍ଶନ ସହ ନିଜକୁ ସମୃଦ୍ଧ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ସେ ଏନବିଟି ଏବଂ ସେତୁ ଭଳି ସଂସ୍ଥାମାନଙ୍କୁ ଆଗାମୀ ଦିନରେ ସମ୍ବଲପୁର ପୁସ୍ତକ ମେଳାକୁ ବିଶ୍ୱସ୍ତରୀୟ ସାହିତ୍ୟ ସମ୍ମିଳନୀରେ ପରିବର୍ତ୍ତନ କରାଇବା ଦିଗରେ ଚର୍ଚ୍ଚା କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ପୁସ୍ତକ ମେଳାର ଆୟୋଜନ ପାଇଁ ଶ୍ରୀ ପ୍ରଧାନ ଏନବିଟି, ସେତୁ, ଓଡ଼ିଶା ସରକାର ଏବଂ ସ୍ଥାନୀୟ ସଂଗଠନଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି । ଏହାବ୍ୟତୀତ ଆସନ୍ତା ୧୫ ଫେବୃଆରୀରେ ଆୟୋଜିତ ହେବାକୁ ଥିବା ‘ହୀରାକୁଦ ମାରାଥନ’ରେ ଅଂଶଗ୍ରହଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ସୂଚନାଯୋଗ୍ୟ,  ଆସନ୍ତା ୧ ଫେବୃଆରୀ ପର୍ଯ୍ୟନ୍ତ, ପ୍ରାୟ ୯ ଦିନ ଧରି ପିଏଚଡି ପଡ଼ିଆରେ ଏହି ପୁସ୍ତକ ମେଳା ଆୟୋଜନ ହେବ । ଆଜିର ଉଦଘାଟନୀ ଦିବସରେ ଶ୍ରୀ ପ୍ରଧାନ ଓ ଅନ୍ୟାନ୍ୟ ଅତିଥିଙ୍କ କରକମଳରେ ଶିଶିର ବେହେରାଙ୍କ ଦ୍ୱାରା ଅନୁଦିତ ‘ଆନନ୍ଦ ମଠ’ର ଓଡ଼ିଆ ଭାଷାନ୍ତର ସହ ଦୀପକ ପଣ୍ଡାଙ୍କ ରଚିତ ‘ଦ ଲ୍ୟାଣ୍ଡ ଅଫ୍ ଭାଲୋର: ହିଷ୍ଟ୍ରି ଅଫ୍ ସମ୍ବଲପୁର’ର ଇଂରାଜୀ ପୁସ୍ତକ, ‘ବୀର ସୁରେନ୍ଦ୍ର ସାଏ’, ‘ମାଆ ସମଲେଶ୍ୱରୀ’ ଏବଂ ‘ସବ୍‌ମର୍ଜଡ୍ ଟେମ୍ପଲ୍ସ ଅଫ୍ ସମ୍ବଲପୁର’ ଉନ୍ମୋଚନ ହୋଇଥିଲା । ଏଥିସହ ଗଣେଶରାମ ନାହାକଙ୍କ ସମ୍ପାଦିତ ‘ସତ୍ୟ ନାରାୟଣ ବୋହିଦାର ଗ୍ରନ୍ଥାବଳି’ ଏବଂ ନିରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ସମ୍ପାଦିତ ‘ଘନଶ୍ୟାମ ରଥଙ୍କ ଗ୍ରନ୍ଥାବଳୀ’ ଉନ୍ମୋଚିତ ହୋଇଛି ।

Leave A Reply