Odisha news

ପ୍ରାକୃତିକ ସମ୍ପଦ, ସମ୍ଭାବନା, ଯୁବଶକ୍ତି ଓ ବୈଷୟିକ ଜ୍ଞାନକୌଶଳ ସମନ୍ୱୟରେ ନୂଆ ଆର୍ଥିକ ଅଧ୍ୟାୟ ତିଆରି କରିବ ଓଡ଼ିଶା – ଧର୍ମେନ୍ଦ୍ର ପ୍ରଧାନ

0

• ଓଡ଼ିଶାକୁ ‘ଜ୍ଞାନ-ଆଧାରିତ ଅର୍ଥନୀତି’ ଓ ‘ମ୍ୟାନୁଫ୍ୟାକ୍ଚରିଂ ହବ୍’ ଭାବେ ଗଢ଼ିବା ପାଇଁ ଉଦ୍ୟୋଗୀ ସମାଜକୁ ଆହ୍ୱାନ
• ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ଓଡ଼ିଶା କେନ୍ଦ୍ରବିନ୍ଦୁରେ ରହିଛି
• ଲୁହାପଥରରୁ ଷ୍ଟିଲ୍ ତିଆରି କରିବାରେ ସୀମିତ ନରହି ଆମେ ‘ସ୍ପେଶାଲିଟି ଷ୍ଟିଲ୍’ ଓ ଉଚ୍ଚମାନର ମ୍ୟାନୁଫ୍ୟାକ୍ଚରିଂ ଦିଗରେ ଆଗେଇବା ଆବଶ୍ୟକ
• କୋରାପୁଟରେ ବକ୍ସାଇଟ୍ ବର୍ଜ୍ୟବସ୍ତୁରୁ ‘ଗ୍ୟାଲିୟମ’ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି, ଯାହା ସେମିକଣ୍ଡକ୍ଟର ଦୁନିଆରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
• କେବଳ ବ୍ୟବସାୟ ନୁହେଁ, ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବା
• ଓଡ଼ିଶାର ପ୍ରାକୃତିକ ସମ୍ପଦ ଏବଂ ଉତ୍କୃଷ୍ଟ ମାନବ ସମ୍ବଳ ଆମକୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବ
• ‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର :  ଓଡ଼ିଶାର ଅପାର ସମ୍ଭାବନା ଯଥା ପ୍ରାକୃତିକ ସମ୍ପଦ, ପ୍ରତିଭାବାନ ଯୁବଶକ୍ତି, ସୁଦୀର୍ଘ ବେଳାଭୂମିର ବନ୍ଦର ଏବଂ ନୂତନ ଯୁଗର ବୈଷୟିକ ଜ୍ଞାନକୌଶଳକୁ ପାଥେୟ କରି ଏକ ସମୃଦ୍ଧ ଅର୍ଥନୈତିକ ଅଧ୍ୟାୟ ସୃଷ୍ଟି କରିବା ଆଜି ସମୟର ଆହ୍ୱାନ । ଓଡ଼ିଶାକୁ କେବଳ କଞ୍ଚାମାଲ ଯୋଗାଣକାରୀ ରାଜ୍ୟ ଭାବେ ନୁହେଁ, ବରଂ ଏକ ‘ଜ୍ଞାନ-ଆଧାରିତ ଅର୍ଥନୀତି’ ଓ ‘ମ୍ୟାନୁଫ୍ୟାକ୍ଚରିଂ ହବ୍’ ଭାବେ ଗଢ଼ି ତୋଳିବା ପାଇଁ ଆଗେଇ ଆସିବାକୁ ଉଦ୍ୟୋଗୀ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର ଠାରେ ଆଜି ଆୟୋଜିତ ‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟର ଅପାର ସମ୍ଭାବନାର ସଠିକ୍ ଉପଯୋଗ ହିଁ ଓଡ଼ିଶାକୁ ଆଗାମୀ ଦିନରେ ଏକ ସମୃଦ୍ଧଶାଳୀ ଅର୍ଥନୈତିକ ଶକ୍ତି ଭାବେ ଉଭା କରିବ । ବିଜ୍ଞାନ ଓ ବୈଷୟିକ କୌଶଳର ପ୍ରୟୋଗ ମାଧ୍ୟମରେ ସ୍ଥାନୀୟ ସମ୍ବଳକୁ ରୋଜଗାରକ୍ଷମ କରିବା ଏବଂ ବିଶ୍ୱସ୍ତରୀୟ ବଜାର ସହ ଯୋଡ଼ିବା ଆଜିର ସମୟର ସବୁଠାରୁ ବଡ଼ ଆବଶ୍ୟକତା ।

ନୂତନ ଯୁଗର ଅର୍ଥନୀତିରେ ଓଡ଼ିଶାର ଅପାର ସମ୍ଭାବନା ରହିଥିବା ଦର୍ଶାଇ ସେ କହିଛନ୍ତି ଯେ, ରାଜ୍ୟ ଏବେ କେବଳ ଲୁହାପଥରରୁ ଷ୍ଟିଲ୍ ତିଆରି କରିବାରେ ସୀମିତ ନରହି ‘ସ୍ପେଶାଲିଟି ଷ୍ଟିଲ୍’ ଓ ଉଚ୍ଚମାନର ମ୍ୟାନୁଫ୍ୟାକ୍ଚରିଂ ଦିଗରେ ଆଗେଇବା ଆବଶ୍ୟକ । ବିଶେଷ କରି କ୍ରିଟିକାଲ ମିନେରାଲ୍ସ, ସେମିକଣ୍ଡକ୍ଟର, ଶକ୍ତି, ଏଗ୍ରିଟେକ୍, ଏଡୁଟେକ୍, ପ୍ରତିରକ୍ଷା ବୈଷୟିକ ଜ୍ଞାନକୌଶଳ ଏବଂ ଫିନଟେକ୍ କ୍ଷେତ୍ରରେ ଓଡ଼ିଶା ନୂଆ ଇତିହାସ ରଚିବାକୁ ଯାଉଛି । କୋରାପୁଟରେ ବକ୍ସାଇଟ୍ ବର୍ଜ୍ୟବସ୍ତୁରୁ ‘ଗ୍ୟାଲିୟମ’ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି, ଯାହା ସେମିକଣ୍ଡକ୍ଟର ଦୁନିଆରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ଓଡ଼ିଶା କେନ୍ଦ୍ରବିନ୍ଦୁରେ ରହିଛି । ରାଜ୍ୟର ବନ୍ଦର, ପ୍ରାକୃତିକ ସମ୍ପଦ ଏବଂ ବୈଷୟିକ ଜ୍ଞାନକୌଶଳର ସଠିକ୍ ସମନ୍ୱୟ ରକ୍ଷା କରି ଓଡ଼ିଶାକୁ ଏକ ‘ଜ୍ଞାନ ଆଧାରିତ ଅର୍ଥନୀତି’ ଏବଂ ବିଶ୍ୱସ୍ତରୀୟ ‘ମ୍ୟାନୁଫ୍ୟାକ୍ଚରିଂ ହବ୍’ ଭାବେ ଗଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି । ଭୁବନେଶ୍ୱର ଓ ସମ୍ବଲପୁର ଭଳି ଶିକ୍ଷାନୁଷ୍ଠାନର ପ୍ରତିଭାମାନଙ୍କୁ ନେଇ ଆମେ ଏକ ବଡ଼ ଇକୋସିଷ୍ଟମ ତିଆରି କରୁଛୁ ।

ଓଡ଼ିଶା କେବଳ କଞ୍ଚାମାଲ ଯୋଗାଣକାରୀ ନହୋଇ ମୂଲ୍ୟଯୁକ୍ତ ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଆମର ଯୁବଶକ୍ତି ହେଉଛି ଆମର ବଡ଼ ପୁଞ୍ଜି । ସେମାନଙ୍କ ପାଖରେ ନୂତନ ଚିନ୍ତାଧାରା, ଶକ୍ତି ଏବଂ ଆଗ୍ରହ ରହିଛି । ସେମାନଙ୍କୁ ନୂତନ ଯୁଗର ଦକ୍ଷତା ସହ ଗଢ଼ି ତୋଳିଲେ, ଆମେ ୨୦୩୬ ସୁଦ୍ଧା “ବିକଶିତ ଓଡ଼ିଶା” ର ସ୍ୱପ୍ନ ସାକାର କରିପାରିବା । ସମସ୍ତ ଉଦ୍ୟୋଗୀମାନଙ୍କୁ ଆଗାମୀ ୧୦ ବର୍ଷର ଲକ୍ଷ୍ୟକୁ ଆଖି ଆଗରେ ରଖି କେବଳ ବ୍ୟବସାୟ ନୁହେଁ, ବରଂ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ଆନୁରୋଧ କରିଛନ୍ତି ।

ଦେଶର ଅର୍ଥନୀତି ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ସମୃଦ୍ଧ ହେଉଛି । ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଆଜି ଭାରତର ଅର୍ଥନୀତି ସମୃଦ୍ଧ ହେଉଛି । ୧୯୪୭ ମସିହା ସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଆମ ଦେଶ ୨ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ,  ଅର୍ଥାତ୍ ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ଆଉ ୨ ଟ୍ରିଲିୟନ ଡଲାର ଯୋଡ଼ିପାରିଛି । ଆଜି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି, ଯାହା ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ପରିଣାମ ।

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଉଦ୍ୟୋଗୀଙ୍କୁ ସମ୍ମାନିତ କରିଛନ୍ତି । ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଟାଇମ୍ସ ଅଫ୍ ଇଣ୍ଡିଆ ଦେଶର ଏକ ଦାୟିତ୍ୱବାନ ମିଡିଆ ହାଉସ୍ ଭାବରେ କେବଳ ଖବର ପ୍ରକାଶ କରେ ନାହିଁ, ବରଂ ସମାଜରେ ଥିବା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ପ୍ରୋତ୍ସାହିତ କରିଥାଏ । ଆଜି ପୁରସ୍କାର ଗ୍ରହଣ କରିଥିବା ବ୍ୟକ୍ତିବିଶେଷମାନେ  କେବଳ ‘ଓ୍ୱେଲଥ୍ କ୍ରିଏଟର’ ନୁହଁନ୍ତି, ବରଂ ଆମ ରାଜ୍ୟ ପାଇଁ ପ୍ରେରଣାର ଉତ୍ସ । ସେମାନଙ୍କ ପ୍ରୟାସରେ ଓଡ଼ିଶାର ସମୃଦ୍ଧ ପ୍ରାକୃତିକ ସମ୍ପଦ ଏବଂ ଉତ୍କୃଷ୍ଟ ମାନବ ସମ୍ବଳ ଆମକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ସେ ମତପ୍ରକାଶ କରିଥିଲେ ।

Leave A Reply