Odisha news

ପାଠପଢ଼ା ସହ ପ୍ରଯୁକ୍ତି ବିଦ୍ୟାରେ ଦକ୍ଷ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

ବଡ଼ ହେବା ପାଇଁ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିବା ଦରକାର। ସ୍ବପ୍ନ ଦେଖିଲେ ସଫଳତାର ରାସ୍ତା ଆପଣାଛାଏଁ ଖୋଲିଯାଏ। କେନ୍ଦୁଝର ତେଲକୋଇ ବ୍ଲକ୍‌ ଶିରିଗିଡ଼ା ପିଏମ୍‌ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାଠପଢ଼ା ସହ ପ୍ରଯୁକ୍ତି ବିଦ୍ୟାରେ ଦକ୍ଷ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କ ପ୍ରଥମ କାମ ହେଉଛି ମନଦେଇ ପାଠ ପଢ଼ିବା। ଜାତୀୟ ଶିକ୍ଷାନୀତି-୨୦୨୦ର ଉଦ୍ଦେଶ୍ୟ କେବଳ ଚାକିରି ପାଇବା ନୁହେଁ, ମୂଲ୍ୟବୋଧଭିତ୍ତିକ ଶିକ୍ଷା ଏବଂ ଜୀବନକୌଶଳ ଶିକ୍ଷା ଆହରଣ କରିବା। ଛାତ୍ରଛାତ୍ରୀ ନିଜ ପ୍ରତିଭା ବଳରେ ଆଗକୁ ଯିବା ଉଚିତ। ଯୋଗାଯୋଗ କୌଶଳ ବଢ଼ାଇବା, ସମସ୍ୟା ସମାଧାନ ପାଇଁ ମନୋବୃତ୍ତି ରଖିବା ସହ କୌଣସି କଥାରେ ତୁରନ୍ତ ନିଷ୍ପତ୍ତି ନେବାର କୌଶଳ ଶିକ୍ଷା ଦରକାର। ସବୁବେଳେ ଅଭିଯୋଗ କରିବା ଉତ୍ତମ ଅଭ୍ୟାସ ନୁହେଁ, ଏସବୁ ଜୀବନକୌଶଳ ଶିକ୍ଷା କଲେ ଜୀବନରେ ବେଶ୍ ସହାୟକ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧିରେ ସହାୟକ ହୋଇଛି। ଅନୁସୂଚିତ ଜନଜାତିର ପିଲାମାନଙ୍କ ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ ହୋଇଛି। ମାତୃଭାଷାକୁ ଗୁରୁତ୍ବ ଦିଆଯାଉଛି। ଯାହା ଡ୍ରପ୍‌ଆଉଟ୍‌ ହାର କମାଇପାରୁଛି। ନୂତନ ଶିକ୍ଷାନୀତି ରେ ରାଜ୍ୟର ୪୫ ହଜାର ବିଦ୍ୟାଳୟରେ ଶିଶୁବାଟିକା ଆରମ୍ଭ କରାଯାଇଛି। ଶିଶୁଙ୍କ ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାମାନଙ୍କୁ ନିଯୁକ୍ତ କରାଯିବ। ରାଜ୍ୟର ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମ କାର୍ଯ୍ୟକାରୀ ହେଉଛି।

ଉପଯୁକ୍ତ ଭିତ୍ତିଭୂମି, ସୁବିଧାସୁଯୋଗ ଏବଂ ପ୍ରୋତ୍ସାହନ ମିଳିଲେ ଛାତ୍ରଛାତ୍ରୀ ନିଜର ଓ ସମାଜର ମଙ୍ଗଳ କରିପାରିବେ ବୋଲି ସେ କହିଥିଲେ।ସରକାର ଶିକ୍ଷାକୁ ଗୁରୁତ୍ବ ଦେଉଥିବା ବେଳେ ଚଳିତ ବଜେଟ୍‌ରେ ୪୧ ହଜାର ୨୭୩ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ବଜେଟ୍‌ର ୧୪.୨% ଅର୍ଥାତ୍ ରାଜ୍ୟ ଜିଡିପିର ୩.୯ ପ୍ରତିଶତ ଅର୍ଥ କେବଳ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି। ପ୍ରାଥମିକ ଶିକ୍ଷା ପାଇଁ ସିଂହଭାଗ ଅର୍ଥ ଖର୍ଚ୍ଚ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ସ୍ମରଣିକା ଉନ୍ମୋଚନ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ସମାଜସେବୀ ଶୁକଦେବ ମହାନ୍ତ, ବିଦ୍ୟାଳୟର ସଭାପତି ରାମଚନ୍ଦ୍ର ମହାନ୍ତ, ସଂପାଦକ କୈଳାସ ଚନ୍ଦ୍ର ‌ସେଠୀ, ପ୍ରଧାନଶିକ୍ଷକ ବିଶ୍ବନାଥ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply