ଓଡିଶା ବିଧାନ ସଭାରେ ଉଦ୍ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ଓଡ଼ିଶା ଏକ ସାଂସ୍କୃତିକ ରାଜ୍ୟ : ରାଷ୍ଟ୍ରପତି
ମୋହନ ମାଝୀଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶଂସା
ଭୁବନେଶ୍ବର: ସପ୍ତଦଶ ବିଧାନସଭାର ୫ମ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ବିଶ୍ବର ଅନେକ ଗୃହରେ ସମ୍ବୋଧନ କରିବାର ସୁଯୋଗ ପାଇଛି। କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବାର ସ୍ମୁତି ଟିକିଏ ନିଆରା। ଏଠାରୁ ମୁଁ କଥା କହିବା ଶିଖିଛି। ରାଜନେତା ହିସାବରେ ଲୋକଙ୍କୁ କେମିତି ବ୍ୟବାର କରିବା ଓ ପ୍ରସଙ୍ଗ ଉପସ୍ଥାପନ କରିବା, ତାହା ଓଡ଼ିଶା ବିଧାନସଭା ମୋତେ ଶିଖାଇଛି। ଓଡ଼ିଶା ବିଧାନସଭା ମୋର ଫାଉଣ୍ଡେସନକୁ ସୁଦୃଢ଼ କରିଛି। ଜଗନ୍ନାଥଙ୍କର ଆଶୀର୍ବାଦ ନଥିଲେ, ମୁଁ ଯେଉଁଠି ଅଛି, ବୋଧେ ନଥାନ୍ତି। ଓଡ଼ିଶା ବିଧାନସଭାରେ ଆଜି ବିଧାୟକ, ଅଧିକାରୀ ଏବଂ ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।
ସପ୍ତଦଶ ବିଧାନସଭାର ୫ମ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଗୁରୁବାର କହିଛନ୍ତି, ଅତୀତରେ ମୁଁ ଏହି ଗୃହରେ ବସିବାର ସୁଯୋଗ ପାଇଥିଲି। ଅନେକ ବର୍ଷ ପରେ ପୁଣି ଥରେ କହିବାର ସୁଯୋଗ ପାଇଛି। ଏଠାରେ ବିଧାୟକ ଭାବେ ପ୍ରଶ୍ନ ପଚାରିଛି। ମନ୍ତ୍ରୀ ଥିବା ବେଳେ ବିଧାୟକମାନଙ୍କର ପ୍ରଶ୍ନ ଉତ୍ତର ଦେଇଛି। ଅନେକ ଲୋକଙ୍କର ସହିତ କାମ କରିବାର ସୁଯୋଗ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଏଠାରେ ୨୦୦୦ ମସିହାରେ ଏକାଠି ବସିବାର ସୁଯୋଗ ପାଇଥିଲି। ଜୁଏଲ ଓରାମ ଏବଂ ପୂର୍ବତନ ବିଧାୟକଙ୍କ ସହିତ ଏକାଠି ହେବାର ସୁଯୋଗ ପାଇଛି।
ଓଡ଼ିଶା ଏକ ସାଂସ୍କୃତିକ ରାଜ୍ୟ: ରାଷ୍ଟ୍ରପତି
ଓଡ଼ିଶା ଏକ ପ୍ରାଚୀନ ଏବଂ ସାଂସ୍କୃତିକ ରାଜ୍ୟ। ଭାରତୀୟ ସଭ୍ୟତାରେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ। ଭୁବନେଶ୍ବରର ଉପକଣ୍ଠରେ ଦୟାନଦୀ ଆଜି ମଧ୍ୟ ପ୍ରବାହିତ ହେଉଛି। ୧୮୫୭ ମସିହାରେ ଇଂରୋଜମାନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା, ଯାହା ପାଇକ ବିଦ୍ରୋହ ନାମରେ ଜଣାଶୁଣା। ଜୟୀରାଜଗୁରୁ ତାର ନାୟକ ଥିଲେ। ବ୍ରିଟିଶ ଶାସନ କାଳରେ ଓଡ଼ିଶାର ଅନେକ ମହାନାୟକ ଲଢ଼େଇ କରିଥିଲେ। ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ବାଜିରାଉତ, ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମନେ ପକାଇଥିଲେ। ଭାରତର ଗଠନରେ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ।
ମହିଳା ନେତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ମହାମହିମ କହିଛନ୍ତି, ସ୍ବାଧୀନତା ସଂଗ୍ରାମରେ ରମାଦେବୀ, ସାରଳାଦେବୀ, ମାଳତୀ ଦେବୀଙ୍କୁ ଭୁଲି ହେବ ନାହିଁ। ଓଡ଼ିଶା ବିଧାନସଭାରେ ମହିଳା ନେତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନର ବାଚସ୍ପତି ମହିଳା, ପୂର୍ବରୁ ମଧ୍ୟ ଓଡ଼ିଶାର ବାଚସ୍ପତି ମହିଳା ଥିଲେ। ସ୍ବାଧୀନତା ପୂର୍ବରୁ ଏ ଲକ୍ଷ୍ମୀବାଇ ମଧ୍ୟ ଉପବାଚସ୍ପତି ହୋଇଥିଲେ। ନନ୍ଦିନୀ ଶତପଥୀ ଭାରତର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ଜଣାଶୁଣା। ଓଡ଼ିଶାର ମହିଳାମାନେ ସାହିତ୍ୟକୁ ମଧ୍ୟ ସମୃଦ୍ଧ କରିଛି।
ମୋହନ ମାଝୀଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶଂସା
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ କମ ଦିନ ମଧ୍ୟରେ ରାଜ୍ୟ ପାଇଁ ବହୁ ଗୁରତ୍ବପୂର୍ଣ୍ଣ କାମ କରିଛନ୍ତି। ରାଜ୍ୟର ମହିଳାମାନେ ସୁଭଦ୍ରା ଟଙ୍କାକୁ ବିନିଯୋଗ କରିଛନ୍ତି, ଲକ୍ଷପତି ଦିଦି ହୋଇପାରିଛନ୍ତି। ଓଡ଼ିଶା ହେଉଛି ଚାଷ ଓ ଚାଷୀର ରାଜ୍ୟ। ସରକାର ଏଠାରେ ଚାଷୀମାନଙ୍କୁ ସବ୍ସିଡି ଯୋଗାଇଛନ୍ତି। କୃଷି, ଶିଳ୍ପ ଓ ବାଣିଜ୍ୟ ପାଇଁ ଓଡ଼ିଶା ଅନୁକୂଳ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଓଡ଼ିଶାର ଶିଳ୍ପର ବିକାଶ ପାଇଁ କାମ ଜାରି ରହିଛି। ଓଡ଼ିଶା ହେଉଛି ଜଗନ୍ନାଥଙ୍କର ମାଟି। ସେଥିପାଇଁ ଓଡ଼ିଶାର ମାଟି, ଖଣି ଓ ଜଙ୍ଗଲ ଭରପୁର ରହିଛି। ଓଡ଼ିଶାରେ ସୁଦୀର୍ଘ ବେଳାଭୂମି ରହିଛି। ୨୦୪୭ରେ ଭାରତ ବିକଶିତ ହୋଇସାରିଥିବ। ୨୦୩୬ରେ ଓଡ଼ିଶା ସମୃଦ୍ଧ ହୋଇପାରିଲେ, ତାହା ବିକଶିତ ଭାରତରେ ବଡ଼ ଯୋଗଦାନ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି।
ଏହି ଗୃହ ଆପଣଙ୍କୁ ସବୁଦିନ ମନେରଖିବ
ରାଜ୍ୟପାଳ ଡ. ହରିବାକୁ କମ୍ଭମପାଟି କହିଛନ୍ତି, ଏହି ଗୃହ ଆପଣଙ୍କୁ ସବୁଦିନ ପାଇଁ ମନେ ରଖିବ। ଏଠାରେ ଆପଣଙ୍କର ଉପସ୍ଥିତି ସ୍ମରଣୀୟ ରହିବ। ଆପଣଙ୍କୁ ଏଠାରେ ଦିନେ ସର୍ବଶ୍ରେଷ୍ଠ ବିଧାୟକ ସମ୍ମାନ ମିଳିଥିଲା। ଆପଣଙ୍କର ଜୀବନ କାହାଣୀ ସଂଘର୍ଷପୂର୍ଣ୍ଣ ଥିଲା। ଆପଣଙ୍କର ପାଖରେ ନେତୃତ୍ବ ନେବାର ଦକ୍ଷତା ରହିଛି। ଆଦିବାସୀମାନଙ୍କର ବିକାଶ ପାଇଁ ଆପଣ କାମ କରିଛନ୍ତି, ଯାହା ସବୁଦିନ ପାଇଁ ମନେ ରହିବ।
‘ଏହି ମାଟିର ଗର୍ବ ବୃଦ୍ଧି କରିଛନ୍ତି’
ରାଷ୍ଟ୍ରପତିଙ୍କ ଏହି ସ୍ବତନ୍ତ୍ର ଉଦ୍ବୋଧନ ପୂର୍ବରୁ ବାଚସ୍ପତି ସ୍ବାଗତ ଭାଷଣ ଦେଇଥିଲା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ, ଆମେ ସମସ୍ତେ ଗର୍ବିତ ଯେ, ଏମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି। ଆହୁରି ଗର୍ବର କଥା ଯେ, ତାଙ୍କର ରାଜନୈତିକ ଯାତ୍ରା ଏହି ଓଡ଼ିଶା ବିଧାନସଭାରୁ ଆରମ୍ଭ ହୋଇଥିଲା ଏବଂ ଆଜି ସେ ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି। ଏହି ମାଟିର ଗର୍ବ ବୃଦ୍ଧି କରିଛନ୍ତି। ବିଭିନ୍ନତା ଭିତରେ ଏକତା ହେଉଛି ଏହି ଦେଶର ମହାନତା।