ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ଫିଟ୍ ଇଣ୍ଡିଆ ସାଇକେଲିଂ ଅଭିଯାନ : “ସାଇକେଲ୍ ଉପରେ ରବିବାର” ଏକ ସ୍ୱତନ୍ତ୍ର ପ୍ରୟାସ
ଭୁବନେଶ୍ୱର/ଖୋର୍ଦ୍ଧା ରୋଡ୍, 8 ସେପ୍ଟେମ୍ବର 2025 : ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଆନ୍ଦୋଳନ ସହିତ ସମନ୍ୱୟ ରଖି ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ “ସାଇକେଲ୍ ଉପରେ ରବିବାର” ବା ସଣ୍ଡେ ଅନ ସାଇକେଲ୍ ବ୍ୟାନରରେ ଏକ ସ୍ୱତନ୍ତ୍ର ସାଇକ୍ଲୋଥନ୍-2025 ସଚେତନତା ଅଭିଯାନ ଆୟୋଜନ କରିଛି । ଏହି ପ୍ରୟାସର ଲକ୍ଷ୍ୟ ହେଉଛି ରେଳ କର୍ମଚାରୀ ଏବଂ ସମାଜ ମଧ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ଏବଂ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ବ୍ୟାପକ ଭାବେ ପ୍ରୟାସ କରିବା ।
ଫିଟ ଇଣ୍ଡିଆ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ କ୍ରୀଡା ସଂଗଠନ (ଇକୋର୍ଷା) ଦ୍ୱାରା ଷ୍ଟାଡିୟମ ଠାରୁ ଆଇଆଇଟି ପର୍ଯ୍ୟନ୍ତ ଯାଇ ପୁଣି ସେଠାରୁ ଫେରି 10 କିମି ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ କରାଇଅଛନ୍ତି ।
ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଅଂଶଗ୍ରହଂକାରୀ ମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜିତ ସାଇକେଲ ଉପରେ ରବିବାର କାର୍ଯ୍ୟକ୍ରମକୁ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଥିଲେ l
“ଫିଟନେସ୍ କି ଡୋଜ୍, ଧା ଘଣ୍ଟା ରୋଜ୍” ଅଭିଯାନ ସ୍ଲୋଗାନ୍ ଅଧୀନରେ ଆୟୋଜିତ ଫିଟ୍ ଇଣ୍ଡିଆ ଆନ୍ଦୋଳନ କାର୍ଯ୍ୟକ୍ରମ ନିୟମିତ ଶାରୀରିକ କାର୍ଯ୍ୟକଳାପକୁ ଆମ ଦିନଚର୍ଯ୍ୟାରେ ସାମିଲ କରିବାର ଗୁରୁତ୍ୱକୁ ଉଜ୍ଜ୍ୱଳ କରିବା ସହ ଏହାକୁ କ୍ରମାଗତ ଭାବେ ଅଭ୍ୟାସ କରିବା ପାଇଁ ପ୍ରୋତ୍ସାହିତ କରିଥାଏ ।
ସାଇକେଲିଂ ଏକ ସରଳ କିନ୍ତୁ ଶକ୍ତିଶାଳୀ ବ୍ୟାୟାମ ଅଟେ ଯାହା ହୃଦ୍ରୋଗ ସୁସ୍ଥତା ବୃଦ୍ଧି, ଉନ୍ନତ ଆସନ ଏବଂ ସମନ୍ୱୟ, ମାଂସପେଶୀ ଶକ୍ତି ଏବଂ ନମନୀୟତା ବୃଦ୍ଧି, ହାଡ଼ ଏବଂ ସନ୍ଧି ଗତିଶୀଳତାକୁ ସୁଦୃଢ଼ କରିବା, ଶରୀରର ଚର୍ବି ଏବଂ ଚାପ ସ୍ତର ହ୍ରାସ ଏବଂ ଜୀବନଶୈଳୀ ରୋଗର ପ୍ରତିରୋଧ ଏବଂ ପରିଚାଳନା ଭଳି ବହୁବିଧ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରିଥାଏ ।
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ସମସ୍ତ ଶାଖା ଅଧିକାରୀ, କର୍ମଚାରୀ ଏବଂ କ୍ରୀଡାବିତ ଓ କ୍ରୀଡା କର୍ମଚାରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରି ଏହି ସଚେତନତା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶାରୀରିକ ସୁସ୍ଥତା ପାଇଁ ଦୈନନ୍ଦିନ ସାଇକେଲ ବ୍ୟବହାରକୁ ଜନସାଧାରଣ ଓ ରେଳ କର୍ମଚାରୀଙ୍କ ପରିବାର ବର୍ଗଙ୍କୁ ପ୍ରୋତ୍ସାହିତ କରାଯାଇଥିଲା ।
“ସଣ୍ଡେଜ୍ ଅନ୍ ସାଇକେଲ” କାର୍ଯ୍ୟକ୍ରମ କେବଳ ଏକ ସୁସ୍ଥ ଏବଂ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଭାରତୀୟ ରେଳବାଇର ସ୍ଥାୟୀତ୍ୱ ଏବଂ ସାମୁଦାୟିକ କଲ୍ୟାଣର ବ୍ୟାପକ ଲକ୍ଷ୍ୟ ସହିତ ସମନ୍ୱୟ ରଖି ପରିବେଶଗତ ଚେତନାର ଏକ ଦୃଢ଼ ବାର୍ତ୍ତା ମଧ୍ୟ ଦେଇଥାଏ ।
ଖୋର୍ଦ୍ଧା ରୋଡ଼ ଇକୋର୍ଷା ଦ୍ୱାରା ଆୟୋଜିତ ଏହି ଆନ୍ଦୋଳନରେ ରେଳମଣ୍ଡଳର ସମସ୍ତ ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ ଓ ରେଳକର୍ମଚାରୀ ଏବଂ ସେମାନଙ୍କର ପରିବାର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ । ଇକୋର୍ଷା ର ସାଧାରଣ ସମ୍ପାଦକ ତଥା କ୍ରୀଡା ଅଧିକାରୀ ଏବଂ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।