ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ , କଂଗ୍ରେସ ଆରଜେଡ଼ି ସହ ମିଶି ଲୋକମାନଙ୍କୁ ଭ୍ରମିତ କରୁଛି – ଧର୍ମେନ୍ଦ୍ର ପ୍ରଧାନ
• ‘ଯୁବ ସମ୍ମିଳନୀ: ୟୁଥ୍ ଅଫ୍ ବିହାର @ ୨୦୪୭’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
• ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ଆଲୋଚନା କଲେ
• ଜଙ୍ଗଲରାଜ ସମୟରେ ବଞ୍ଚିତ ଏବଂ ପୀଡିତଙ୍କ ଅଧିକାର ଚୋରି କରିଥିବା ଲୋକମାନେ ଆଜି ‘ଭୋଟ ଚୋରି’ର ମିଛ ପ୍ରଚାର କରୁଛନ୍ତି
• ବିହାରର ଜନତା ବିଧାନସଭା ନିର୍ବାଚନରେ ସମ୍ବିଧାନ ବିରୋଧୀମାନଙ୍କୁ ଉଚିତ୍ ଶିକ୍ଷା ଦେବେ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସଫଳ ନେତୃତ୍ୱରେ ବିହାର ଭାରତରେ ବିକାଶର ନୂତନ ଦିଗ ସ୍ଥାପନ କରୁଛି
• ଆଇଆଇଟି ପାଟନାର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗଦେଲେ
ବିହାର, ଅଗଷ୍ଟ ୨୬ – ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା କଂଗ୍ରେସର ଲୋକମାନେ ଆଜି ବିହାରରେ ଆରଜେଡ଼ି ସହିତ ମିଶି ‘ଭୋଟ ଚୋରି’ର ମିଛ ପ୍ରଚାର କରି ବିହାର ଏବଂ ଦେଶର ଲୋକମାନଙ୍କୁ ଭ୍ରମିତ କରୁଛି । ଜଙ୍ଗଲରାଜ ସମୟରେ ବଞ୍ଚିତ ଏବଂ ପୀଡିତଙ୍କ ଅଧିକାର ଚୋରି କରିଥିବା ଲୋକମାନେ ଆଜି ‘ଭୋଟ ଚୋରି’ର ମିଛ ପ୍ରଚାର କରୁଛନ୍ତି ବୋଲି ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିହାର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପାଟନାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଦ୍ୱାରା ଆୟୋଜିତ ‘ଯୁବ ସମ୍ମିଳନୀ: ୟୁଥ୍ ଅଫ୍ ବିହାର @ ୨୦୪୭’ରେ ଯୋଗଦେବା ସହ ଆଇଆଇଟି ପାଟନାର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଯୋଗଦେଇଥିଲେ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସମ୍ମୁଖରେ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ରଖିଛନ୍ତି ଏବଂ ଏହି ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ବିହାର ରାଜ୍ୟର ଯୁବପିଢ଼ି ଏହାର ନେତୃତ୍ୱ ନେବେ ।
ଭାରତର ପ୍ରାଚୀନ ସଭ୍ୟତାରେ, ବିହାର ଦେଶକୁ ନେତୃତ୍ୱ ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସଫଳ ନେତୃତ୍ୱରେ ବିହାର ଭାରତରେ ବିକାଶର ନୂତନ ଦିଗ ସ୍ଥାପନ କରୁଛି । ପ୍ରଧାନମନ୍ତ୍ରୀଙ୍କ ଗତିଶୀଳ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମାର୍ଗଦର୍ଶନରେ ବିହାର ପୁଣି ଥରେ ଜ୍ଞାନ ଏବଂ ଶିକ୍ଷାର କେନ୍ଦ୍ର ହେବାକୁ ଯାଉଛି। ‘ଲୋକନାୟକ’ ଜୟପ୍ରକାଶ ନାରାୟଣଙ୍କ ଗଣତାନ୍ତ୍ରିକ ବିଚାର ଦ୍ୱାରା ଅନୁପ୍ରାଣିତ ହୋଇ ବିହାରର ଯୁବପିଢ଼ି ଏବଂ ସମଗ୍ର ଜନସାଧାରଣ ଆଗାମୀ ବିଧାନସଭା ନିର୍ବାଚନରେ ଏହି ସମ୍ବିଧାନ ବିରୋଧୀମାନଙ୍କୁ ଶିକ୍ଷା ଦେବେ ଏବଂ “ବିକଶିତ ଭାରତ – ବିକଶିତ ବିହାର” ପାଇଁ ପଥ ପ୍ରଶସ୍ତ କରିବେ ବୋଲି ସେ ମତପ୍ରକାଶ କରିଛନ୍ତି ।
ଅପରପକ୍ଷରେ ଆଇଆଇଟି ପାଟନାର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ମେଡାଲ ଓ ଡିଗ୍ରୀ ପାଇଥିବା ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଆଇଆଇଟି ଛାତ୍ରଛାତ୍ରୀଙ୍କ ଠାରୁ ଦେଶ ବହୁତ ଅପେକ୍ଷା ରଖିଛି । ଆମର ଛାତ୍ରଛାତ୍ରୀମାନେ କେବଳ ବ୍ୟକ୍ତିଗତ ସଫଳତା ନୁହେଁ ବରଂ ଦେଶର ଅପେକ୍ଷାକୁ ପୂରଣ କରିବା ସହ ଜାତୀୟ ପ୍ରାଥମିକତାକୁ ଆଗେଇ ନେବାରେ ସହଯୋଗୀ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “୨୦୪୭ ସୁଦ୍ଧା ବିକଶିତ ଭାରତ”ର ସଂକଳ୍ପକୁ ସାକାର କରିବା ପାଇଁ ଭୋକାଲ୍ ଫର୍ ଲୋକାଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ବିହାରର ସ୍ଥାନୀୟ ଉତ୍ପାଦଗୁଡ଼ିକୁ ବିଶ୍ୱ ବଜାରରେ ପହଞ୍ଚାଇବାରେ ଆଇଆଇଟି ପାଟନାକୁ ବଡ ଯୋଗଦାନ ଦେବା ଦିଗରେ କାମ କରିବା ପାଇଁ ଆହ୍ୱାନ କରିଛନ୍ତି।
ସେ ଆହୁରି କହିଛନ୍ତି, ଯଦି ବିହାରର ବିକାଶ ହୁଏ, ତେବେ ଭାରତ ମଧ୍ୟ ବିକାଶ କରିବ । ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେ ମାତୃଭାଷାରେ ଶିକ୍ଷା ଉପରେ ଗୁରୁତ୍ୱ ଦେବା । ଆଜି ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି, ଭାରତ ସେଗୁଡ଼ିକର ସମାଧାନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ଏବଂ ଏଥିପାଇଁ ଆମକୁ ଚାକିରି ଅନ୍ୱେଷଣରେ ନ ରହି ଚାକିରି ସୃଷ୍ଟିକାରୀ ହେବା ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ପଡିବ ବୋଲି ସେ କହିଛନ୍ତି ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପାଟନାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ସହ ବିହାରର ସର୍ବାଙ୍ଗୀନ ବିକାଶ, ଏହାର ପ୍ରାଚୀନ ଗୌରବ ଏବଂ ବୈଭବର ପୁନରୁଦ୍ଧାର ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ବିହାରର ଶିଳ୍ପ ମନ୍ତ୍ରୀ ନୀତିଶ ମିଶ୍ରଙ୍କୁ ମଧ୍ୟ ଭେଟିଥିଲେ । ଆଇଆଇଟି ସମାବର୍ତ୍ତନ ସମାରୋହ ଓ ଯୁବ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ନିତ୍ୟାନନ୍ଦ ରାୟ ଓ ବିହାର ବିଜେପିର ରାଜ୍ୟ ସଭାପତି ଦିଲ୍ଲୀପ ଜୟଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।