ଓଡ଼ିଶା ଗସ୍ତରେ କର୍ଣ୍ଣାଟକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ : ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନର ଭୂୟସୀ ପ୍ରଶଂସା
ଭୁବନେଶ୍ୱର(Suvendra Pattanaik) : କର୍ଣ୍ଣାଟକ ସରକାରଙ୍କର ଏକ ୨୨ ଜଣିଆ ପ୍ରତିନିଧି ଦଳ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଶ୍ୱ ଦକ୍ଷତା କେନ୍ଦ୍ର ଓ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରଦାନ କରାଯାଉଥିବା ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ।
ଓଡ଼ିଶା ସରକାରଙ୍କର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହ ଆଜି ଖାରବେଳ ଭବନଠାରେ କର୍ଣ୍ଣାଟକ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶାରେ ଦକ୍ଷତା ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଛନ୍ତି । କର୍ଣ୍ଣାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଏମ୍. ସି ସୁଧାକର ଏବଂ ଡାକ୍ତରୀ ଶିକ୍ଷା, ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ଓ ଜୀବିକା ନିର୍ବାହ ମନ୍ତ୍ରୀ ଡାକ୍ତର ଶରଣ ପ୍ରକାଶ ଆର୍. ପାଟିଲଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧିମଣ୍ଡଳୀ ଓଡ଼ିଶାରେ ଦକ୍ଷତା ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ସୁଫଳ ସଂପର୍କରେ ଆଲୋକପାତ କରିବା ସହ କର୍ଣ୍ଣାଟକରେ କିଭଳି ଏହିଭଳି ଅଭିନବ ତାଲିମ କାର୍ଯ୍ୟକ୍ରମ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କର୍ଣ୍ଣାଟକ ସରକାରଙ୍କର ଏହି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀଙ୍କ ଓଡ଼ିଶା ଗସ୍ତ ନିଷ୍ପତ୍ତି ଏକ ଦୃଢ଼ ଓ ଦକ୍ଷତାସଂପନ୍ନ ଇକୋସିଷ୍ଟମ ଗଠନରେ ରାଜ୍ୟର ନିରନ୍ତର ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ ସରକାର ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଏହି ଲକ୍ଷ୍ୟକେନ୍ଦ୍ରିତ ପଦକ୍ଷେପ ନିଶ୍ଚିତ ଭାବେ ଆଗାମୀ ଦିନରେ ତ୍ୱରାନ୍ୱିତ ହେବ । ଆମର ଦୃଷ୍ଟିକୋଣ ହେଉଛି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ଦକ୍ଷ କର୍ମଶକ୍ତି ସୃଷ୍ଟି କରିବା । ଏହି ଯାତ୍ରାରେ ଆମେ ନବସୃଜନ, ଶିଳ୍ପ ସହଯୋଗ ଓ ଆମର ଯୁବପିଢ଼ିଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ କରୁଛୁ ।
କର୍ଣ୍ଣାଟକ ପ୍ରତିନିଧିମଣ୍ଡଳରେ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କ ସହ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏକ ଦୃଢ଼ ଓ ସ୍ଥାୟୀ ଦକ୍ଷ ଇକୋ-ସିଷ୍ଟମ୍ ସୃଷ୍ଟି କରିବାରେ ଓଡ଼ିଶାର ଭବିଷ୍ୟତ ଦୃଷ୍ଟିକୋଣ ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ । ଯୁବପିଢ଼ିଙ୍କୁ ଭବିଷ୍ୟତର ଆହ୍ୱାନ ପାଇଁ ପ୍ରସ୍ତୁତ କରିବା ସହିତ ଶିଳ୍ପ ସଂସ୍ଥାଗୁଡ଼ିକରେ ଉନ୍ନତ ମାନବସମ୍ବଳ ନିଯୁକ୍ତିରେ ସହାୟକ ହୋଇପାରିବ । ପ୍ରତିନିଧିମାନେ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ଉଚ୍ଚ ମାନର ତାଲିମ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ।
ଏହି ଆଲୋଚନାରେ ଦକ୍ଷତା ବିକାଶ ଓ ବୈଷୟିକ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶକ ସୁଶ୍ରୀ ରଶ୍ମିତା ପଣ୍ଡା ଓ ଓଡ଼ିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ମଧ୍ୟ ଉପସ୍ଥିତ ଥିଲେ ।