Odisha news

ସୂର୍ଯ୍ୟମନ୍ଦିରରେ ଆଣ୍ଠୁଏ ପାଣି କଲବଲ ପର୍ଯ୍ୟଟକ 

0
କୋଣାର୍କ,୨୬।୯ କୋଣାର୍କରେ ଲଗାଣ ବର୍ଷା ଯୋଗୁଁ ସୂର୍ଯ୍ୟମନ୍ଦିର ପରିସର ଜଳାର୍ଣବ ହୋଇପଡିଥିଲା। ଦୀର୍ଘ ସମୟ ଧରି ମନ୍ଦିର ଉତ୍ତର କୋଣରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାଣିରେ କାରୁକାର୍ଯ୍ୟ ବୁଡି ରହିବାରୁ ସୂକ୍ଷ୍ମ କାରୁକାର୍ଯ୍ୟ ଏହା ସବୁ ନଷ୍ଟ ହେବାକୁ ବସିଲାଣି। ସୂର୍ଯ୍ୟମନ୍ଦିର ଭିତରେ ଆଶ୍ରୟସ୍ଥଳୀ ନଥିବାରୁ ପର୍ଯ୍ୟଟକମାନେ ନାଟ୍ୟମନ୍ଦିର ନିକଟରେ ଥିବା ବରଗଛ ତଳେ ଆଶ୍ରୟ ନେଇଥିଲେ। ଘଣ୍ଟା ଘଣ୍ଟା ଧରି ବରଗଛ ତଳେ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳୁଛି। କେତେକ ପର୍ଯ୍ୟଟକମାନେ ମନ୍ଦିର ବୁଲି ନପାରି ନିରାଶ ମନରେ ଫେରିଯାଇଥିଲେ। ମନ୍ଦିର ଭିତରୁ ଜଳ ନିଷ୍କାସନ ପାଇଁ ୪ଟି ସେନସର ପମ୍ପ ରହିଛି। ହେଲେ ଏସବୁ ଠିକ ସମୟରେ ଉପଯୋଗ ହେଉ ନଥିବାରୁ ଜଳ ନିଷ୍କାସନ ନହୋଇ ଜମି ରହୁଛି । ଏଏସଆଇ ଏହାର ସ୍ଥାୟୀ ପ୍ରତିକାର କରୁନଥିବାରୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଦେଶ ବିଦେଶରେ ପର୍ଯ୍ୟଟକମାନେ। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବି ହୋଇଛି। ସେହିପରି ବର୍ଷାରେ କୋଣାର୍କ ବଜାର ଶୂନଶାନ ହୋଇପଡିଥିଲା। ରାସ୍ତା ଉପରେ ପାଣିର ସୁଅ ଛୁଟିଥିଲା। କୋଣାର୍କ ବସଷ୍ଟାଣ୍ଡ,ମେଡିକାଲ ଛକ,ଥାନାଛକ,ମାଧିପୁର ଛକ ରାସ୍ତାରେ ବର୍ଷା ପାଣି ଜମି ରହିବାରୁ ଯାତୟାତରେ ସମସ୍ୟା ଦେଖାଦେଇଛି।
Leave A Reply