Odisha news

ଭିତରକନିକାରେ  ବାର୍ଡଫ୍ଲୁ ଆଶଙ୍କା : ମଠଆଡିଆରୁ  ଦେଶୀୟ ପକ୍ଷୀଙ୍କ ମଳ ସଂଗ୍ରହ

0
ରାଜନଗର  :  ବାର୍ଡଫ୍ଲୁ ଆତଙ୍କ ଏବେ ଗାଁ ଠୁଁ ସହର ସବୁଠି ବ୍ୟାପିବାରେ ଲାଗିଛି ।  ଗତକାଲି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ନରସିଂହପୁର ଗାଁରେ ରାସ୍ତାକଡ ଓ ନାଳରୁ  ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଶହ ଶହ ମଲା କୁକୁଡା ଠାବ ହେବା ପରେ ସମଗ୍ର ଜିଲ୍ଲାରେ ବାର୍ଡଫ୍ଲୁକୁ ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।  ଏବେ ଜାତୀୟ ଉଦ୍ୟାନ ଭିତରକନିକାର ମଠଆଡିଆ, ଦୁର୍ଗାପ୍ରସାଦଡିଆ, ଲକ୍ଷ୍ମୀପ୍ରସାଦଡିଆରେ ଲକ୍ଷାଧିକ ଦେଶୀୟ ପକ୍ଷୀଙ୍କ ସମାଗମ ହୋଇଛି । ଏହି ୩ଟି ସ୍ଥାନ ଛଡା ଭିତରକନିକା ଚତୁଃପାଶ୍ୱର୍ରେ ଥିବା ଗାଁ ମାନଙ୍କରେ ଶହ ଶହ ସଂଖ୍ୟାରେ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ସବୁଠି ଦେଶୀୟ ପକ୍ଷୀ ଭିଡ ଜମାଇଥିବା ବେଳେ ବାର୍ଡଫ୍ଲୁ ଆଶଙ୍କା ଲୋକଙ୍କୁ ଭୟଭୀତ କରିଛି ।  ପୁରୀ ଓ ଭୂବନେଶ୍ୱର ଉପକଣ୍ଠରେ ବାର୍ଡଫ୍ଲୁ ଚିହ୍ନଟ ହୋଇଥିଲେ ମଧ୍ୟ ଆଜିଯାଏଁ ଦେଶୀୟ ପକ୍ଷୀଙ୍କ ଆବାସସ୍ଥଳୀ ଭିତରକନିକା ଅଂଚଳରେ ବାର୍ଡଫ୍ଲୁ ହୋଇଛି କି ନାଁ ସେ ନେଇ କୌଣସି ପରୀକ୍ଷା କରାଯାଇନଥିଲା । ରାଜନଗର ପଶୁ ଚିକିତ୍ସା ବିଭାଗର ଡାଃ. ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଭେଟନାରୀ ସର୍ଜନ ସନ୍ତୋଷ ଜେନା, ଲାଇଭଷ୍ଟକ ଇନିସପେକ୍ଟର ପିନାକ ଚରଣ ରାଉତ ଟିମ ଭିତରକନିକାରେ ପହଁଚିଥିଲେ । ଭିତରକନିକାର ମଠଆଡିଆରେ ହଜାର ହଜାର ସଂଖ୍ୟାରେ ଦେଶୀୟ ପକ୍ଷୀ ଭିଡ ଜମାଇଥିବାରୁ ସେଠାରୁ ପାଣି, ପତ୍ର, ପର  ଓ ମଳ ସାମ୍ପୁଲ ସଂଗ୍ରହ କରାଯାଇଛି । ଏଥିସହିତ ଭିତରକନିକା ଜାତୀୟ ଉଦ୍ୟାନ ଚତୁଃପାଶ୍ୱର୍ରେ ଥିବା ବାଙ୍କୁଆଳ, ତ୍ରିଲୋଚନପୁର, ଗୁମୁରା, ଶାରଦାପ୍ରସାଦ, ବନିପାଳ, ଅଜଗରପାଟିଆ ଆଦି ୨୦ଟି ଗାଁରୁ କୁକୁଡା, ବତକର ମଳ ସାମ୍ପୁଲ ସଂଗ୍ରହ ହୋଇଛି । ଏହାକୁ ପରୀକ୍ଷା ପାଇଁ ଫୁଲନଖରାସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରକୁ ପଠାଯିବ ବୋଲି ସୂଚନା ମିଳିଛି । ରିପୋର୍ଟ ଆସିବା ପରେ ଦେଶୀୟ ପକ୍ଷୀ ଓ କୁକୁଡା ବତକଙ୍କୁ ବାର୍ଡଫ୍ଲୁ ସଂକ୍ରମଣ କରିଛି କି ନାଁ ଜଣାପଡିବ ବୋଲି ବ୍ଲକ ପଶୁ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଦଳାଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ବାର୍ଡଫ୍ଲୁ ଏକ ମାରାତ୍ମକ ଆଭିଆନ ଇନଫ୍ଲୁଏନଞ୍ଜା ଟାଇପ୍‌-ଏ (ଏଚ୫ଏନ୧) ଭୂତାଣୁ ଜନିତ ରୋଗ । ଏହା ପକ୍ଷୀଙ୍କ ଠାରୁ ମନୁଷ୍ୟଙ୍କୁ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ରାଜନଗର ଅଂଚଳରେ ଶହ ଶହ କୁକୁଡା ଫାର୍ମ ଥିବାବେଳେ ପ୍ରତିଦିନ କୁକୁଡା ଗାଡି ଜିଲ୍ଲା ବାହାରୁ ରାଜନଗରକୁ ଆସୁଛି ।ଉପାନ୍ତ ଅଂଚଳ ରଂଗଣୀ ଠୁଁ ଆରମ୍ଭ କରି ସାତଭାୟା ଯାଏଁ ସବୁ ସ୍ଥାନକୁ ପ୍ରତିଦିନ ଜିଲ୍ଲା ବାହାରୁ କୁକୁଡା ଆସି ପହଁଚୁଛି । ଜିଲ୍ଲା ବାହାରୁ କୁକୁଡା ଆସୁଥିବାରୁ ଓ ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ ଜମାଇଥିବାରୁ ଯେକୌଣସି ମୁହୂର୍ତରେ ରାଜନଗରରେ ବାର୍ଡଫ୍ଲୁ ବ୍ୟାପିବାର ଆଶଙ୍କା ରହିଛି ।  ଜିଲ୍ଲା ସୀମାରେ ଚେକପୋଷ୍ଟ କରିବାକୁ ଗତକାଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ  ରାଜନଗରକୁ ଜିଲ୍ଲା ବାହାରୁ କୁକୁଡା ଗାଡି ଆସୁଥିବା ଜଣାପଡିଛି ।ପ୍ରଶାସନ ପକ୍ଷରୁ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ର ଆବଶ୍ୟକତା ରହିଛି।
Leave A Reply