ପିପିଲି : ଶନିବାର ପୂର୍ବାହ୍ନ ସାଢେ ଦଶଟା ସମୟରେ ପିପିଲି ଜବାହର ବିଦ୍ୟାପୀଠ ପରିସରରେ ନବ ନିର୍ମିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ କୁ ରାଜ୍ୟ କ୍ରୀଡା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀ ଉଦଘାଟନ କରିଛନ୍ତି.ଉଦଘାଟନ କାର୍ଯ୍ୟରେ ତାଙ୍କ ସହିତ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ପିପିଲି ପୌରାଧ୍ୟକ୍ଷ ସେକ ବାବୁ ଉପସ୍ଥିତ ଥିଲେ.ଏଥିସହିତ ଉକ୍ତ ଷ୍ଟାଡିଅମ ରେ ପ୍ରଥମ ରାଜ୍ୟ ସ୍ତରୀୟ କଳିଙ୍ଗ କପ ଟାଇକୋଣ୍ଡା ପ୍ରତିଯୋଗିତା କୁ ମଧ୍ୟ ଉଦଘାଟନ କରିଛନ୍ତି. ଏହି ଅବସରରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟାବଂଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ରୀଡାର ବିକାଶ କ୍ଷେତ୍ରରେ ସମସ୍ତ ପ୍ରଚେଷ୍ଟା ଜାରି ରହିବ ଏବଂ କ୍ରୀଡ଼ାକୁ ଅଧିକ ଲୋକାଭିମୁଖୀ କରାଯିବ ବୋଲି କହିଥିଲେ.ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କ୍ରୀଡା ସହିତ ପିପିଲି ର ସର୍ବାଙ୍ଗୀନ ଉର୍ନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷ ସେକ ବାବୁ,ପୁରୀ ଜିଲ୍ଲା ଟାଇକୋଣ୍ଡା ଆସୋସିଏସନ ସଭାପତି ଆଦିତ୍ୟ ମିଶ୍ର,ନିର୍ଦ୍ଦେଶକ ଲଲାଟ କୁମାର , ସମ୍ପାଦକ ଜନ୍ମେଜୟ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟାଇକୋଣ୍ଡା ପ୍ରତିଯୋଗିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ. ସଭା ମଞ୍ଚରେ ବର୍ଷିଆନ କ୍ରୀଡା ଶିକ୍ଷକ ଯୋଗେଶ ପ୍ରସାଦ ଗିରି ପିପିଲି ସାଂସ୍କୃତିକ ପରିଷଦ ର ସମ୍ପାଦକ ବିଶିଷ୍ଟ କ୍ରୀଡ଼ାବିତ ରମେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ାବିତ ରବୀନ୍ଦ୍ର କୁମାର ପରିଡା, ଜିତେନ୍ଦ୍ରିୟ ପଟ୍ଟନାୟକ, ପ୍ରକାଶ ମିଶ୍ର ପ୍ରମୁଖଙ୍କୁ କ୍ରୀଡା କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା.ଏହି କଳିଙ୍ଗ କପ ଟାଇକୋଣ୍ଡା ପ୍ରତିଯୋଗିତାରେ ରାଜ୍ୟର 13 ଟି ଜିଲ୍ଲାରୁ 377 ପ୍ରତିଯୋଗୀ ଭାଗ ନେଇଛନ୍ତି. ଉକ୍ତ କାର୍ଯ୍ୟକ୍ରମ ର ଆୟୋଜକ ହେଉଛନ୍ତି ପୁରୀ ଜିଲ୍ଲା ଟାଇକୋଣ୍ଡା ଆସୋସିଏସନ.