ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ହେବ : ଜିଲ୍ଲାପାଳ
ନୂଆପଡା , ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ଜନମନ ଯୋଜନାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ସଂକଳ୍ପବଦ୍ଧ ବୋଲି ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆଜି ଅପରାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପାଳ ସୂଚନା ଦେଇ କହିଲେଯେ ଏହି ଜିଲ୍ଲାର ସୁନାବେଡା ଅଞ୍ଚଳରେ ଚକୋଟିଆ ଭୁଞ୍ଜିଆ ଜନଜାତି ର ଆଦିବାସୀ ମାନେ କେଉଁ କାଳରୁ ବସବାସ କରୁଛନ୍ତି l ନୂଆପଡା ଓ କୋମନା ବ୍ଳକ ର ୩୫ ଟି ବସତି ରେ ମୋଟ ୧୨୬୮ ଟି ପରିବାରର ୫୦୬୨ ଜଣ ସଦସ୍ୟ ଅଛନ୍ତି l ଏମାନଙ୍କ ମଧ୍ୟରୁ ଅନେକ ସମାଜର ମୁଖ୍ୟ ସ୍ରୋତରେ ଏଯାଏଁ ସାମିଲ ହୋଇନାହାନ୍ତି l ଏହି ଯୋଜନାରେ ସରକାରଙ୍କ ଦ୍ୱାରା ବିଭିନ୍ନ ବିଭାଗ ତରଫରୁ ଉପଲବ୍ଧ ସୁବିଧା ସୁଯୋଗ ସମସ୍ତ ପରିବାର ତଥା ସଦସ୍ୟ ଙ୍କ ପାଖରେ ପହଞ୍ଚାଇବା ଏହି ଯୋଜନା ର ମୂଳ ଲକ୍ଷ୍ୟ l ଏହି ସବୁ ଜନ କଲ୍ୟାଣକାରୀ ଯୋଜନାରୁ ଏମାନଙ୍କ ମଧ୍ୟରୁ ଜଦି କୌଣସି ବ୍ୟକ୍ତି ବଞ୍ଚିତ ଅଛନ୍ତି, ତାହେଲେ ଏଇ ସୁବିଧା ସବୁ ସେମାନଙ୍କ ଦ୍ୱାର ଦେଶରେ ପହଞ୍ଚାଇ ଦିଆଯିବ l ସରକାରଙ୍କ ବିଭିନ୍ନ ବିଭାଗ ଏଥିପାଇଁ ଅତିଶୀଘ୍ର ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବେ l ଅଗଷ୍ଟ ୨୩ ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ସମ୍ପୃକ୍ତ ଅଞ୍ଚଳରେ ପ୍ରଚାର ପ୍ରସାର ଅଭିଯାନ ଚାଲିବ l ଜନଜାତି ବସତି ମାନଙ୍କରେ ଶିବିର ମାଧ୍ୟମରେ ହିତାଧିକାରୀ ମାନଙ୍କୁ ଆଧାର କାର୍ଡ, ଖାଉଟି କାର୍ଡ, ଜନଧନ ଆକାଉଣ୍ଟ, ବିଭିନ୍ନ ପ୍ରମାଣ ପତ୍ର ଯୋଗାଇଦିଆଯିବ l ସିକିଲ ସେଲ, ରକ୍ତ ହୀନତା ତଥା ବିଭିନ୍ନ ରୋଗ ନିରାକାରଣ ପାଇଁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଠାକାର ମହିଳା ସ୍ୱୟଂ ସହାୟକ ଦଳ ମାନଙ୍କୁ ସଶକ୍ତିକରଣ କରି ସେମାନଙ୍କ ଜୀବନ ଜୀବିକା ସୁଧାର ପାଇଁ ବିଭିନ୍ନ ସହାୟତା ଯୋଗାଇ ଦିଆଯିବ l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତ ପରିବାରକୁ ପକ୍କା ଘର ଯୋଗାଇଦିଆଯିବ l ସମସ୍ତ ଯୋଜନାର ଦ୍ରୁତ କାର୍ଯ୍ୟାନ୍ୱୟନ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏବଂ ବ୍ଲକ ମାନଙ୍କୁ ବିଡ଼ିଓ ମାନେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ l ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ବିଭିନ୍ନ ଲାଇନ ବିଭାଗ ମାନଙ୍କ ସହାୟତରେ ସେମାନଙ୍କ ଦ୍ରୁତ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବେ l ଏହି ମହତ କାମର ପ୍ରଚାର ପ୍ରସାରରେ ସହାୟତା କରିବା ପାଇଁ ଜିଲ୍ଲାପାଳ ଜିଲ୍ଳାର ସମସ୍ତ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ର ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛନ୍ତି l ଆଜିର ଏହି ସଭାରେ ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l